ରାଷ୍ଟ୍ରୀୟ ଏକତା ଦିବସର ମହତ୍ବ |

575

କଟକ(ଉତ୍କଳ ନିଉଜ)୨୬/୧୦/୨୦୨୫ :ଭାରତର ଲୌହମାନବ ଭାବରେ ପରିଚିତ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଥାଏ । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ | ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତି ପାଳନ ଅବସରରେ ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ ପାଳନ ବିଶେଷ ଭାବରେ ସ୍ବତନ୍ତ୍ର | ଏହି ଅବସରରେ ଗୁଜୁରାଟର ନର୍ମଦା ଜିଲ୍ଲାର ଏକତା ନଗର ଠାରେ ଏକ ଭବ୍ୟ ପ୍ୟାରେଡ୍ ଏବଂ ସାଂସ୍କୃତିକ ଉତ୍ସବ ପାଳନର ବ୍ୟବସ୍ଥା କରାଯାଇଛି ଯେଉଁଥିରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯୋଗଦାନ କରିବେ । ଏହି ଅବସରରେ ଆସନ୍ତୁ ଆମେ ସଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନି ଏବଂ ତାଙ୍କ ଅବଦାନ ଉପରେ ଆଲୋକ ପାତ କରିବା ସାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସଦ୍ଦାର ପଟେଲଙ୍କ ଜନ୍ମ ଗୁଜରାଟର ନାଦିଆଡ୍ ଠାରେ ଅକ୍ଟୋବର ୩୧, ୧୮୭୫ ମସିହାରେ ହୋଇଥିଲା । ସେ ବିଲାତରେ ବାରିଷ୍ଟର ଡିଗ୍ରି ହାସଲ କଲାପରେ ଭାରତ ପ୍ରତ୍ୟାବର୍ତ୍ତନ କରି ଅହମଦାବାଦ ଠାରେ ଓକିଲାତି ଆରମ୍ଭକରିଥିଲେ । ଭାରତର ସାଧୀନତା ସଂଗ୍ରାମ ସମୟରେ ସେ ମହାତ୍ମାଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ଖେଡା ସତ୍ୟାଗ୍ରହ ସମୟରେ ସ୍ଥାନୀୟ କୃଷକ ମାନଙ୍କର ଆନ୍ଦୋଳନର ନେତୃତ୍ବ ନେଇଥିଲେ ଓ ସେମାନଙ୍କୁ ଇଂରେଜ ସରକାରଙ୍କୁ କର ନ ଦେବା ପାଇଁ ପ୍ରର୍ବତ୍ତାଇଥିଲେ ଓ ତାଙ୍କ ଯୋଗୁଁ ଶେଷରେ ଇଂରେଜ ସରକାରଙ୍କୁ କୃଷକମାନଙ୍କ ଦାବୀ ଗୁଡିକୁ ମାନିବାକୁ ପଡିଥିଲା । ବରଦୋଲି ସତ୍ୟାଗ୍ରହ ସମୟରେ ତାଙ୍କୁ ସର୍ଦାର ବୋଲି ସମ୍ବୋଧନ କରାଯିବା ଆରମ୍ଭ କରାଯାଇଥିଲା। ସାଧୀନତାର ପରବତ୍ତୀ ସମୟରେ ଭାରତ ବିଭାଜନ ଏବଂ ବିଭିନ୍ନ ରିୟାସତ (Princely States) ମାନଙ୍କର ବିଲୟ ସମ୍ବନ୍ଧୀୟ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ସର୍ଦାର ପଟେଲ ମହତ୍ବପୂର୍ଣ ଭୁମିକା ଗ୍ରହଣ କରିଥିଲେ । ଭାରତ ବିଭାଜନ ସମୟରେ ପାକିସ୍ତାନରୁ ଭାରତକୁ ଆସିଥିବା ଶରଣାଥୀମାନଙ୍କ ପାଇଁ ସେ ରିଲିଫ୍ କ୍ୟାମ୍ପ ସ୍ଥାପନ କରାଇଥିଲେ ଓ ଦରକାରୀ ସେବା ପ୍ରଦାନ କରିଥିଲେ । ସଦ୍ଦାର ପଟେଲ ନିଜର କୂଟନୀତି ଓ ଦୃଢତା ଦ୍ୱାରା ନିଜର ସହଯୋଗୀ ଭିପି ମେନନ୍‌ଙ୍କ ସ‌ହ ମିଶି ୫୬୨ ରିୟାସତ ମାନଙ୍କୁ ଭାରତରେ ବିଲୟ କରିବାରେ ସଫଳ ହୋଇଥିଲେ । ହାଇଦ୍ରାବାଦ, ଜୁନାଗଢ ଓ କାଶ୍ମୀରର ସମ୍ମିଶ୍ରଣ ବେଳେ ଉଚିତ୍ ସମୟରେ ଦୃଢ ପଦକ୍ଷେପ ନେଇ ସେମାନଙ୍କୁ ଭାରତରେ ମିଶିବା ପାଇଁ ସେ ବାଧ୍ୟ କରିଥିଲେ । ତାଙ୍କର ଏହି ଉପଲ୍‌ବଦ୍ଧି ପାଇଁ ତାଙ୍କୁ ଭାରତର ଲୌହପୁରଷ ବୋଲି କୁହାଯାଇଥାଏ । ଭାରତୀୟ ପ୍ରଶାସନିକ ସେବା ଓ ଭାରତୀୟ ପୋଲିସ ସେବା ସ୍ଥାପନରେ ସେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ଭାରତୀୟ ସାଧୀନତା ସଂଗ୍ରାମରେ ତଥା ପରବତ୍ତୀ ସମୟରେ ଅବଦାନ ପାଇଁ ତାଙ୍କୁ ୧୯୯୧ ମସିହାରେ ମରଣୋପରାନ୍ତ ଭାରତରତ୍ନ ପ୍ରଦାନ କରାଯାଇଥିଲା ଏବଂ ୨୦୧୮ ମସିହାରେ ବିଶ୍ବର ସବୁଠାରୁ ଉଚ୍ଚ ପ୍ରତିମୂତ୍ତୀ, ଗୁଜୁରାଟ ସ୍ଥିତ ଷ୍ଟେଚ୍ୟୁ ଅଫ୍ ୟୁନିଟିକୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ କରାଯାଇଥିଲା । ସଦ୍ଦାର ପଟେଲଙ୍କ ନେତୃତ୍ବ ଏକ ବିବିଧ ରାଷ୍ଟ୍ରକୁ ଏକତ୍ର କରିବାରେ ଦୃଢତା ଓ ବୁଝାମଣାର ମହତ୍ବକୁ ପ୍ରତିପାଦିତ କରେ । ଜଗତୀକରଣ ଏବଂ ଦ୍ରୁତ ବୈଶୟିକ ପ୍ରଗତିର ଯୁଗରେ ସମଗ୍ର ବିଶ୍ବ ପରସ୍ପର ସହିତ ଯୋଡି ହେଉଛି । ହେଲେ ଏହି ଅନ୍ତଃସଂଯୋଗ ଅନେକ ସୁଯୋଗ ଆଣିଥିବା ବେଳେ ଜାତୀୟ ଏକତା ପ୍ରତି ଅନେକ ଆହାନ ସୃଷ୍ଟି କରିଛି । ସୂଚନାର ପ୍ରସାର ଏବଂ ସୋସିଆଲ୍ ମିଡିଆର ବୃଦ୍ଧିଦ୍ୱାରା ସାମ୍ପ୍ରଦାୟିକ ତିକ୍ତତା ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଏକତା ଦିବସ ଏକ ସହଭାଗୀ ପରିଚୟ ଏବଂ ସମ୍ପୃକ୍ତିର ଭାବନାକୁ ଉଜ୍ଜିବିତ କରି ରଖିବାରେ ଏକ ମହତ୍ଵପୂର୍ଣ ସ୍ମାରକ ଭାବରେ କାର୍ଯ୍ୟ କରିଥାଏ । ଅଧୀକନ୍ତୁ ରାଷ୍ଟ୍ରୀୟ ଏକତା। ଦିବସ ନାଗରିକମାନଙ୍କୁ ଦେଶର ପ୍ରଗତିରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥାଏ । ଆସନ୍ତୁ ଆମେ ଆଜିର ଏହି ଅବସରରେ ସଦ୍ଦାର ପଟେଲଙ୍କ ମୂଲ୍ୟବୋଧକୁ ପାଳନ କରି ଭାରତକୁ ଏକ ସମାବେଶୀ, ସଶକ୍ତ, ପ୍ରଗତିଶୀଳ ଓ ସଶକ୍ତ ଦେଶରେ ପରିଣତ କରିବା ପାଇଁ ଆଗକୁ ବଢିବା ଓ ଏକ ଅଗ୍ରଣୀ ଦେଶ ଭାବରେ ପରିଗଣିତ ହେବା (ଏମ୍‌ଡି. ଓବୈଦୁଲ୍ଲା)