More News

ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା. |

କଟକ ( ଉତ୍କଳ ନ୍ୟୁଜ ) ୧୧-୦୯-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା କମାରିଆସ୍ଥିତ ଏପିଏସପିଏସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିବ । ବିଦ୍ୟାଳୟ ସ୍ତରରୁ ଚୟନ ହୋଇ ଆସିଥିବା ପ୍ରତିଯୋଗିମାନେ ଏଠାରୁ ଚୟନ ହେବାପରେ ଜିଲ୍ଲା ସ୍ତରରେ ଭାଗ ନେବେ । ୧୪ ବର୍ଷରୁ ଓ ୧୭ ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ଖୋକୋ, କବାଡି, ଭଲିବଲ, ସତରଞ୍ଜ, ବ୍ୟାଡମିଣ୍ଟନ, ଯୋଗ ଓ ହ୍ୟାଣ୍ଡବଲ ଖେଳରେ ସାମିଲ ହୋଇଥିଲେ । ଖେଳ ଆରମ୍ଭରେ ଏକ ସଭା ହୋଇଥିଲା । ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷ୍ମୀପ୍ରିୟା ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ, ମୁଖ୍ୟ ବକ୍ତାଭାବେ ତହସିଲଦାର ଶୁଭାଶିଶ ସାହୁ, ସମ୍ମାନୀତ ଅତିଥିଭାବେ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ବିଶ୍ୱନାଥ ପଣ୍ଡା, ଭକ୍ତବନ୍ଧୁ ପତି ଓ ରମାକାନ୍ତ ଦାସ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବାବାଜୀ ଚରଣ ମହାକୁଡ, ବିଭୁଦତ୍ତ ସାହୁ, ବିଜୟ କୁମାର ନାୟକ, ସୋମନାଥ ମିଶ୍ର, ଗିରିଜା ରମଣ ଜେନା, ସୁରେଶ ଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଭାତ ଜେନା, ଅଭୟ ସେନାପତି, ତନ୍ମୟ ବେହେରା, ବିଶ୍ୱରଞ୍ଜନ ମଳିକ, ଅଞ୍ଜନା ଦାସ, ସତ୍ୟବ୍ରତ ଦାସ, କମଳାକାନ୍ତ ସାହୁ, ଶଶିକାନ୍ତ ବେହେରା, ଗୀତାଞ୍ଜଳୀ ରଥ, ଶସ୍ମିତା ପଣ୍ଡା, ଦୋଳଗୋବିନ୍ଦ ପଦୁରିଆ, ଅନୁପମା ଗିରି, ଜ୍ୟୋତିରେଖା ନାୟକ, ସ୍ମୃତିରେଖା ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଖେଳ ଶିକ୍ଷକ ଏବଂ ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ସ୍ବାଧୀନତା ଦିବସ ଓ ମୁସଲିମ୍ ସମାଜ. |

କଟକ ( ଉତ୍କଳ ନ୍ୟୁଜ ).୧୧-୦୯-୨୦୨୬: ପ୍ରତ୍ୟେକ ଦେଶର ଇତିହାସରେ ସ୍ବାଧୀନତା ଦିବସର ଏକ ସ୍ବତନ୍ତ୍ର ଓ ଗୌରବମୟ ସ୍ଥାନ ରହିଛି କାରଣ ଏହି ଐତିହାସିକ ଦିନରେ ଦେଶବାସୀ ଦାସତ୍ଵର ଶୃଙ୍ଖଳ ଭାଙ୍ଗି ସ୍ବାଧୀନତାର ସ୍ବାଦ ଲାଭ କରିଥାନ୍ତି । ଭାରତର ଇତିହାସରେ ମଧ୍ଯ ଅଗଷ୍ଟ ୧୫ର ମହତ୍ତ୍ବ ଅନନ୍ୟା । ଏହି ଦିନ ଆମକୁ ଦେଶର ସ୍ଵାଧୀନତା ପାଇଁ ଆମ ପୂର୍ବପୁରୁଷମାନେ ଦେଇଥୁବା ଅସଂଖ୍ୟ ବଳିଦାନର ସ୍ମୃତି ମନେପକାଇ ଦିଏ | ତା ସହିତ ସ୍ବାଧୀନତା ହାସଲ ପରେ ଦେଶ ଓ ସମାଜ ପ୍ରତି ଆମର ଦାୟିତ୍ବ କଣ, ବିଶେଷକରି ଜଣେ ମୁସଲମାନ ଭାବେ ଆମର କର୍ଭବ୍ୟ କଣ ହେବା ଉଚିତ, ସେନେଇ ଆତ୍ମମନ୍ଥନ କରିବାର ଏହା ଏକ ଉପଯୁକ୍ତ ଅବସର। ଭାରତୀୟ ମୁସଲମାନମାନେ ଦେଶର ସ୍ବାଧୀନତା ସଂଗ୍ରାମରେ ଏକ ଉଲ୍ଲେଖନୀୟ ଭୂମିକା ନେବା ସହ ଅସଂଖ୍ୟ ବଳିଦାନ ଦେଇଛନ୍ତି । କିନ୍ତୁ ସ୍ବାଧୀନତା ହାସଲ ପରେ ହିଁ ପ୍ରକୃତ ପରୀକ୍ଷା ଆରମ୍ଭ ହୁଏ, କାରଣ ସ୍ବାଧୀନତା ସହିତ ଦାୟିତ୍ଵ ମଧ୍ଯ ଆସିଥାଏ । ପବିତ୍ର କୋରାନରେ କୁହାଯାଇଛି, “ପ୍ରକୃତରେ, ଆଲ୍ଲା ନ୍ୟାୟ ଓ ଉତ୍କର୍ଷତାର ନିର୍ଦ୍ଦେଶ ଦିଅନ୍ତି" । ଏହା ଆମକୁ ସ୍ପଷ୍ଟ ଭାବେ ଶିକ୍ଷା ଦିଏ ଯେ, ଜଣେ ମୁସଲମାନଙ୍କର ମୌଳିକ ଦାୟିତ୍ଵ ହେଉଛି ନ୍ୟାୟ, ସଦାଚାର ଓ ମାନବିକତାକୁ ପ୍ରୋତ୍ସାହନ ଦେବା, ସେ ଯେଉଁ ସମାଜରେ ବାସ କରୁନା କାହିଁକି। ସାମାଜିକ ଦାୟିତ୍ବର ପ୍ରସଙ୍ଗରେ ମଧ୍ୟ କୋରାନ ଆମକୁ ସ୍ପଷ୍ଟ ଦିଗଦର୍ଶନ ଦେଇଥାଏ। ଏଥିରେ କୁହାଯାଇଛି, “ପରସ୍ପରକୁ ଧାର୍ମିକତା ଓ ସତ୍କାର୍ଯ୍ୟରେ ସହଯୋଗ କରା” ଏହି ଶିକ୍ଷାର ଆଲୋକରେ ମୁସଲମାନମାନେ କେବଳ ନିଜ ସ୍ୱାର୍ଥରେ ସୀମିତ ନ ରହି, ସମାଜର ସାମଗ୍ରିକ ଉନ୍ନତି ପାଇଁ କାମ କରିବା ଉଚିତ। ଗରିବ, ଅସହାୟ ଓ ଆବଶ୍ୟକତାରେ ଥିବା ଲୋକଙ୍କୁ ସହାୟତା କରିବା ସହ ନ୍ୟାୟ, ସମାନତା ଓ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ନିରନ୍ତର ପ୍ରୟାସ କରିବା ମଧ୍ୟ ସେମାନଙ୍କର ଦାୟିତ୍ଵ |ମୁସଲମାନମାନେ ଯଦି କୋରାନ ଓ ସୁନ୍ନିହର ଶିକ୍ଷାକୁ ଅନୁସରଣ କରି ନିଜର ଜାତୀୟ ଓ ସାମାଜିକ ଦାୟିତ୍ଵକୁ ସଜୋଟତାର ସହ ପାଳନ କରନ୍ତି, ତେବେ ଏହା କେବଳ ସେମାନଙ୍କର ଉନ୍ନତିରେ ସୀମିତ ରହିବ ନାହିଁ | ବରଂ ଦେଶର ସମୃଦ୍ଧି, ସ୍ଥିରତା ଓ ଏକତାକୁ ସୁଦୃଢ଼ କରିବାରେ ମଧ୍ୟ ସେମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ। ସହାବୁଦ୍ଦିନ , ସାମାଜିକ
Read More ...

ସେନବାଡ କୃଷ୍ଣ ବଳରାମ ମନ୍ଦିରରେ ଧୂମଧାମରେ ଜନ୍ମାଷ୍ଟମୀ ପାଳିତ. |

କଟକ ( ଉତ୍କଳ ନ୍ୟୁଜ ). ୦୪-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସେନବାଡ ଗାଁର ଆରାଧ୍ୟ ଦେବତା କୃଷ୍ଣ ବଳରାମ ମନ୍ଦିରରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୬ ଘଟିକାରୁ ମାନସିକଧାରୀ ଭୋଗ ଲଗାଇବା ଲାଗି ଧାଡି ଲଗାଇଥିଲେ । ଏଥିସହ ଶତାଧିକ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟଲାଭ କରିଛନ୍ତି । ସଂଧ୍ୟାରେ ଭଜନ ସଂଧ୍ୟା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ଦୂରଦୂରନ୍ତା ରୁ ଭକ୍ତମାନଙ୍କ ସୁଅ ଛୁଟିଥିଲା । ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯାଇଥିଲା । ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଓ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କୃଷ୍ଣ ବଳରାମ ମନ୍ଦିରରେ ପହଞ୍ଚି ପ୍ରଭୁକୃପା ଲାଭ କରିଛନ୍ତି । ସୂଚନା ଥାଉକି, ସେନବାଡ ଗାଁରେ ଏହି ପରମ୍ପରା ୧୯୫୦ ମସିହା ଠାରୁ ପ୍ରଚଳିତ ହୋଇ ଆସୁଅଛି । ପ୍ରଥମେ ଏକ ଧୂଳିଆ ଘରେ ପୂଜାର୍ଚ୍ଚନା କରାଯାଉଥିଲା ପରେ ଗ୍ରାମବାସୀ ତଥା ବଦାନ୍ୟ ବ୍ୟକ୍ତଙ୍କ ଆର୍ଥିକ ସମଯୋଗରେ ୨୦୧୮ ମସିହାରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇ ବର୍ଷକୁ ଜନ୍ମାଷ୍ଟମୀ ଓ ଦୋଳଉତ୍ସବ ପାଳନ କରାଯାଇ ଆସୁଅଛି । ମନ୍ଦିରର ମୁଖ୍ୟ ପୂଜକ ରତ୍ନାକର ପାଣିଙ୍କ ସମେତ ଦୁଇ ଜଣ ବେଦପଣ୍ଡିତ କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ବେଳେ କମିଟିର ସଭାପତି ନାରାୟଣ ଚନ୍ଦ୍ର ପୃଷ୍ଟି, ସମ୍ପାଦକ ଶ୍ରୀଧର ବାରିକ, ଉପସଭାପତି ରମାକାନ୍ତ ବାରିକ, ସହସମ୍ପାଦକ ଶରତ ପରିଡା, କୋଷାଧ୍ୟକ୍ଷ ରାଜେନ୍ଦ୍ର ବାରିକ, ଉମାକାନ୍ତ ବାରିକ, ଭାଗବତ ଦାସ, ମନୋରଞ୍ଜନ ବାରିକ, ଦିବାକର ବାରିକ, ବୁଦ୍ଧିରାମ ବାରିକ, ରଞ୍ଜନ ପରିହାରି, ଜୟନ୍ତ ଦାସ, ସୁମନ୍ତ ଦାସ, ରବିନ୍ଦ୍ର ବାରିକ, ଗିରିଧାରୀ ବାରିକ, ଲକ୍ଷ୍ମୀଧର ଦାସ, ବଳରାମ ସାହୁ, ଇନ୍ଦ୍ରମଣି ଦାସ, ଦୀନବନ୍ଧୁ ଦାସ, ରଜନୀକାନ୍ତ ଦାସ, ପାର୍ଥସାରଥି ପୃଷ୍ଟି, ବାବାଜୀ ଦାସ, ସଞ୍ଜୟ ବାରିକ, କାଳନ୍ଦି ପାଣି, ପରମେଶ୍ୱର ଦାସ, ନରହରି ଦାସ, ହାରୁଲାଲ ଦାସ, ଶିବପ୍ରସାଦ ଦାସ, ସୁଦର୍ଶନ ବାରିକ ଓ ପ୍ରଭାକର ବାରିକ ପ୍ରମୁଖ ଗ୍ରାମବାସୀ ଉତ୍ସବ ପରିଚାଳନା କରୁଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ତିହିଡ଼ି ଯୁବମଞ୍ଚ ପକ୍ଷରୁ ରାଧାକୃଷ୍ଣ ରୂପୋତ୍ସବ ପ୍ରତିଯୋଗିତା।

କଟକ ( ଉତ୍କଳ ନ୍ୟୁଜ ). ୦୪-୦୯-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାମାଜିକ ସଂଗଠନ ତିହିଡି଼ ଯୁବମଞ୍ଚ ପକ୍ଷରୁ ତିହିଡି ସଙ୍ଗୀତ ସ୍କୁଲ ପରିସରରେ ଶିଶୁମାନଙ୍କୁ ନେଇ ରାଧାକୃଷ୍ଣ ରୂପୋତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଶିଶୁମାନଙ୍କ ମଧ୍ୟରେ ସଂସ୍କୃତି ଓ ପରମ୍ପରାକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ କୁନି କୁନି ପିଲାମାନେ ରାଧା, କୃଷ୍ଣ, ଗୋପୀ ଓ ଗୋପାଳ ବେଶରେ ସଜ୍ଜିତ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସଂଗଠନର ଉପଦେଷ୍ଟା ସଚ୍ଚିକାନ୍ତ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ ନିରଞ୍ଜନ ବାରିକ ମୁଖ୍ୟ ପରିଚାଳନାରେ ଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ସୋମନାଥ ପାଢୀ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ପ୍ରାକ୍ତନ ତିହିଡି କଲେଜ ଅଧ୍ୟକ୍ଷ ସାହିତ୍ୟିକ ଡ. ଲକ୍ଷ୍ମୀଧର ତ୍ରିପାଠୀ, ସାଂସ୍କୃତିକ ସଂଯୋଜକ ତଥା ଆଇନଜୀବୀ ନୀଳମାଧବ ସେନାପତି, ମନୋଜ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ, ବିଚାରକ ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଜୟନ୍ତ ନାୟକ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ତିହିଡି ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ସଂଗଠନର ସଭାପତି କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ରାଜଲକ୍ଷ୍ମୀ ପଣ୍ଡା ପ୍ରଥମ, ଅନନ୍ୟା ପ୍ରିୟଦର୍ଶିନୀ ଦାସ ଦ୍ୱିତୀୟ, ଆୟୁଷୀ ବେହେରା ତୃତୀୟ, ସମୀକ୍ଷା ଦାସ ଚତୁର୍ଥ ଏବଂ କନିଷ୍ଠ ବିଭାଗରେ ସଂପୂର୍ଣ୍ଣା ନାୟକ ପ୍ରଥମ, ସାନଭି ତନୟା ଜେନା ଦ୍ୱିତୀୟ, ଅପସିତ ମଲ୍ଲିକ ତୃତୀୟ ଓ ଦୀପ୍ତୀରେଖା ମିଶ୍ର ସାନ୍ତ୍ୱନା ମୂଳକ ପୁରସ୍କାର ପାଇଥିବା ବେଳେ ମୋଟ ୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଓ ସମସ୍ତଙ୍କୁ ପ୍ରେରଣା ପତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବମଞ୍ଚର ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, ସଦସ୍ୟ ସନାତନ ସାହୁ, ଜିତେନ୍ଦ୍ର ନାୟକ, ସୟଦ ରଫିକ, ନୀଳାମ୍ବର ସେଠୀ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଓରିକ୍ଲିନ୍ କମ୍ପାନୀର ୨୧୪ ଶ୍ରମିକ ଛଟେଇ , ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା, ୧୪୪ ଧାରା ଜାରି. |

କଟକ ( ଉତ୍କଳ ନ୍ୟୁଜ ) ୦୩-୦୯-୨୦୨୬ : କଟକ ଟାଙ୍ଗୀସ୍ଥିତ ଓରିକ୍ଲିନ୍ ଡିଟରଜେଣ୍ଟ ପାଉଡର କମ୍ପାନୀରେ କାର୍ଯ୍ୟରତ ୨୧୪ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରାଯାଇଥିବା ଅଭିଯୋଗ କରିଛି ଓରିକ୍ଲିନ୍ ଶ୍ରମିକ ସଂଘ। ଛଟେଇର ପ୍ରତିବାଦରେ ଶ୍ରମିକମାନେ କମ୍ପାନୀର ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ବେଳେ ଆଜି ଉକ୍ତ ସ୍ଥାନରେ ୧୪୪ ଧାରା ଜାରି ହୋଇଛି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓରିକ୍ଲିନ୍ ଶ୍ରମିକ ସଂଘ ପକ୍ଷରୁ ବରିଷ୍ଠ ଶ୍ରମିକ ନେତା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବକ୍ସିବଜାରସ୍ଥିତ ପାନ୍ଥନିବାସଠାରେ ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ, ଓରିକ୍ଲିନ୍ କମ୍ପାନୀରେ ୫ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୧୪ ଜଣ ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବେଆଇନ ଭାବେ ଛଟେଇ କରିଥିବା ସଂଘ ଅଭିଯୋଗ କରିଛି। ଏନେଇ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାରେ କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରୁଥିବା ସଂଘ କହିଛି। ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଥିବା ବେଳେ ସେଠାରେ ୧୪୪ ଧାରା ଜାରି କରାଯିବା ଘଟଣାକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି। ଏଥିସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦିଆନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି କମ୍ପାନୀ ବନ୍ଦ କରିବା ଭଳି କଠୋର ପଦକ୍ଷେପ ନିଆଯିବ ବୋଲି ସଂଘ ଘୋଷଣା କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓରିକ୍ଲିନ୍ ଶ୍ରମିକ ସଂଘର ସଭାପତି ଚିତ୍ତରଞ୍ଜନ ସାମଲ, ଉପସଭାପତି ଅଶୋକ ସ୍ବାଇଁ, ସମ୍ପାଦକ ଲକ୍ଷ୍ମୀଧର ନାୟକ, କଟକ ଜିଲ୍ଲା କୋଷାଧ୍ୟକ୍ଷ ସବିତା ସାହୁଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Read More ...

ଅନୁଦାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ଦାବି ।

ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୦୩-୦୯-୨୦୨୬ : . ପରିଚାଳନା କମିଟି ଦ୍ବାରା ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ପାଇଁ ପୋଷ୍ଟ କାର୍ଡ ମଧ୍ୟରେ ଦାବି ଜଣାଇଲେ ଚୌଦ୍ଵାର ମହାବିଦ୍ୟାଳୟ ର କର୍ମଚାରୀ ଓ ଛାତ୍ରଛାତ୍ରୀ । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ର ନିଷ୍ପତ୍ତି ଅନୁଯାୟୀ ଆଜି ନିଜର ଦୁଃଖ କୁ ପୋଷ୍ଟକାର୍ଡ ମାଧ୍ୟମରେ ଲେଖି ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଛନ୍ତି । ତୁରନ୍ତ ଅନୁଦାନ ପ୍ରଦାନ ଦିଗରେ ସରକାର ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ମୌସୁମୀ ଅଧିବେଶନ ପୂର୍ବରୁ ସଂଘ ତରଫରୁ ଓଡ଼ିଶାର ୧୫୦୦ କଲେଜ୍ ରୁ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ପୁରୀ ବଡ଼ଦାଣ୍ଡ ରୁ ଆଜ୍ଞାମାଳ ନେଇ ବିଶାଳ ପଦଯାତ୍ରା ମାଧ୍ୟମରେ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ଓ ଧାରଣ ଦିଆଯିବ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ମହାବିଦ୍ୟାଳୟର କର୍ମଚାରୀ ଅଶୋକ କୁମାର ଦାସ , ସସ୍ମିତା ଆଚାର୍ଯ୍ୟ , ପରେଶ୍ କୁମାର ବେଉରା , ସୂର୍ଯ୍ୟକାନ୍ତ ସାହୁ , ରଶ୍ମି ରଞ୍ଜନ ମଙ୍ଗରାଜ , ଲୋପାମୁଦ୍ରା ରାଉତରାୟ , ଶ୍ରୀକାନ୍ତ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି ।
Read More ...

ଗୁରୁଦିବସରେ ରାଜଧାନୀରେ ହେବ ଗୁରୁଗର୍ଜନ ସମାବେଶ, ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ବ୍ୟାପକ ପ୍ରସ୍ତୁତି।

କଟକ ( ଉତ୍କଳ ନ୍ୟୁଜ ). ୦୩-୦୯-୨୦୨୬: ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜି ଗାନ୍ଧୀମାର୍ଗଠାରେ ଗତ ଅଗଷ୍ଟ ୧୬ ତାରିଖ ଦାବିଦିବସ ରୁ ଆରମ୍ଭ ହୋଇଥିବା ସ୍କୁଲ୍ କଲେଜ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ମିଳିତ ସମନ୍ବୟ ସମିତିର ଅହୋରାତ୍ର ଧାରଣା ଆଜି ୧୮ ଦିନରେ ପହଞ୍ଚିଛି। ପ୍ରବଳ ବର୍ଷା ଓ ନାନା ପ୍ରତିକୂଳତା ସତ୍ତ୍ୱେ ନିଜର ନ୍ୟାଯ୍ୟ ହକ୍ ଓ ସମ୍ମାନ ଦାବିରେ ଶିକ୍ଷକ-କର୍ମଚାରୀମାନେ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୫, ଗୁରୁଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ଗୁରୁଗର୍ଜନ ମହାସମାବେଶ କୁ ସଫଳ କରିବା ପାଇଁ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ବାଗ୍‌ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆଗାମୀ ମହାସମାବେଶ ପାଇଁ ରଣନୀତି ପ୍ରସ୍ତୁତ କରା ଯାଇଛି। ସଭାପତି ଡ. ବାଗ୍ ଆନ୍ଦୋଳନକୁ ସଫଳ କରିବା ଲାଗି ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ସଦସ୍ୟଙ୍କ ଶତପ୍ରତିଶତ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି। ଆସନ୍ତା ୫ ତାରିଖରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ, ଅଧ୍ୟାପକ- ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ଏହି ମହାସମାବେଶରେ ଏକତ୍ରିତ ହୋଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ଏଥିସହ ଓସ୍ତା ଓ ଅଲଓସ୍ତା ସଂଗଠନ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି। ଧାରଣାସ୍ଥଳୀ ନିକଟରେ ଉଭୟ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ବିରୋଧୀ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିବାକୁ ସହମତି ପ୍ରକାଶ କରିଥିବା ଜଣା ପଡ଼ିଛି। ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦିକା ଅଧ୍ୟାପିକା ନିରୁପମା ସାହୁ, ଜିଲ୍ଲା ଉପସଭାପତି ଅଧ୍ୟାପକ ଅଶୋକ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଅଧ୍ୟାପକ ଜୟପ୍ରକାଶ ଦାସ, କୋଷାଧ୍ୟକ୍ଷ ଅଧ୍ୟାପକ ପ୍ରହ୍ଲାଦ ମାହୁନ୍ତ, ଉପଦେଷ୍ଟା ଅଧ୍ୟାପକ ସନ୍ଦୀପ କୁମାର ଘୋଷ, ମିଡ଼ିଆସେଲ୍ ସଂଯୋଜକ ଡ. ବିଶ୍ବରଂଜନ ଦାସ, କାର୍ଯ୍ୟକାରୀ ସଦସ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ପଣ୍ଡା, ରଘୁନାଥ ପଣ୍ଡା, ନିରଞ୍ଜନ ପାଲ୍, କୀର୍ତ୍ତିସୁନ୍ଦର ପଟ୍ଟନାୟକ, ଚିତ୍ତରଂଜନ ଦାସ, ଭୀମସେନ ଓଝା ଓ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ମହାସମେବେଶ ସପକ୍ଷରେ ମତପ୍ରକାଶ କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀ ଉପସ୍ଥିତ ରହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ରାଜଧାନୀ ଚଳଚଞ୍ଚଳ ହେବ ବୋଲି ସଂକଳ୍ପ ନେଇଥିଲେ। ଶେଷରେ ଅଧ୍ୟାପକ ମଞ୍ଜୁର ଅହମ୍ମଦ ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଦେଶର ପ୍ରଥମ ଆଇଜିବିସି ପ୍ଲାଟିନମ୍-ସାର୍ଟିଫାଏଡ ସବୁଜ କ୍ୟାମ୍ପସ୍ ହେଲା ଓଡ଼ିଶା ଲୋକଭବନ |

କଟକ ( ଉତ୍କଳ ନ୍ୟୁଜ )୦୨-୦୯-୨୬ : ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକ ଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (ଆଇଜିବିସି)ର ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମ୍ ଅଧୀନରେ ପ୍ଲାଟିନମ୍ ପ୍ରମାଣପତ୍ର ହାସଲ କରି ଦେଶର ପ୍ରଥମ ପ୍ଲାଟିନମ୍ ପ୍ରମାଣପତ୍ରପ୍ରାପ୍ତ ଲୋକ ଭବନ ହୋଇଛି। ଏହା ସ୍ଥାୟୀ ଓ ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ମଙ୍ଗଳବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜିବିସିର ଜାତୀୟ ଅଧ୍ୟକ୍ଷ ସି. ଶେଖର ରେଡ୍ଡୀଙ୍କଠାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଲୋକ ଭବନ ୧୦୦ରୁ ୮୮ ଅଙ୍କ ହାସଲ କରି ଆଇଜିବିସି ରେଟିଂ ବ୍ୟବସ୍ଥାର ସର୍ବୋଚ୍ଚ ବର୍ଗରେ ସ୍ଥାନ ପାଇଛି।ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟପାଳ ଡ. କମ୍ଭମପାଟି ଏହି ସ୍ୱୀକୃତିକୁ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିବା ସହ ଲୋକ ଭବନକୁ ସବୁଜ ପରିସରରେ ପରିଣତ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଏହା ଫଳ ବୋଲି କହିଥିଲେ।ରାଜ୍ୟପାଳ କହିଥିଲେ ଯେ ସବୁଜିମା, ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର, ବୈଦ୍ୟୁତିକ ଯାନର ବ୍ୟବହାର ସମେତ ବିଭିନ୍ନ ପଦକ୍ଷେପକୁ ଏହି ପ୍ରମାଣପତ୍ରରେ ସ୍ୱୀକୃତି ମିଳିଛି। ଯେଉଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା, ଲୋକ ଭବନ ପକ୍ଷରୁ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଶେଷରେ ଆମେ ସର୍ବୋଚ୍ଚ ରେଟିଂ ହାସଲ କରିପାରିଛୁ।”ଆଗାମୀ ଦିଲ୍ଲୀ ଗସ୍ତ ସମୟରେ ସେ ଏହି ପ୍ରମାଣପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇବେ ବୋଲି ଡ. କମ୍ଭମପାଟି କହିଥିଲେ। ଏହି ସଫଳତା ଅନ୍ୟାନ୍ୟ ଅନୁଷ୍ଠାନକୁ ମଧ୍ୟ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ସହ ସବୁଜ ପ୍ରମାଣପତ୍ର ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।ଲୋକ ଭବନ ବାହାରେ ମଧ୍ୟ ଏହି ସବୁଜ ବାର୍ତ୍ତାକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ରାଜ୍ୟପାଳ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କୁ ସବୁଜ ପ୍ରମାଣପତ୍ର ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ। ପରିବେଶ ସଚେତନତା ସୃଷ୍ଟିରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିକ ଭୂମିକା ନେଇପାରିବେ ବୋଲି ସେ କହିଥିଲେ। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବାରୁ ସେମାନେ ପରିବେଶ ସୁରକ୍ଷାର ଆମ୍ବାସଡର ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ।ଲୋକ ଭବନରେ ନିଆଯାଇଥିବା ଅକ୍ଷୟ ଶକ୍ତି ସମ୍ପର୍କିତ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ରା଼ଜ୍ୟପାଳ ଆଲୋକପାତ କରିଥିଲେ। ପରିସରରେ ବର୍ତ୍ତମାନ ୬୩୫ କିଲୋୱାଟ୍ ପିକ୍ (kWp) ସୌର ଶକ୍ତି କ୍ଷମତା ସମ୍ପନ୍ନ ସିଷ୍ଟମ ସ୍ଥାପିତ ହୋଇଥିବା ସେ କହିଥିଲେ। ଘର ଓ ବିଭିନ୍ନ ଅନୁଷ୍ଠାନରେ ଅଧିକରୁ ଅଧିକ ରୂଫ ଟପ ସୋଲାର ସିଷ୍ଟମ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଥିଲେ। ରା଼ଜ୍ୟପାଳ କହିଥିଲେ ଯେ ଜର୍ମାନୀରେ ବର୍ଷକୁ ପ୍ରାୟ ୧୦୦ ଦିନ ସୂର୍ଯ୍ୟକିରଣ ମିଳେ, ତଥାପି ସେଠାରେ ସୌର ଶକ୍ତିର ବ୍ୟବହାର କରାଯାଉଛି। ଆମ ପାଖରେ ବର୍ଷକୁ ପ୍ରାୟ ୩୦୦ ଦିନ ସୂର୍ଯ୍ୟକିରଣ ମିଳେ। ଯଦି ଆମେ ଏହି ଶକ୍ତିର ଉପଯୋଗ ନକରିବା, ତେବେ ଏହା ଏକ ଅପରାଧ ହେବ। ଏହାର ସବୁଜ ରୂପାନ୍ତରଣର ଅଂଶ ଭାବରେ, ଓଡ଼ିଶା ଲୋକ ଭବନ ମଧ୍ୟ ଏକ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଚାଳିତ କାରକେଡ୍ ଗ୍ରହଣ କରିଛି, ଯାହା ଏହାକୁ ଦେଶର ପ୍ରଥମ ଲୋକ ଭବନ କରିଛି ଯେଉଁଥିରେ ରାଜ୍ୟପାଳଙ୍କ କାରକେଡ୍କୁ ସମ୍ପୂର୍ଣ୍ଣ ଭାବରେ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ କରାଯାଇଛି। ଅକ୍ଷୟ ଶକ୍ତି ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ ଲୋକ ଭବନ ପରିସରରେ ଛୋଟ ଉଇଣ୍ଡ ମିଲ (ପବନ ଚକି) ସ୍ଥାପନ କରିବାକୁ ମଧ୍ୟ ଯୋଜନା ରହିଛି। ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ିଲେ ପରିସରକୁ ସ୍ୱଚ୍ଛ ଶକ୍ତି ଆଡ଼କୁ ଆହୁରି ଦୃଢ଼ତାର ସହ ନେବା ସମ୍ଭବ ହେବ ବୋଲି ରା଼ଜ୍ୟପାଳ କହିଥିଲେ।
ପୁରୀସ୍ଥିତ ଲୋକ ଭବନକୁ ମଧ୍ୟ ସବୁଜ ପ୍ରମାଣପତ୍ର ହାସଲ କରାଇବା ପାଇଁ ପଦକ୍ଷେପ ନିଆଯିବ। ଏହାର ପ୍ରଥମ ପଦକ୍ଷେପ ଭାବେ ସେଠାରେ ୧୦୦ କିଲୋୱାଟ୍‌ର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି।ଓଡ଼ିଶା ଓ ସମଗ୍ର ଦେଶରେ ସ୍ୱଚ୍ଛ ଶକ୍ତି ଆଡ଼କୁ ଏକ ବ୍ୟାପକ ପରିବର୍ତ୍ତନ ଆସୁଥିବା କଥା ରା଼ଜ୍ୟପାଳ ଉଲ୍ଲେଖ କରିଥିଲେ। ଏଥିରେ ସୌର ଓ ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି ବୋଲି ସେ କହିଥିଲେ।ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ପରିବେଶ ସୁରକ୍ଷା ପ୍ରତି ରାଜ୍ୟପାଳଙ୍କ ପ୍ରତିବଦ୍ଧତା ଲୋକ ଭବନର ସବୁଜ ରୂପାନ୍ତରଣ ମାଧ୍ୟମରେ ବାସ୍ତବ ରୂପ ନେଇଛି। ଏହି ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ ଏବଂ ଭବିଷ୍ୟତରେ ସରକାରୀ କୋଠା ଯୋଜନା କରିବା ସମୟରେ ସବୁଜ ପଦକ୍ଷେପକୁ ସାମିଲ କରିବା ପାଇଁ ବିଭିନ୍ନ ବିଭାଗକୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ। ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଆଇଜିବିସିର ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Read More ...

ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୁରଲୀଧର ବାରିକଙ୍କ ପରଲୋକ।

କଟକ ( ଉତ୍କଳ ନ୍ୟୁଜ ) ୦୨-୦୯-୨୦୨୬: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମୁରଲୀଧର ବାରିକଙ୍କର ସୋମବାର ରାତିରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା l ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଶ୍ରୀ ବାରିକ ରାଜନଗର ପଞ୍ଚାୟତ ଅଧୀନ ଖଡ଼ିଜାଣ ଗ୍ରାମର ସ୍ବର୍ଗତ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିଭକ୍ତ ରାଜନଗର ପଞ୍ଚାୟତରୁ ୧୯୭୪ ରୁ ୧୯୮୪ ପର୍ଯ୍ୟନ୍ତ ସରପଞ୍ଚ ପଦବୀରେ ରହି ଲୋକମାନଙ୍କର ସେବାକରି ପ୍ରିୟଭାଜନ ହୋଇଥିଲେ। ଗତ ତା ୦୯.୦୫. ୧୯୭୯ରିଖରୁ ତା ୩୧.୧୨.୮୦ରିଖ ପର୍ଯ୍ୟନ୍ତ ତିହିଡି ବ୍ଲକରେ ଅଧ୍ୟକ୍ଷ ପଦରେ ରହି ସୃଚାରୁ ରୃପେ କାର୍ଯ୍ୟ ସମ୍ପାଦନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଦକ୍ଷ ରାଜନେତା ଭାବେ ସୁପରିଚିତ ଥିଲେ l ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବୈରାଗୀ ଯେନାଙ୍କ ସହ କର୍ମୀଭାବେ ରହି ସ୍ଥାନୀୟ ଅଞ୍ଚଳର ବିକାଶର ଅଗ୍ରଗତି କରାଇଥିଲେ। ତାଙ୍କ ବିୟୋଗ ଖବର ପାଇ ଭାଜପା ଜିଲା ଉପସଭାପତି ଅଜୟ କୁମାର ନାୟକ, ଜାମଯୋଡ଼ି ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ଭାଟପଡ଼ା ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ସମିତି ସଭ୍ୟ ଦେବେନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ରାଜନଗର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସନାତନ ବାରିକ, ସୁବାଷ ସେଠୀ, ସୁଧାଂଶୁ ନାୟକ, ପୂର୍ବତନ ସମିତିସଭ୍ୟ ଶ୍ରୀଧର ନାୟକ, ମୁକ୍ତିକାନ୍ତ ନାୟକ, ଅନାଦି ବାରିକ, ବିଚିତ୍ର ବାରିକ, ବସନ୍ତ କୁମାର ନାୟକ, ସୁଶାନ୍ତ ସ୍ୱାଇଁ, ପ୍ରକାଶ ବିଶ୍ୱାଳ ଓ ଚୈତନ୍ୟ ସେଠୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରାଜନଗର ଓ ନରେନ୍ଦ୍ରପୁର ପଞ୍ଚାୟତରେ ପରିକ୍ରମା କରାଯିବା ସହ ତିହିଡି଼ ବ୍ଲକ କାର୍ଯ୍ୟାଳୟକୁ ନିଆ ଯାଇଥିଲା l ସେଠାରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ପୂର୍ବତନ ସମିତିସଭ୍ୟ କୈଳାସ ରାଉଳ, ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ ଓ ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପରେ ତାଙ୍କ ମରଶରୀରକୁ ତାଙ୍କ ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା। ବଡ଼ ପୁଅ ବସନ୍ତ କୁମାର ବାରିକ ମୁଖାଗ୍ନି ଦେଇଥିଲେ।ତାଙ୍କ ପରଲୋକ ଖବରପାଇ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ନେତା ଅଶୋକ ବଳ, ସମାଜସେବୀ ସତ୍ୟାନନ୍ଦ ରାଉତ, ସୁଦର୍ଶନ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।
Read More ...

ଭାରୀଯାନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନର କଟକଣା |

କଟକ, ( ଉତ୍କଳ ନ୍ୟୁଜ ) ୦୨-୦୯-୨୬ : ଗ୍ରାମବାସୀ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ତିଗିରିଆ ତହସିଲ ଓ ବ୍ଲକ ଅଞ୍ଚଳର ଦୁଇଟି ପ୍ରମୁଖ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।ଜମାଦେଇପୁରରୁ ଭେଜିଆ ଆର୍‌ଆଣ୍ଡ୍‌ବି ରୋଡ୍ ଏବଂ ଗୋକର୍ଣ୍ଣଖାଲରୁ ଭେଜିଆ ପର୍ଯ୍ୟନ୍ତ ରାସ୍ତାରେ ପଥର, ଚିପ୍ସ, ବୋଲ୍ଡର, ମେଟାଲ ଆଦି ନେଇ ଯାଉଥିବା ଟ୍ରକ୍, ହାଇୱା, ଜେସିବି ଓ ଅନ୍ୟାନ୍ୟ ଭାରୀଯାନର ଚଳାଚଳକୁ ନିଷିଦ୍ଧ କରାଯାଇଛି। ଭେଜିଆ, ବଡ଼ଭେଜିଆ, ମରିଚିଆ, ଖଜୁରିପଦା, ନୂଆସାହି, ଗୋକର୍ଣ୍ଣଖାଲ, ଶବରସାହି ଓ କୁଡ଼ିଆ ଆଦି ଗ୍ରାମ ଦେଇ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିଲା। ଏହା ସହିତ ସ୍ଥାନୀୟ ଲୋକଙ୍କ ଯାତାୟାତ, ସ୍କୁଲ ଛାତ୍ରଛାତ୍ରୀଙ୍କ ଗମନାଗମନ ଏବଂ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ହସ୍ପିଟାଲ ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବାରୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ନିଷେଧାଦେଶ ଜାରି କରିଛନ୍ତି। ଏହି କଟକଣା ୧ ସେପ୍ଟେମ୍ବର ୨୦୨୬ ଠାରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଲାଗୁ ରହିବ। ତେବେ ଜରୁରୀ ସେବା ସହିତ ସ୍ଥାନୀୟ ଅଞ୍ଚଳର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟରେ ନିୟୋଜିତ ଭାରୀଯାନଗୁଡ଼ିକ ଏହି କଟକଣାରୁ ବାଦ ପଡ଼ିବେ।
Read More ...

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟରେ ଓଡ଼ିଶା ପୋଲିସ | ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ୧,୭୪୮ ଶିକ୍ଷାନୁଷ୍ଠାନରେ ସଚେତନତା; ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଲା ନିଶା ବିରୋଧୀ ବାର୍ତ୍ତା |

କଟକ, ( ଉତ୍କଳ ନ୍ୟୁଜ ) ୦୧/୦୯/୨୦୨୬ ନିଶାମୁକ୍ତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ (NMBA) ଅଧୀନରେ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି। ଗତ ଅଗଷ୍ଟ ୧୫ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୫ଟି ପୋଲିସ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟ ମଧ୍ୟରେ ୧,୭୬୩ ଟି ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଯାଇଥିଲା। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୧୬୨ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଗଞ୍ଜାମରେ ୧୧୭ଟି, ଖୋର୍ଦ୍ଧାରେ ୧୦୧ଟି, ରାୟଗଡ଼ାରେ ୮୫ଟି ଏବଂ କଳାହାଣ୍ଡିରେ ୭୯ଟି ଶିକ୍ଷାନୁଷ୍ଠାନରେ ଏହି ଅଭିଯାନ ପହଞ୍ଚିଛି। ଏହି ରାଜ୍ୟବ୍ୟାପୀ ଅଭିଯାନରେ ୨୬ଟି ପୋଲିସ ଜିଲ୍ଲା ନିଜ ଏସ୍‌ପିମାନଙ୍କ ନେତୃତ୍ୱ, ପୋଲିସ କର୍ମଚାରୀଙ୍କ ପ୍ରୟାସ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସକ୍ରିୟ ସହଯୋଗ ଯୋଗୁଁ ନିଶା ବିରୋଧୀ ସଚେତନତାର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚାଇବା ସମ୍ଭବ ହୋଇଛି। ନିଶାଦ୍ରବ୍ୟ ସେବନ ଦ୍ୱାରା ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ, ପରିବାର, ଶିକ୍ଷା, ଜୀବନ ଓ ଭବିଷ୍ୟତ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ନିଶା ବିରୋଧୀ ଲଢ଼େଇରେ ସକ୍ରିୟ ଭାବେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଏହି ଅଭିଯାନର ଲକ୍ଷ୍ୟ କେବଳ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବାରେ ସୀମିତ ନୁହେଁ। ଯୁବପିଢ଼ିଙ୍କୁ ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରଣା ଦେବା ସହ ସ୍କୁଲ, କଲେଜ, ଶିକ୍ଷକ, ଛାତ୍ରଛାତ୍ରୀ ଓ ପରିବାରକୁ ନିଶା ବିରୋଧୀ ଲଢ଼େଇର ସକ୍ରିୟ ସହଯୋଗୀ ଭାବେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ୨୦୨୯ ସୁଦ୍ଧା ଏକ ନିଶାମୁକ୍ତ ଓଡ଼ିଶା ଗଠନ କରିବାକୁ ଓଡ଼ିଶା ପୋଲିସର ଦୃଢ଼ ସଂକଳ୍ପ ବୋଲି କହିଛନ୍ତି ।
ଏହି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ନିଶା ବିରୋଧୀ ସଚେତନତା ଓ ପ୍ରତିରୋଧମୂଳକ କାର୍ଯ୍ୟକ୍ରମ ନିରନ୍ତର ଜାରି ରହିବ। ନିଶା ବିରୋଧୀ ଲଢ଼େଇରେ ପୋଲିସ ସହିତ ପରିବାର, ଶିକ୍ଷାନୁଷ୍ଠାନ, ଯୁବପିଢ଼ି ଓ ସମାଜର ପ୍ରତ୍ୟେକ ବର୍ଗର ସହଭାଗିତା ହିଁ ଏହି ଅଭିଯାନର ସବୁଠାରୁ ବଡ଼ ଶକ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହି ରାଜ୍ୟବ୍ୟାପୀ ଅଭିଯାନକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଏସ୍‌ପି, ପୋଲିସ କର୍ମଚାରୀ, ଶିକ୍ଷାନୁଷ୍ଠାନ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତ ସହଯୋଗୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।

Read More ...

ବିଦ୍ୟୁତ ଆଘାତରେ କୁକୁଡା ଫାର୍ମର ମାଲିକ ମୃତ. |

କଟକ ( ଉତ୍କଳ ନ୍ୟୁଜ ). ୦୧-୦୯-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ଥାନା ବାହାବଳପୁର ପଞ୍ଚାୟତ ଅଧିନ ଦକ୍ଷିଣସାହିର ଗ୍ରାମର ବିଦ୍ୟୁତ ଆଘାତରେ କୁକୁଡା ଫାର୍ମର ମାଲିକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ ହରିହର ମଲ୍ଲିକଙ୍କ ପୁଅ ପ୍ରିୟବ୍ରତ ମଲ୍ଲିକ(୪୬) ବୋଲି ଜଣାଯାଇଛି । ସୋମବାର ସକାଳେ ସେ ନିଜର କୁକୁଡା ଫାର୍ମକୁ ଯାଇଥିଲେ । ସେଠାରେ ବିଦ୍ୟୁତ ସଂସ୍ପର୍ଷରେ ଆସି ବେହୋସ ହୋଇ ଯାଇଥିଲେ । ପରିବାର ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ରେଫର କରିଥିଲେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅପରାହ୍ନରେ ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରିୟବ୍ରତଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳି ଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ
Read More ...

ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଗଲେ କଟକ ଜିଲ୍ଲାର ୧୯୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ. |

କଟକ ( ଉତ୍କଳ ନ୍ୟୁଜ ) ୦୧-୦୯-୨୦୨୬: ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ଦେବା ନିମନ୍ତେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ ଆଜି କଟକ ଜିଲ୍ଲାର ବିଭିନ୍ନ ବ୍ଲକର ୧୯୭ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଯିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦୋସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଉପନିର୍ଦ୍ଦେଶକ ପର୍ଯ୍ୟଟନ, ଶ୍ରୀମତୀ ସୁଜାତା ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରବିନ୍ଦ୍ର ସରକାର ପ୍ରମୁଖ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀମାନେ ୫ଟି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସକାଳ ୯ଟାରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ତୀର୍ଥଯାତ୍ରୀମାନଙ୍କର ପଞ୍ଜିକରଣ ଆରମ୍ଭ ହୋଇଥିଲା । ସେଠାରେ ସେମାନଙ୍କର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ଓ ଦିନ ୩ ଘଟିକା ସମୟରେ ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିଥିଲେ । ପ୍ରକାଶଥାଉକି ଏହି ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ । କଟକ ଜିଲ୍ଳାର ତୀର୍ଥଯାତ୍ରୀଙ୍କ ସହ ୬ଜଣ ଏସକର୍ଟ ଅଫିସର ଯାତ୍ରା କରୁଛନ୍ତି ।
Read More ...

ALL NEWS