କଟକ ( ଉତ୍କଳ ନ୍ୟୁଜ ) ୨୨-୦୮-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକବାସୀ ୨ୟ ଥର ବନ୍ୟାରେ ପ୍ରପିଡୀତ ହେଉଛନ୍ତି । ବିଗତ ଏକ ମାସ ହେଲା ଅଧିକାଂଶ ପଞ୍ଚାୟତ ପାଣି ଘେରରେ । ଘରଦ୍ୱାର ନଷ୍ଟ ହେବା ସହିତ ଚାଷବାସ ଉଜୁଡି ଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଯାଗା ନାହିଁ । ପଲିଥିନ୍ ତଳେ କେତେକ ବସବାସ କରୁଛନ୍ତି । ପ୍ରଥମ ବନ୍ୟା ନସରୁଣୁ ୨ୟ ବନ୍ୟା ଏଯାବତ ଲାଗି ରହିଛି । ଗ୍ରାମରାସ୍ତା ଗୁଡିକରେ ବନ୍ୟା ଜଳ ଲହଡି ମାରୁଛି । ଗାଁ ମଧ୍ୟରେ ବନ୍ୟାଜଳ ପ୍ରବେଶ କରି ରାସ୍ତାଘାଟ ଛାରଖାର କରି ଦେଇଛି । ଖାଇବାକୁ ମିଳୁନି । ସରକାରଙ୍କ ପ୍ରଦତ୍ତ ରିଲିଫ୍ ଭୋକ ମେଣ୍ଟାଇ ପାରୁନି । ଗୃହପାଳିତ ପଶୁଙ୍କ ପାଇଁ ଯାହାବି ମିଳୁଛି ତାହା ସମୂଦ୍ରକୁ ଶଙ୍ଖେ ସଦୃଶ । ରିଲିଫ୍ ପରିଚାଳନା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ସବୁ ପ୍ରକାର କଳବଳ ସରକାରଙ୍କ ପାଖରେ ଥିବା ସତ୍ୱେ ମଧ୍ୟ କାର୍ଯ୍ୟରେ ଲଗାଇବାରେ ସଫଳ ହୋଇ ପାରିନାହାଁନ୍ତି । କେତେକ ସ୍ଥାନରେ ରିଲିଫ୍ ମଧ୍ୟ ଅପହଞ୍ଚ ହୋଇଛି । ଲୋକେ ଏବେବି ପାଣି ଘେରରେ ଅଛନ୍ତି । ଚାଷୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେଲେ ପୁଣି ଥରେ ଚାଷ ହୋଇ ପାରନ୍ତେ । ଜନପ୍ରତିନିଧିମାନଙ୍କୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯିବା ସହିତ ସେମାନଙ୍କ ସୂଚନାକୁ ବି ବିଶ୍ୱାସ ବି କରୁନି । କେଉଁଠି କେତେ ଜନସଂଖ୍ୟା ତାହାବି ସେମାନଙ୍କୁ ଜଣା ନାହିଁ । ନାମକୁ ମାତ୍ର ଚୂଡା ଗୁଡ ଦେଇ ଓଳିଏ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଯେଉଁଥିପାଇଁ ଲୋକେ ହଇରାଣ ହରକତ ହେଉଥିବା ଶନିବାର ମଧ୍ୟାହ୍ନରେ ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ବାସୁଦେବ ବିଧାୟକ ଅଶୋକ କୁମାର ଦାସ ଆମ୍ଭ ପ୍ରତିନିଧିଙ୍କୁ ପ୍ରତିକ୍ରୟାରେ ପ୍ରକାଶ କରିଛନ୍ତି ।

ସିନ୍ଦୋଳ ପଞ୍ଚାୟତ ଅଧିନ ସାଟିଉଟି ମୌଜାର ବଙ୍ଗାଳିପଡା, ନୂଆସାହି ଏବଂ କୋହ୍ଲ ପଞ୍ଚାୟତ ଅଧିନ ସଦରବଳିଆ ଗାଁର ବନ୍ୟା ବିପନ୍ନଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ପ୍ରଶାସନ ନିକଟରେ ସେମାନଙ୍କ ଦାବୀ ଉପସ୍ଥାପନ କରିବେ ବୋଲି କହିଥିଲେ । ରାମଚନ୍ଦ୍ର ମଳିକ, ବିଦ୍ୟାଧର ମଳିକ, ନାଗେଶ୍ୱର ମଳିକ, ଅର୍ଜୁନ ମଳିକ, ଚିନ୍ତାମଣି ମଳିକ, ପ୍ରଶାନ୍ତ ମଳିକ, ସନ୍ତୋଷ ମଳିକ, ଈଶ୍ୱର ମଳିକ, ସୁରେନ୍ଦ୍ର ଦାସ, ସରୋଜ ମଳିକ, ଯଦୁମଣି ମଳିକ, ଜୟରାମ ମଳିକ, ଜଗତ ମଳିକ, କିର୍ତ୍ତନ ଦାସ, କମଳା ଦାସ, ଜଟାଳି ମଳିକ ଓ ଯୁନେତା ଦୀପକ ଦାସ ପ୍ରମୁଖ ଶତାଧିକ ନୂଆସାହି ଗ୍ରାମବାସୀ ପ୍ରଶାସନିକ ଅବହେଳା ସମ୍ପର୍କରେ ବିଧାୟକଙ୍କ ନିକଟରେ ଫେରାଦ୍ ହୋଇଥିଲେ । ବନ୍ୟାରେ କ୍ଷତିଗ୍ରସ୍ତ ଚାଷ ଓ ବାସ ଏବଂ ରାସ୍ତାଘାଟ ମରାମତି ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବିଡିଓ ନିରଞ୍ଜନ ବାରିକଙ୍କ ଭେଟି ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ସହ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି, କରୁଣାକର ନାୟକ, ଶିବ ପ୍ରସାଦ ନାୟକ, ସୌମ୍ୟଗୋପାଳ ନାୟକ, ବିପିନ ବିହାରୀ ପତି, ଗୋରାବାବୁ ସାହା, କରୁଣାକର ମହାରଣା ପ୍ରମୁଖ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |