More News

ତଳଗୋପବିନ୍ଧାରେ ଭାଙ୍ଗିଲା ୬୦ ଫଟ୍‌ର ନାଳିଆ ଆଡିବନ୍ଧ |

କଟକ ( ଉତ୍କଳ ନ୍ୟୁଜ ) ୨୦-୦୮-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପବିନ୍ଧା ପଞ୍ଚାୟତ ଅଧିନ ମାତ୍ତଗଜପୁର ଗ୍ରାମ ନିକଟରେଥିବା ସାଳନ୍ଦୀ ନଦୀର ଶାଖା ନାଳିଆ ନଈରେ ଆଡିବନ୍ଧ ଭାଙ୍ଗି ଯାଇଛି । ଫଳରେ ନଈରେ ୬୦ଫୁଟ ଓସାରର ଘାଇ ସୃଷ୍ଟି ହୋଇ ବନ୍ୟାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପ୍ରବେଶ କରିଛି । ପ୍ରାୟ ୬ହଜାର ଲୋକ ପାଣି ଘେରରେ ରହିଥିବା ଜଣା ଯାଇଛି । ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାତିରେ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କିପରି ନଦୀର ସ୍ରୋତକୁ ରୋକି ହେବ ସେଦିଗରେ ଉଦ୍ୟମ କରିବାକୁ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କୁ ପରାମର୍ଶ ଦେଇଥିଲେ । ଯନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ବିଭାଗୀୟ ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ଘାଇରେ ସ୍ରୋତକୁ ବାଲିବସ୍ତା ସହାୟତାରେ ରୋକିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ନଦୀର ପ୍ରଖର ସ୍ରୋତରେ ବାଲିବସ୍ତା ଭାସି ଯିବାରୁ ନଈରେ ବନ୍ଧ ବାନ୍ଧିବାକୁ ସକ୍ଷମ ହୋଇ ପାରିନଥିଲେ । ବିଭାଗୀୟ ଯନ୍ତ୍ରୀମାନେ ସ୍ରୋତ କମିଲେ ଘାଇ ମରାମତି କରିବେ ବୋଲି କହିଥିଲେ । ନାଳିଆ ନଈରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବା ଫଳରେ ତଳଗୋପବିନ୍ଧା ପଞ୍ଚାୟତର ତଳଗୋପ, ହଟନଗର, ନିଶ୍ଚନ୍ତା, ମାତ୍ତଗଜପୁର, ନାଥପଡ଼ା, ନରସିଂହପୁର, ମାଙ୍କଡ଼କୋଲା, ମିରିପୁର, ପାଇକସାହି, ଖଟୁଆସାହି ପ୍ରମୁଖ ଗ୍ରାମ ଜଳମଗ୍ନ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଆଲିଆ ମୀର: ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ |

କଟକ ( ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୬ ଛୋଟବେଳୁ ପଶୁ ପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଏବଂ କିଛି ପାରିପାର୍ଶିକ ଘଟଣା ପାଇଁ ଆଲିଆ ମୀର ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ । ପରବର୍ତି ସମୟରେ ଲିଙ୍ଗଭିଭିକ ପକ୍ଷପାତ ଓ ସାମାଜିକ ପ୍ରତିବନ୍ଧକତାକୁ ଅତିକ୍ରମ କରି ସେ ଶହ ଶହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି, ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ଭା ପ୍ରଚାର କରି ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି, ଯାହା ତାଙ୍କୁ ନିଜ ଲକ୍ଷ୍ୟ ଦିଗରେ ସଫଳତା ପାଇବା ସହିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବରେ ପରିଚୟ ଆଲିଆ ମୀର କୁହନ୍ତି, "ଆମ ସମାଜ ଏବେ ବି ପୁରୁଷପ୍ରଧାନ, ଯାହା ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ, ବିଶେଷକରି ଏପରି ଏକ ପେଶାରେ, ଯାହାକୁ ଅଧିକାଂଶ ଲୋକ ମହିଳାଙ୍କ ପାଇଁ ଉପଯୁକ୍ତ ବୋଲି ଭାବନ୍ତି ନାହିଁ । ଜଣେ ଉଦ୍ଧାରକାରୀ ଭାବେ କାମ କରୁଥିବା ସମୟରେ ମୋତେ ପ୍ରାୟତଃ ଅଣଦେଖା ଏବଂ ଅପମାନିତ କାରାଯାଇଛି I ମୋର ଏହି ପ୍ରୟାସ ପାଇଁ ଲୋକମାନେ ମତେ ଗୁରୁତ୍ବ ଦେଉନଥିଲେ ଏବଂ ମୋ ପଛରେ ଅନେକ କଟାକ୍ଷ କରି କହୁଥିଲେ ।" ୨୦୦୬ ମସିହା ନଭେମ୍ବର ୧୭ ତାରିଖରେ ଏକ କଳା ଏସିଆଟିକ୍ ଭାଲୁ ଜଙ୍ଗଲରୁ ବାହାରି କାଶ୍ମୀରର ପୁଲୁୱାମା ଜିଲ୍ଲାର ମାଣ୍ଡୋରା ଗାଁ ଭିତରକୁ ପଶି ଆସିଥିଲା । ଶେଷରେ ଉଭ୍ୟକ୍ତ ଲୋକମାନେ ବାଡ଼ି ଓ କାଠ ଦ୍ବାରା ଅସହାୟ ଭାଲୁଟିକୁ ଜୀବନ୍ତ ଜାଳିଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଭାଇରାଲ ହେବା ପରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଅନେକ ସଂଗଠନ ଏହି ନିର୍ମମ ହତ୍ୟାକୁ ତୀବ୍ର ନିନ୍ଦା କରିଥିଲେ । ସେତେବେଳେ ଦିଲ୍ଲୀରେ ରହୁଥ‌ିବା କାଶ୍ମୀର ମହିଳା ଆଲିଆ ମୀର ଏହି ଭଡ଼ିଓ ଦେଖ୍ ଗଭୀର ଭାବରେ ମର୍ମାହତ ହୋଇଥିଲେ କାରଣ ସେ ଛୋଟବେଳୁ ପଶୁପକ୍ଷୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ ଏବଂ ଘଟଣାଟି ତାଙ୍କ ନିଜ ରାଜ୍ୟରେ ଘଟିବା ହିଁ ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ତାଙ୍କ ବାପା ଆହତ ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କ ଯନ୍ତ୍ର ନେଉଥିଲେ । ଆଲିଆ ଓ ତାଙ୍କ ଭାଇଭଉଣୀମାନେ ଏଥିରେ ସହ‌ଯୋଗ କରୁଥିଲେ, ଯେଉଁଥିପାଇଁ ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଓ ମମତା ଜାଗ୍ରତ ହୋଇଥିଲା । ୨୦୦୨ ରେ ତାଙ୍କ ବିବାହ ବନ୍ୟପ୍ରାଣୀ ପଶୁ ଚିକିତ୍ସକ ଡ. ଶବ୍ଦିର ଅହମଦଙ୍କ ସହ ହୋଇଥିଲା । ବିବାହ ପରେ ପଶୁ ପକ୍ଷୀଙ୍କ ପ୍ରତି ତାଙ୍କ ଛୋଟବେଳର ଭଲପାଇବା ଧୀରେ ଧୀରେ ଗଭୀର ଆଗ୍ରହରେ ପରିଣତ ହୋଇଥିଲା ଏବଂ ସେ ଶିକ୍ଷୟତ୍ରୀ ଭାବରେ କାମ କରିବା ସ‌ହିତ Wildlife SOSର ଭେଟେରିନାରୀ ମେଡିକାଲ କ୍ୟମ୍ପରେ ସେଚ୍ଛାସେବୀ ଭାବେ କାମ ଆରମ୍ଭ କରି ତୃଣମୂଳ ସ୍ତରରେ ଅନେକ ବ୍ୟବାହାରିକ ଅଭିଜ୍ଞତା ହାସଲ କରିଥିଲେ । ୨୦୦୬ରେ ଭାଲୁଟିର ନିର୍ମମ ହତ୍ୟା ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଏହି ଘଟଣାରେ ବିଚଳିତ ହୋଇ ସେ ନିଜ ରାଜ୍ୟ କାଶ୍ମୀରକୁ ଫେରି ବନ୍ୟଜନ୍ତୁଙ୍କ. |ସୁରକ୍ଷା ଓ ଉଦ୍ଧାର ପାଇଁ କାମ କରିଥିଲେ । ତାଙ୍କ ସ୍ବାମୀ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ବନ୍ୟ ଜନ୍ତୁ ଉଦ୍ଧାରକୁ ନିଜ ଜୀବନର ଲକ୍ଷ୍ୟ କରିବା ପରେ ସେ ନିଜର ବୈଷୟିକ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିଲେ ଯେଉଁଥିରେ ଆନିମଲ ହେଲଥ୍ ଏବଂ ୱାଇଲଡ୍ ଲାଇଫ୍ କେୟାର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ୨୦୦୭ମସିହାରେ ଆଲିଆ ଦିଲ୍ଲୀରୁ କାଶ୍ମୀର ଫେରିଥିଲେ ଏବଂ Wildlife SOSର ଜାମ୍ମୁ କାଶ୍ମୀରର ପ୍ରକଳ୍ପ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ଷ ବର୍ଷ ଧରି ଆଲିଆ ମୀର କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଶହ ଶହ ସାପ, ଚିତାବାଘ, ଭାଲୁ ଓ ପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ସବୁଠାରୁ ଚର୍ଚ୍ଚିତ ସଫଳତା ମଧ୍ୟରୁ ଗୋଟିଏ ଥିଲା ଏକ ଅତ୍ୟନ୍ତ ବିଷାକ୍ତ ଲେବାଣ୍ଟାଇନ୍ ଭାଇପରକୁ ସୁରକ୍ଷିତ ଭାବେ ଧରିବା । ପ୍ରାୟ ଦୁଇ କିଲୋଗ୍ରାମ ଓଜନର ଏହି ସାପଟି ସେତେବେଳର ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହା ଆଲିଆ ମୀରଙ୍କୁ ସାରା ଦେଶରେ ପରିଚିତ କରିଥିଲା ଏବଂ ଜାତୀୟସ୍ତରରେ ଖବରର ଶିରୋନାମା ପାଲଟିଥିଲେ । ବର୍ତ୍ତମାନ ଆଲିଆ ମୀର Wildlife SOSର ଜାମ୍ମୁ ଓ କାଶ୍ମୀର ପ୍ରକଳ୍ପର ମୂଖ୍ୟ ଏବଂ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନିୟମିତ ଭାବେ ଗାଁ ଗୁଡ଼ିକୁ ଯାଇ ବନ୍ୟଜନ୍ତୁ ନିକଟସ୍ଥ ଅଞ୍ଚଳରେ ଦେଖାଗଲେ କିପରି ପ୍ରତିକ୍ରିୟା କରିବାକୁ ହେବ, ସେ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରନ୍ତି । ୨୦୨୩ ମସିହା ମାର୍ଚ୍ଚ ମାସରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ପାଇଁ ଜାମ୍ମୁ ଓ କାଶ୍ମୀର ସରକାର ତାଙ୍କୁ ସମ୍ମାନଜନକ ୱାଇଲଡଲାଇଫ୍ କନଜରଭେସନ୍ ଆୱାର୍ଡରେ ସମ୍ମାନିତ କରିଥିଲେ । ନିଜର ଦୃଢ଼ ସଂକଳ୍ପ ଓ ଅଦମ୍ୟ ଇଚ୍ଛାଶକ୍ତି ଦ୍ଵାରା ଆଲିଆ ମୀର ପ୍ରମାଣ କରିଛନ୍ତି ଯେ ପାରମ୍ପରିକ ଭାବେ ପୁରୁଷଙ୍କ ପାଇଁ ଉପଯୁକ୍ତ ବୋଲି ଧରାଯାଉଥିବା ବିପଦପୂର୍ଣ୍ଣ ପେଶାଗୁଡ଼ିକୁ ମହିଳାମାନେ ମଧ୍ୟ ସମାନ ଦକ୍ଷତା ଓ ନିଷ୍ଠାର ସହିତ କରିପାରିବେ । (ଆଫ୍ରୋଜ ଖାନ୍ ନିଉ)
Read More ...

ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ: ରାଜ୍ୟପାଳ |

କଟକ ( ଉତ୍କଳ ନ୍ୟୁଜ ). ୧୧-୦୮-୨୦୨୬ : ଅଗଷ୍ଟ ୧୦: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ଏତତବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସୋମବାର ଦିନ ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶାର ଭବିଷ୍ୟତକୁ କେବଳ ଉତ୍ତରାଧିକାର ସୂତ୍ରରେ ନେବାକୁ ଯୁବପିଢ଼ି ଆବଶ୍ୟକ ନୁହେଁ ବରଂ ନିଜ ହାତରେ ଭବିଷ୍ୟତ ଗଢ଼ିବାକୁ ସକ୍ଷମ ଯୁବଶକ୍ତି ଆବଶ୍ୟକ। ରାଜ୍ୟପାଳ କହିଥିଲେ ଯେ, ଗତବର୍ଷ ସମାରୋହରେ ସେ ଯୁବପିଢ଼ିଙ୍କୁ ଜଳବାୟୁ ସହନଶୀଳତାର ନିର୍ମାତା ହେବାକୁ ଆହ୍ୱାନ ଜଣାଇ ଥିଲେ। ଏବେ ସେହି ଆହ୍ୱାନକୁ ଆହୁରି ଆଗକୁ ନେଇ ଯୁବପିଢ଼ିଙ୍କୁ କେବଳ ନୀତିର ନିଷ୍କ୍ରିୟ ଗ୍ରହୀତା ନୁହେଁ, ବରଂ ସମାଧାନର ସ୍ଥପତି ହେବାକୁ ପଡ଼ିବ। ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିପାରିଲେ ବିକଶିତ ଭାରତ @୨୦୪୭ ର ଲକ୍ଷ୍ୟ ବାସ୍ତବ ରୂପ ନେବ ବୋଲି ରାଜ୍ୟପାଳ କହିଥିଲେ।ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ନୁହେଁ ବୋଲି ଦର୍ଶାଇ ରାଜ୍ୟପାଳ କହିଥିଲେ ଯେ,ଗ୍ରୀଷ୍ମପ୍ରବାହ, ଅନିୟମିତ ବର୍ଷା, ବନ୍ୟା, ବାତ୍ୟା ଓ ସମୁଦ୍ର ପତ୍ତନ ବୃଦ୍ଧି ଚାଷ ଓ ଜୀବିକାକୁ ପ୍ରଭାବିତ କରୁଛି। ତେଣୁ ଜଳବାୟୁ ସହନଶୀଳତା କେବଳ ପରିବେଶ ସୁରକ୍ଷାର ଦାୟିତ୍ୱ ନୁହେଁ, ଏହା ମାନବୀୟ ମର୍ଯ୍ୟାଦା ଓ ଆଗାମୀ ପିଢ଼ି ପ୍ରତି ଦାୟିତ୍ୱ ବୋଲି କହିଥିଲେ। ବାତ୍ୟା ଓ ବନ୍ୟା ମୁକାବିଲାରେ ଓଡ଼ିଶାର ଅଭିଜ୍ଞତା, ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏବେ କେବଳ ବିପର୍ଯ୍ୟୟ ପ୍ରସ୍ତୁତିରେ ସୀମିତ ନ ରହି ଜଳବାୟୁ ସହନଶୀଳ ସମୁଦାୟ ଗଠନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଫୁଲବାଣୀରେ ସିଡ୍‌ ବଲ କାର୍ଯ୍ୟକ୍ରମ, ଜଟଣୀ ଓ ଖଲ୍ଲିକୋଟରେ ବୃକ୍ଷରୋପଣ, ପୁରୀରେ ବ୍ଲୁ ଫ୍ଲାଗ ବିଚ ପଦକ୍ଷେପ ଏବଂ ଶିମିଳିପାଳରେ ଜଳବାୟୁ ସଚେତନତା ଭଳି ଯୁବନେତୃତ୍ୱାଧୀନ ପଦକ୍ଷେପ କିପରି ବ୍ୟାପକ ପରିବର୍ତ୍ତନ ଆଣିପାରେ ଏହା ତାହାର ଉଦାହରଣ ବୋଲି ରାଜ୍ୟପାଳ କହିଥିଲେ। ୩-ଆର ନୀତି Reduce, Reuse and ରେଚଞ୍ଚଳେ ର ସହ ‘ମିଶନ ଲାଇଫ ’କୁ ଜୀବନଶୈଳୀର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। Mission 30 by 30 ର ଆହ୍ୱାନ ଦେଇ ରାଜ୍ୟପାଳ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯୁବପିଢ଼ିଙ୍କୁ କହିବା ସହ ସ୍ଥାନୀୟ ଜ୍ଞାନକୌଶଳ ସହ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ଜିଲ୍ଲାଭିତ୍ତିକ ପରିବେଶ ସମସ୍ୟାର ସମାଧାନ ଖୋଜିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ତିନିଦିନିଆ ୟୁଥ୍ ପାର୍ଲାମେଣ୍ଟ ଓ ଜିଲ୍ଲାସ୍ତରୀୟ ଆଲୋଚନାରେ କେବଳ ସମସ୍ୟା ଉପରେ ଚର୍ଚ୍ଚା ନକରି ସମାଧାନର ରୂପରେଖ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ କହିଥିଲେ।
ଏହି କାର୍ଯ୍ୟକ୍ରମରୁ ଯୁବପିଢ଼ି ସ୍ଥାୟୀତ୍ୱର ଦୂତ, ଜଳବାୟୁ ସହନଶୀଳତାର ଚାମ୍ପିଅନ ଓ ପରିବର୍ତ୍ତନର ପ୍ରତିନିଧି ଭାବେ ଉଭା ହୁଅନ୍ତୁ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ। ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ପ୍ରସଙ୍ଗରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ସ୍ଥାୟୀ ଜୀବନଶୈଳୀ ଭାରତର ଶକ୍ତି ସୁରକ୍ଷା ସହ ଜଡ଼ିତ। ସ୍ଥାୟୀ ଯାତାୟାତକୁ ପ୍ରୋତ୍ସାହନ ଦେବା ସହ ଧୀରେ ଧୀରେ ବୈଦ୍ୟୁତିକ ଯାନ ଆପଣାଇବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ। ଏହାଦ୍ୱାରା ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବା ସହ ଶକ୍ତି ସୁରକ୍ଷା ବଢ଼ିବ ଏବଂ ବିଦେଶୀ ମୁଦ୍ରା ଉପରେ ଚାପ ହ୍ରାସ ପାଇବ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କ ସରକାରୀ କାରକେଡରେ ବୈଦ୍ୟୁତିକ ଯାନ ସାମିଲ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ. ଫାଦର କେ. ଏସ୍. କାସିମିର୍ ଏସ୍‌ଜେ, ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍ ମ୍ୟାନେଜର ତଥା ESG ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ମଧ୍ୟ ଉଦବୋଧନ ଦେଇଥିଲେ। ୟୁନିସେଫ୍ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Read More ...

ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମ୍ମିଳନୀ |

କଟକ ( ଉତ୍କଳ ନ୍ୟୁଜ ) ୨.୦୭.୨୦୨୬ : ଭାରତ ସରକାରଙ୍କ “ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ)” ଯୋଜନା ୧ ଜୁଲାଇ ଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଯୋଜନାର ଜିଲ୍ଲାସ୍ତରୀୟ ସମ୍ମିଳନୀ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ଏହି ଯୋଜନାରେ ଜଳ ସୁରକ୍ଷା , ଗ୍ରାମୀଣ ମୌଳିକ ଭିତ୍ତିଭୂମିର ବିକାଶ, ଜୀବିକାରେ ଉନ୍ନତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଭଳି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହ ପ୍ରତ୍ୟେକ ହିତାଧିକାରୀଙ୍କୁ ପୂର୍ବ ଅପେକ୍ଷା ଅଧିକ ଦୈନିକ ମଜୁରି ସହ ବର୍ଷକୁ ୧୨୫ ଦିନର ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ କରାଯିବ । ପୂର୍ବରୁ ଚାଲିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ “ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ)” ଯୋଜନାର ଉଦ୍ଦେଶ୍ୟ ଓ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଅଧକ୍ଷ ଶ୍ରୀ ଆଶିଷ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଏହି ଯୋଜନା ଗ୍ରାମୀଣଅଞ୍ଚଳର ବିକାଶ କରିବା ସହ ଜିଲ୍ଲାର ଉନ୍ନତିରେ ମଧ୍ୟ ସହାୟକ ହେବ ।
ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ବନ୍ଧୁଚରଣ ସାହୁ ଯୋଗଦେଇ ସରକାରଙ୍କର ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାପରିଷଦ କାର୍ଯ୍ୟଳୟର ସମସ୍ତ କର୍ମଚାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ,ଜବକାର୍ଡଧାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାସନ ଶ୍ରୀମତୀ ବନ୍ଦନା ଖଟୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ,ରାଜ୍ୟ ସରକାର, ବିହନ ବୁଣା ଏବଂ ଅମଳ ସମୟରେ ମୋଟ ୬୦ଦିନ ପାଇଁ କାମ ବିରତି କରିପାରିବେ, ଯାହା ଦ୍ଵାରା କୃଷି କ୍ଷେତ୍ରରେ ଶ୍ରମିକ ଉପଲବ୍ଧତା ସୁନିଶ୍ଚିତ କରାଯାଇପାରିବ । ସମସ୍ତ କାର୍ଯ୍ୟ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଟ୍ରାକିଂ ସିଷ୍ଟମ ମାଧ୍ୟମରେ ଡିଜିଟାଲ ମ୍ୟାପିଙ୍ଗ କରାଯିବ ।

Read More ...

ଝିଙ୍କିରିଆ ଗ୍ରାମରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ |

କଟକ ( ଉତ୍କଳ ନ୍ୟୁଜ ) ୩-୦୪-୨୦୨୬: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆରେ ଶହେ ବର୍ଷର ଶ୍ରୀରାମ ନବମୀ ଉତ୍ସବ ପରମ୍ପରା । ବେଶ ଧୂମଧାମରେ ପାଳିତ ହେଉଥିବା ଉକ୍ତ ଉତ୍ସବରେ ଶ୍ରଦ୍ଧାଳୁ ଭିଡ ଜମିଥାଏ ଏବଂ ସମସ୍ତେ ପ୍ରସାଦ ସେବନ ମଧ୍ୟ କରିଥାନ୍ତି । ତେବେ ଗୁରୁବାର ଗୋଧୂଳିବେଳାରେ ଗୀତାଯଜ୍ଞ ପୂର୍ଣ୍ଣାହୂତି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଚରୂ ଅନ୍ନ ଓ ପ୍ରସାଦ ସେବନ କରି ଶ୍ରଦ୍ଧାଳୁମାନେ ସାନିଦ୍ଧ୍ୟଲାଭ କରିଥିବା ଜଣାଯାଇଛି । ଶହେ ଉର୍ଦ୍ଧ ବର୍ଷ ଧରି ଏହି ଗାଁରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଅଛି । ସବୁଠୁ ବଡ କଥା ହେଉଛି ବିଗତ ୩୭ ବର୍ଷ ଧରି ମୃଣ୍ମୟୀ ମୂର୍ତ୍ତୀ ସ୍ôଥାପନ କରାଯାଇ ପୂଜା ପାଳନ କରାଯାଉଛି । କଳସ ଶୋଭାଯାତ୍ରା ପରେ ପୂଜାରମ୍ଭ ହୋଇଥିଲା । ଗୀତା ଯଜ୍ଞ, ପାଲା ପରିବେଷଣ ଓ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଠାରେ ସୂଚନା ଥାଉକି, ଏହି ଗ୍ରାମର ପ୍ରାୟ ୮ ଶହ ବର୍ଷ ପୂର୍ବେ ପାତାଳି ସଂକଟମୋଚନ ହନୁମାନଙ୍କ ଆବିର୍ଭାବ ହୋଇଥିଲା । ଜଣେ ଗ୍ରାମବାସୀ ଏହି ମନ୍ଦିର ପାଶ୍ୱର୍ରେ ଏକ ଗର୍ତ୍ତ ଖୋଳୁଥିବା ବେଳେ ମନ୍ଦିର ଭିତରୁ ଗର୍ଜନ ଶୁଣିବାକୁ ମିଳିଥିଲା । ଯେଉଁଥିପାଇଁ ମନ୍ଦିରର ଉନ୍ନତୀକରଣ କରିବାକୁ କେହି ସାହସ କରୁନାହାନ୍ତି । ପରବର୍ତ୍ତୀ ସମୟରେ ପ୍ରାୟ ଶହେ ବର୍ଷ ପୂର୍ବେ ଶ୍ରୀରାମଙ୍କ ପୂଜା ଆରମ୍ଭ ହୋଇଥିଲା । ପ୍ରଥମେ ଗ୍ରାମର ଭାଗବତ ସାହୁ, ପ୍ରଭାକର ପତି, ମାୟାଧର ସାହୁ, ହରିହର ପଣ୍ଡା, ପ୍ରମୁଖ ଶ୍ରୀରାମ ପୂଜା ଏକ ଚାଳ ଛପର ଘରେ ଆରମ୍ଭ କରିଥିଲେ । ଗ୍ରାମର ଅମୂଲ୍ୟ ଜେନା ଶ୍ରୀରାମଙ୍କ ପୂଜାରେ କର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଜେନାଙ୍କ କର୍ତ୍ତା କାର୍ଯ୍ୟ ସମାପନ ପରେ ସେ ୨୫ ବର୍ଷ ପୂର୍ବେ ଗୀତା ଯଜ୍ଞ ଆରମ୍ଭ କରିଥିଲେ । ଯଜ୍ଞର କର୍ତ୍ତା ଭାବେ ଗ୍ରାମର ସୁକାନ୍ତ ସାହୁ, ଶ୍ରୀରାମଙ୍କ ପୂଜାରେ କର୍ତ୍ତାଭାବେ ଧିରେନ୍ଦ୍ର ସାହୁ, ମୁଖ୍ୟ ପୂଜକ ଭାବେ ଜନ୍ମେଜୟ ସାମନ୍ତ, ଗୟାଧର ପଣ୍ଡା, ରାମକୃଷ୍ଣ ସାମନ୍ତ, ବିମଳ କୁମାର ସାମନ୍ତ, ମାଧବାନନ୍ଦ ମିଶ୍ର, ଶୁକଦେବ ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ବେଳେ କମିଟିର ସଭାପତି ଚିନ୍ତାମଣି ଦାସ, ଯାମିନୀକାନ୍ତ ପାଢୀ, ବିରେନ୍ଦ୍ର ସାହୁ, ପଦ୍ମଲୋଚନ ପତି, ସୁଶାନ୍ତ ବାରିକ, ରଘୁନାଥ ପତି, ସୁଧାଂଶୁ ଶେଖର ନାୟକ, ଶୁଭେନ୍ଦୁ ସାହୁ, ବିପ୍ଳବ ରଞ୍ଜନ ପତି, ଦେବାଶିଶ ଜେନା, ସଂଗ୍ରାମ ସଂଜିବନୀ ପତି, ନିତ୍ୟେସ୍ମିତ ପତି, ଭାଗବତ ସାହୁ, ରଞ୍ଜନ ଜେନା, କୁମାର ସ୍ଥିତପ୍ରଜ୍ଞ, ବିକ୍ରମ ରାଉଳ, ଭୁବନ ମୋହନ ମହାରଣା, ମହେଶ୍ୱର ବାରିକ, ଚନ୍ଦ୍ରମଣି ତ୍ରିପାଠୀ, କମଳାକାନ୍ତ ମହାଳିକ, ବିବେକାନନ୍ଦ ପତି, ଚକ୍ରଧର ଦାସ ଓ ସନ୍ତୋଷ ବାରିକ ପ୍ରମୁଖ ଗ୍ରାମବାସୀ ଓ ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରଭୁ ଶ୍ରୀରାମ ଓ ପାତାଳି ହନୁମାନଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରି ସାନିଦ୍ଧ୍ୟଲାଭ କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

କଟକରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ୍ ନାଏକଙ୍କ ଦ୍ଵାରା ମହିଳା ସଶକ୍ତିକରଣ ଏବଂ ମାନବ ଚାଲାଣ ରୋକିବା ଉପରେ ଏକ ରେଞ୍ଜ୍ ସ୍ତରୀୟ କର୍ମଶାଳା ଉଦଘାଟିତ |

କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୬ : ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନଗତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ‘ମହିଳା ସଶକ୍ତିକରଣ’ ଏବଂ ମାନବ ଚାଲାଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏକ ରେଞ୍ଜ୍ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜି ଡଃ ସତ୍ୟଜିତ୍ ନାଏକ, ଆଇପିଏସ୍, ବିନିତ ଅଗ୍ରୱାଲ, ଆଇପିଏସ, କଟକ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ୍ ଅଧିକାରୀ, କ୍ଷେତ୍ର କର୍ମଚାରୀ ଏବଂ ବିଭିନ୍ନ ଅଂଶୀଦାରମାନେ ଯୋଗଦେଇ ମହିଳା ଶୋଷଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଡଃ ନାଏକ କହିଥିଲେ ଯେ, ମହିଳା ସଶକ୍ତିକରଣ ଏବଂ ମାନବ ଚାଲାଣର ନିରାକରଣ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ମହିଳାମାନେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶର ମେରୁଦଣ୍ଡ ହୋଇଥିବାବେଳେ ସେମାନେ ଏବେ ମଧ୍ୟ ଅସମାନତା, ଶିକ୍ଷାର ଅଭାବ ଏବଂ ଶାରୀରିକ ହିଂସା ଭଳି ଆହ୍ଵାନର ସମ୍ମୁଖୀନ ହେଉଛନ୍ତି। ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ଯେ, ମାନବ ଚାଲାଣ ମାନବୀୟ ମର୍ଯ୍ୟାଦାର ଏକ ଗୁରୁତର ଉଲ୍ଲଂଘନ। ବଳପ୍ରୟୋଗ, ପ୍ରତାରଣା ବା ଜାଲିଆତି ମାଧ୍ୟମରେ ମହିଳା ଓ ଶିଶୁମାନଙ୍କୁ ଶ୍ରମିକ ଭାବେ ବ୍ୟବହାର କରିବା କିମ୍ବା ଯୌନ ନିର୍ଯାତନା ଦେବା ପାଇଁ ଚାଲାଣ କରାଯାଇଥାଏ। ଦାରିଦ୍ର୍ୟ, ବେକାରୀ ଏବଂ ଜାଲ୍ ଏଜେଣ୍ଟମାନଙ୍କ ଉପରେ ଅନ୍ଧବିଶ୍ଵାସ ଏହି ଜଘନ୍ୟ ଅପରାଧର ମୁଖ୍ୟ କାରଣ ସାଜିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ୍ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS), ଅନୈତିକ ମାନବ ଚାଲାଣ (ନିବାରଣ) ଅଧିନିୟମ (ITPA) ଏବଂ ପକ୍ସୋ (POCSO) ଆଇନର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଥିଲା। ଏହି ବିପଦକୁ ପ୍ରତିହତ କରିବା ପାଇଁ ପୋଲିସ୍ ବିଭାଗ ପକ୍ଷରୁ ଆଣ୍ଟି ହ୍ୟୁମ୍ୟାନ୍ ଟ୍ରାଫିକିଂ ୟୁନିଟ୍ (AHTUs) କୁ ସଶକ୍ତ କରାଯିବା ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨ ଏବଂ ଚାଇଲ୍ଡ ହେଲ୍ପଲାଇନ ୧୦୯୮ କୁ ସକ୍ରିୟ କରାଯାଇଛି। ଶେଷରେ କୁହାଯାଇଥିଲା ଯେ, କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ଏଥିପାଇଁ ସାମାଜିକ ସହଭାଗିତା ମଧ୍ୟ ଅପରିହାର୍ଯ୍ୟ। ଶିକ୍ଷା ଏବଂ ଆର୍ଥିକ ସ୍ଵାଧୀନତା ଦ୍ଵାରା ହିଁ ପ୍ରକୃତ ସଶକ୍ତିକରଣ ସମ୍ଭବ, ଯାହା ମାନବ ଚାଲାଣ ରୋକିବାରେ ଏକ ବଡ଼ ଅସ୍ତ୍ର ସାଜିବ। କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବା ଜାଲ୍ ଏଜେଣ୍ଟଙ୍କ ବିଷୟରେ ପୋଲିସକୁ ସୂଚନା ଦେବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। “ମାନବ ଚାଲାଣ ରୋକନ୍ତୁ, ମହିଳାଙ୍କୁ ସଶକ୍ତ କରନ୍ତୁ ଏବଂ ଏକ ସୁରକ୍ଷିତ ସମାଜ ଗଠନ କରନ୍ତୁ” – ଏହି ସଂକଳ୍ପ ସହ କଟକ ଗ୍ରାମାଞ୍ଚଳ ପୋଲିସ୍ ଏହି ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଛି।
Read More ...

ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ |

କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : ପ୍ରତିବର୍ଷ ପରି ଚଳିତ ବର୍ଷ ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ଦ୍ୱାଦଶତମ ବିଜୟା ଦଶମୀ ମହୋତ୍ସବ ସମାରୋହରେ ପାଳିତ ହେବ । ଏ ନେଇ ପ୍ରଶାସନ ତରଫରୁ ତିହିଡ଼ି ବ୍ଲକ ସଭାଗୃହ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମିତିର ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜୀବି, ଜନସାଧାରଣ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡ଼ି ବିଡିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ ପ୍ରଭାସ ସାହୁ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମ ନବମୀ ସମିତି ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ, ରଘୁନାଥ ପାତ୍ର, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅଜୟ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶ୍ରୀରାମଙ୍କ ପ୍ରଜ୍ଞାପନ ମେଢ଼ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଦଶମୀ ଦିନ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ମହିଳା ଦର୍ଶକମାନଙ୍କର ସୁରକ୍ଷା, ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା, ବିଭିନ୍ନ ଦିବସରେ ଗଣଦୌଡ଼, ବାଇକ ଶୋଭାଯାତ୍ରା, ବାଲ ବଜରଂଗୀ ଶୋଭାଯାତ୍ରା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଡିଜେରେ ଭାଇବ୍ରେଟର ଲାଗିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି । ପ୍ରଜ୍ଞାପନ ମେଢ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏତତ୍ ବ୍ୟତିତ ମେଢରେ ଆସୁଥିବା ଭକ୍ତମାନେ ଅଥବା ଦର୍ଶକମାନେ ଯେପରି ମଦ ପିଇ ବିଶୃଙ୍ଖଳା ନକରିନ୍ତି ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ମେଢ଼ ଗୁଡ଼ିକ ଉଚ୍ଚତା ୧୮ ରୁ ୨୦ ଫୁଟ ଭିତରେ ସୀମିତ ରଖିବାକୁ ପରାମର୍ଶ ଦିଆ ଯାଇଥିଲା । ସବୁଠାରୁ ବଡ଼ ପ୍ରସଙ୍ଗ ରହିଥିଲା ଯେ ସନ୍ଧ୍ୟାସୁଦ୍ଧା କିପରି ମେଢ଼ ଗୁଡ଼ିକର ଶୋଭାଯାତ୍ରା ଆରମ୍ଭ ହୋଇଯିବ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ନିରାଶ ନହୋଇ ଫେରନ୍ତି ସେଥିପ୍ରତି ମେଢ଼ ଆଣୁଥିବା ସଂଗଠନ ଗୁଡ଼ିକ ଯତ୍ନବାନ ହେବା ଉଚିତ । ତିହିଡ଼ି ବଜାରରେ କାର୍ଯ୍ୟାଧିନ ଡ୍ରେନ ନିର୍ମାଣ ସ୍ଥଗିତ ରଖିବା ସହ ଯେଉଁ ଅଂଶ ଖୋଳା ଯାଇଛି ସେ ଗୁଡ଼ିକୁ ଢ଼ାଙ୍କିବାର ବ୍ୟବସ୍ଥା କରିବା ପାଇଁ ଠିକାଦାରଙ୍କୁ ସୂଚନା ଦିଆଯିବ । ସେହିପରି ତିହିଡ଼ି ବଜାରରେ ଆଲୋକୀକରଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ଅଗ୍ନିଶମ ବିଭାଗର ଉପସ୍ଥିତି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ମେଡିକାଲ ପକ୍ଷରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତିୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଥିଲେ । ବିଏସଏସଓ ନିହାର ରଞ୍ଜନ ରାଉତ,ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଶ୍ୱଜିତ ବେହେରା, ପି ହୃଷିକେଶ, ଚନ୍ଦ୍ରକାନ୍ତ ମହାନ୍ତି, ଦେବେନ୍ଦ୍ର ପୁହାଣ, କେଶବ ବେହେରା, ସଂଗ୍ରାମ ଦାସ, ନିଶିକାନ୍ତ ଭଟରାୟ, ସରୋଜ ନାୟକ, ରବିନ୍ଦ୍ର ଦାସ, ବିଭୂତି ଭୂଷଣ ସେନାପତି, ନିତ୍ୟାନନ୍ଦ ମଲ୍ଲିକ, ଶୁକଦେବ ମଲିକ, ଧୀରେନ୍ଦ୍ର ସାହୁ, ତପୁନ ପାଣି, ପ୍ରମୋଦ ଦାସ, କୃତ୍ତିବାସ ଜେନା, ପ୍ରିୟବନ୍ଧୁ ମାଝୀ, ରାଜିବ ନାୟକ, ଅଭିରାମ ଦାସ, ବିରେନ ସେନାପତି, ତପନ ପାଢ଼ୀ, କୈଳାଶ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ସାହୁ, ରଘୁନାଥ ମଳିକ ଓ ଧର୍ମାନନ୍ଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଇମ୍ଫା ଚୌଦ୍ୱାର ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ଅନୁଷ୍ଠିତ |

ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୧ -୦୩-୨୦୨୬ : ସୁରକ୍ଷା, କଲ୍ୟାଣ ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଚୌଦ୍ୱାରସ୍ଥିତ ଇମ୍ଫା ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଜୋନ୍-୧ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ଇଂ ସୁଧାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ବାର୍ଷିକ ସୁରକ୍ଷା ବିବରଣୀ ଉପସ୍ଥାପନ କରିବା ସହ ଉଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ଦିଗରେ କାରଖାନାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ।
ସୁରକ୍ଷା ସଚେତନତା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀ, ଶ୍ରମିକ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୈନନ୍ଦିନ ଜୀବନରେ ସୁରକ୍ଷାର ଗୁରୁତ୍ୱକୁ ବୁଝାଇବା ପାଇଁ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଶେଷରେ, ଇମ୍ଫାର ମାନବସମ୍ବଳ ପ୍ରବନ୍ଧକ ତଥା ଜାତୀୟ ସୁରକ୍ଷା ସପ୍ତାହ-୨୦୨୬ର ମୁଖ୍ୟ ସମନ୍ୱୟକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କରିବା ସହ ଏକ ସୁଦୃଢ଼ ସୁରକ୍ଷା ସଂସ୍କୃତି ଗଠନରେ ସମସ୍ତଙ୍କ ସହଯୋଗ ଓ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ।

Read More ...

ମଦର ବହୁଳ ପ୍ରସାର ପାଇଁ ଟେଟ୍ରା ପ୍ୟାକ୍ ବିରୁଦ୍ଧରେ ଏଆଇଏମଏସଏସ ପକ୍ଷରୁ ବିକ୍ଷୋଭ |

କଟକ (ଉତ୍କଳ ନ୍ୟୁଜ ) ୬-୦୩-୨୦୨୬: ଟେଟ୍ରା ପ୍ୟାକ୍ ମଦ ପ୍ରସାର ବନ୍ଦ ସହ ମଦକୁ ସଂପୂର୍ଣ୍ଣ ନିଶିଦ୍ଧ କରିବା ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଆଇଏମଏସଏସ ପକ୍ଷରୁ ଟେଟ୍ରା ପ୍ୟାକ୍ ମଦ ବନ୍ଦ ଦାବିରେ ରାଜ୍ଯ ବ୍ୟାପି ପ୍ରତିବାଦ ଦିବସ ପାଳନ କରାଯାଉଛି। ବିଜେପି ଦଳ ନିର୍ବାଚନ ସମୟରେ ଓ ନିର୍ବାଚିତ ପରେ ଘୋଷଣା କରିଥିଲା ରାଜ୍ଯ କୁ ୨୦୨୪ ଅଗଷ୍ଟ ୧୫ ଠାରୁ ସଂପୂର୍ଣ୍ଣ ମଦ ମୁକ୍ତ ରାଜ୍ଯ କରିବେ। ଅତ୍ଯନ୍ତ ପରିତାପର ବିଷୟ ଏହି କି ଯେ ରାଜ୍ଯ ସରକାର ମଦ ମୁକ୍ତ କରିବାତ ଦୁରର କଥା ଟେଟ୍ରା ପ୍ୟାକ୍ ମଦ ପ୍ରଚଳିତ କରି ରାଜ୍ଯରେ ମଦ ବନ୍ୟା କରିବା ଯୋଜନା କରିଛନ୍ତି। କାଗଜ ଡବାରେ (ଟେଟ୍ରା ପ୍ୟାକ୍) ମଦ ମିଳିଲେ ଗାଁରୁ ସହର ବିଭିନ୍ନ ଛକ ବଜାର, ରାସ୍ତା କଡ, ଜାତାୟତ କରୁଥିବା ଲୋକ ମାନେ ଓ କୋମଳମତି ଛାତ୍ରମାନେ ବ୍ୟାଗ୍ ରେ ଅନାୟାସରେ ନେଇପାରିବେ ଏବଂ ନିଶାଗ୍ରସ୍ତ ହୋଇପାରିବେ। ସରକାର କେବଳ ଅବକାରୀ ଶୁଳ୍କ ପାଇଁ ଜନସାଧାରଣଙ୍କୁ ନିଶାଗ୍ରସ୍ତ କରୁନାଁହାନ୍ତି ଅସଲ ଉଦେଶ୍ଯ ଲୋକ ନିଶାଗ୍ରସ୍ତ ହେଲେ ସରକାରଙ୍କ ଜନବିରୋଧୀ ନୀତି ଓ ବିଭିନ୍ନ ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତୋଳନ କରିବେ ନାହିଁ। ସରକାରଙ୍କ ହୀନ ଷଡ଼ୟନ୍ତ୍ର ବିରୁଦ୍ଧରେ ଏହା ସହିତ ରାଜ୍ଯର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ଯନ୍ତ ଉଦବେଗଜନକ ପହଞ୍ଚିଛି ଫଳରେ ନାରୀ, ଛାତ୍ରୀ, ଓ ଶିଶୁ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ଯା ଭଳି ଜଘନ୍ଯ ଅପରାଧ ବଢିଚାଲିଛି। ଏହାର ନିରାକରଣ, ଟେଟ୍ରା ପ୍ୟାକ୍ ମଦ ବନ୍ଦ, ମଦ ଡ୍ରଗ୍ସ ଓ ସମସ୍ତ ନିଶାଦ୍ରବ୍ୟ ନିଶିଦ୍ଧ ଛାତ୍ରୀ, ଶିଶୁ ଓ ନାରୀମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ବିକ୍ଷୋଭକାରୀମାନେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦେଇଥିଲେ। ଏଆଇଏମଏସଏସ ଜିଲ୍ଲା ସଭାନେତ୍ରୀ ମାଳବିକା ସାମଲ, ସଂପାଦିକା ସ୍ୱାଧିନୀ ବେହେରା, ଉପ ସଭାନେତ୍ରୀ ସିପ୍ରା ମହାନ୍ତି, ନାରୀନେତ୍ରୀ ମନୋସ୍ୱିନୀ ପ୍ରଧାନ, ଜୋତ୍ସାମୟୀ ଦାଶ, ସୁଜାତା ମହାପାତ୍ର, ମାଧବୀଲତା ଚାତାର, ଶ୍ରଦ୍ଧାଞ୍ଜଳି ପାତ୍ର, ମାନି ବେହେରା, ନମିତା ବେହେରା, ବିରେନ ବଦ୍ରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ।
Read More ...

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ପାରାଦ୍ଵୀପ ଗସ୍ତ ନେଇ ସମୀକ୍ଷା |

କଟକ ( ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୬ : ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ପାରାଦ୍ଵୀପ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ଯ ପୋଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ଇଫକୋ କର୍ତ୍ତୃପକ୍ଷଙ୍କ ସହ ହେଲିପ୍ଯାଡ଼୍, ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ କଣ୍ଟ୍ରୋଲ୍ ରୁମ୍ ଓ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥାର ଅନୁଧ୍ୟାନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ
Read More ...

ନୂଆଦିଲ୍ଲୀ ରେ ଓଡ଼ିଶା ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କଟକ ( ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୬: ଆଜି ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ଓଡ଼ିଶା ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଭବନ କେବଳ ଏକ ସରକାରୀ ଭବନ ନୁହେଁ ବରଂ ଜାତୀୟ ରାଜଧାନୀରେ ଓଡ଼ିଆ ଅସ୍ମିତାକୁ ଏହା ଏକ ନୂତନ ପରିଚୟ ପ୍ରଦାନ କରିବା ସହ ପ୍ରବାସୀ ଓଡ଼ିଆ ଏବଂ ରାଜ୍ୟବାସୀଙ୍କ ପାଇଁ ଏକ ଆତ୍ମୀୟତାର କେନ୍ଦ୍ର ପାଲଟିବ ।
Read More ...

କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ |

କଟକ ( ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୬ : ରିଖ ସିଡିଏ ସେକ୍ଟର ୬ ସ୍ଥିତ ବ୍ଲକ୍ ୭ ଠାରେ କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମ୍ୟୁନିସିପାଲିଟିର ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଇକ୍ବୋଣ୍ଡ ଆସୋସିଏସନ୍ ସଭାପତି କୃଷ୍ଣ ଚନ୍ଦ୍ର ଦାସ,କଟକ ଜିଲ୍ଲା ଟାଇକ୍ବାଣ୍ଡୋ ସ୍ପୋର୍ଟସ ଆସୋସିଏସନ୍ ସମ୍ପାଦକ ସୁଦୀପ୍ତା ନନ୍ଦ, କଟକ ଜିଲ୍ଲା ଟାଇକ୍ବାଣ୍ଡୋ ସ୍ପୋର୍ଟସ ଆସୋସିଏସନ୍ ଉପ ସଭାପତି ଚନ୍ଦନ କୁମାର ସାହୁ ସହିତ ସିଡିଏ ସେକ୍ଟର ୬ ଓ୍ବାର୍ଡ କର୍ପୋରେଟର ରୀତାଞ୍ଜଳି ବେହେରା ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମାଁ ତାରିଣୀ ମନ୍ଦିର ଉନ୍ନୟନ ପରିଷଦ ସଭାପତି ବିଭୁ ପ୍ରସାଦ ପୃଷ୍ଟି କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ସାହୁ,ଅର୍ଦ୍ଧେଦୁ‌ ଶେଖର ମାଝୀ ଉପସ୍ଥିତ ରହି ଏହି ଶୁଭ କାର୍ଯ୍ୟରେ ପିଲା ମାନଙ୍କ ଉପରେ ଶିକ୍ଷା ସହିତ ଟାଇକ୍ବାଣ୍ଡୋ ଖେଳ ପ୍ରତି ଆକୃଷ୍ଟ ହୁଅନ୍ତି ବୋଲି ଅବିଭାବକ ମାନଙ୍କୁ କହିଥିଲେ। ଆଜିର ସମୟରେ ନିଜକୁ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜକୁ ଆତ୍ମ ରକ୍ଷା କୌଶଳ ଶିକ୍ଷା ନିହାତି ଦରକାରୀ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଟାଇକ୍ବାଣ୍ଡୋ ଖେଳାଳି ମାନଙ୍କୁ ଅଗଷ୍ଟ ମାସରେ ଭଦ୍ରକ ଜିଲ୍ଳାରେ ହୋଇଥିବା ଖେଲୋ ଇଣ୍ଡିଆ ଅସ୍ମିତା ଲିଗ୍ ବିଜେତା ପିଲାମାନଙ୍କୁ ମାନପତ୍ର ସହିତ ମେଡାଲ ପ୍ରଦାନ କରାଯାଇଥିଲା। ତତ୍ ସହିତ ବେଲ୍ଟ ଉପାଧି ପ୍ରଦାନ କରାଯାଇଥିଲା। ଏହି ଭୂମି ପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୋରିଆନ ର୍ମାଶଲଟ ସ୍କୁଲର ସମ୍ପାଦକ ପ୍ରଦୀପ କୁମାର କାଣ୍ଡି।
Read More ...

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମୀକ୍ଷା ପୋର୍ଟାଲର ମଧ୍ୟ ଉନ୍ମୋଚନ |

କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ଷଷ୍ଠ ରାଜ୍ୟ ଅର୍ଥ କମିଶନର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି, ଯାହା ରାଜ୍ୟ ଅର୍ଥ କମିଶନ (SFC) ଏବଂ କେନ୍ଦ୍ର ଅର୍ଥ କମିଶନ (CFC) ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗୀତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ । ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ପ୍ରଗତି ତଦାରଖ କରିପାରିବେ । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଆର୍ଥିକ ମାନଦଣ୍ଡ, ପଞ୍ଚାୟତ ସ୍ତରର ଢାଞ୍ଚା ପରିବର୍ତ୍ତନ, ଜନସାଧାରଣଙ୍କ ଜୀବନଧାରଣାର ମାନ ବୃଦ୍ଧି, ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସ୍ଥିତି ସୁଧାରିବାକୁ ତତ୍‌ସହିତ ସମୃଦ୍ଧ ଓଡ଼ିଶାର ଭିତ୍ତି ସୁଦୃଢ଼ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୂଚନା ଯୋଗ୍ୟଯେ, କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଏକ ପୂର୍ବାନୁମାନଯୋଗ୍ୟ ଏବଂ ସୂତ୍ର-ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ, ଗ୍ରାମୀଣ ଏବଂ ସହରାଞ୍ଚଳର ସ୍ଥାନୀୟ ପୃଥକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କମିଶନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ ସୁପାରିଶ କରିଛନ୍ତି। ଏହି ବୈଠକରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଶ୍ରୀ ଵିଶାଲ ଦେବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଶ୍ରୀ ଗିରିଶ ଏସ.ଏନ ପ୍ରମୁଖ ଉପସ୍ଥିତ ଥିଲେ । କମିଶନ ର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ (SFC) ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକଙ୍କ ସହିତ; ସଦସ୍ୟ ସଚିବ- ଡକ୍ଟର ସତ୍ୟ ପ୍ରିୟ ରଥ, ପଦାଧିକାରୀ ସଦସ୍ୟ-ତଥା- ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।
Read More ...

ALL NEWS