More News

ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ ନିରନ୍ତର ଉଦ୍ୟମ କରିବା ସହିତ ଚଢାଉ ଅଭିଯାନ ଜାରି |

କଟକ (ଉତ୍କଳ ନ୍ୟୁଜ ) ୩-୧୨-୨୦୨୫ : ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ ନିରନ୍ତର ଉଦ୍ୟମ କରିବା ସହିତ ଚଢାଉ ଅଭିଯାନ ଜାରି ରଖିଛି । ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାର ପୁଲିସ ସ୍ଵତନ୍ତ୍ର ଟିମ୍ ଗଠନ କରି ଅଭିଯାନ ଜାରି ରଖିଛନ୍ତି । ଗଞ୍ଜେଇ ଚାଷ ହେଉଥିବା ଦୂର୍ଗମ ଅଞ୍ଚଳକୁ ଚିହ୍ନଟ କରି ଏକର ଏକର ଅବୈଧ ଚାଷକୁ ନଷ୍ଟ କରି ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି । ଚଳିତ ବର୍ଷ ଅଦ୍ୟାବଧି ୧୮୧୧୧ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଏହି ଅଭିଯାନ ଆଗାମୀ ମାର୍ଚ ୨୦୨୬ ପର୍ଯନ୍ତ ଜାରି ରହିବ। ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୪୭୩ ଟି ମାମଲା ରୁଜୁ କରାଯାଇଥିବାବେଳେ କେବଳ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୮୧ ଟି ମାମଲା ରୁଜୁ କରାଯାଇ ୭ ହଜାର ୭୫୭ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାରେ ୧୩୨ ଟି ମାମଲା ରୁଜୁ ହୋଇଥିବା ବେଳେ ୯ ହଜାର ୩୧୩ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହାବ୍ୟତୀତ ରାୟଗଡା ଜିଲ୍ଲାରେ ୩୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୪ ଏକର, ମାଲକାନାଗିରିରେ ୩୫ ଟି ମାମଲା ସହ ୪୮୩ ଏକର, କୋରାପୁଟରେ ୨୨ ଟି ମାମଲା ସହ ୫୦୮ ଏକର, ଗଜପତିରେ ୪୫ ଟି ମାମଲା ସହ ୬୫୦ ଏକର, ଗଞ୍ଜାମରେ ୨୧ ଟି ମାମଲା ସହ ୧୬୨ ଏକର, କେନ୍ଦୁଝରରେ ୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସ୍ୱଳ୍ପ ସମୟ ମଧ୍ୟରେ ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ଆମ ପାଇଁ ବଡ଼ ସଫଳତା ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୫୯୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦୮୦୩ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା । ରାଜ୍ୟର ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି।

Read More ...

ପଲାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା |

କଟକ (ଉତ୍କଳ ନ୍ୟୁଜ ) ୨-୧୨-୨୦୨୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଳାସ ପଂଚାୟତ ର ସରପଞ୍ଚ ପ୍ରଭାକର ସେଠି ଙ୍କୁ ମଥୁରା ଗ୍ରାମ ର କିଛି ଯୁବକ ମାଡ଼ ମାରି ଥିବା ଅଭିଯୋଗ ହୋଇଅଛି l ଏ ସଂକ୍ରାନ୍ତରେ ସରପଞ୍ଚ ଜୁନାଗଡ଼ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏନେଇ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛନ୍ତି l ସୂଚନା ମତେ ପଳାସ ସରପଞ୍ଚ ପ୍ରଭାକର ସେଠି କୌଣସି ଏକ କାମ ରେ ମହିଚଳା ଗ୍ରାମ କୁ ଯାଉଥିବା ବେଳେ ଗୌଡ଼ ସର୍ଗିଗୁଡା ଛକ ନିକଟରେ ମଥୁରା ଗ୍ରାମର କିଛି ଯୁବକ ଜବରଦସ୍ତି ଅଟକାଇ ବାଇକ ରେ ଆଣି ମଥୁରା ଢ଼ାବା ନିକଟରେ ଓଲ୍ହାଇ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରି ସଙ୍ଗବଦ୍ଧ ହୋଇ ମାଡ଼ ମାରିଥିଲେ l ଏ ସଂକ୍ରାନ୍ତ ରେତଦନ୍ତ ଜୁନାଗଡ଼ ଥାନା ରେ ସରପଞ୍ଚ ସେଠି ଙ୍କ ତରଫରୁ ଜୁନାଗଡ଼ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଅଛି l ଏନେଇ ଜୁନାଗଡ଼ ପୋଲିସ ଭାରତୀୟ ନ୍ୟାୟ ସଂହିତା ଦଫା ୧୨୬/୨, ୨୯୬, ୧୧୫/୨, ୩୫୧/୨, ୩/୫ଏଟ୍ରୋସିଟି ଆକ୍ଟ ୩/୧ଆର, ୩/୧ଏସ, ୩/୨ଭି ଏ ର ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଚାଲୁରଖିଛନ୍ତି l ଅନ୍ୟ ପକ୍ଷରେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ କରିଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ପ୍ରକାଶ କରିଛନ୍ତି l ଅଭିଯୋଗକାରି ଜଣେ ନିର୍ବାଚିତ ଜନପ୍ରତିନିଧି ହୋଇଥିବା ବେଳେ ନିକଟରେ ମଧ୍ୟ ସଦର ବିଧାୟକ ଙ୍କୁ ମଧ୍ୟ ହତ୍ୟା ଧମକ ହୋଇଥିବା ଅଭିଯୋଗ ହୋଇଥିଲା l ଯାହା ଫଳରେ କଳାହାଣ୍ଡି ରେ ବିପର୍ଯସ୍ତ ଆଇନ ଶୃଙ୍ଖଳା କୁ ନେଇ ଆଙ୍ଗୁଳି ନିର୍ଦେଶ ହେଉଛି l ଏଣୁ ଏଇ ଘଟଣା କୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଜିଲ୍ଲା ପୋଲିସ ପ୍ରଶାସନ ଏଥିନେଇ ଯତ୍ନବାନ ହେବାକୁ ଦାବୀ ହେଉଛି | କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀକ ଟି -୨୦ ମ୍ୟାଚ୍ ପ୍ରସ୍ତୁତି ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ |

କଟକ (ଉତ୍କଳ ନ୍ୟୁଜ ) ୧-୧୨-୨୦୨୫ : କଟକ ବାରବାଟୀ ଷ୍ଟାଡିୟମ୍‌ଠାରେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 କ୍ରିକେଟ ମ୍ୟାଚ୍ ଆୟୋଜନ ଓ ପ୍ରସ୍ତୁତି ସମ୍ବନ୍ଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତି ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଓ ସି ଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ମ୍ୟାଚ୍ ଆୟୋଜିତ ହେବା ନେଇ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ସ୍ଵରୂପ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ, ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଓ ସି ଏ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମ୍ୟାଚ୍‌ର ଆୟୋଜନର ସମସ୍ତ ପ୍ରସ୍ତୁତି ସଂପର୍କରେ ରାଜସ୍ୱ ଆୟୁକ୍ତ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ତଥା ଓ ସି ଏ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ଟିକେଟ୍ କିଣାବିକା ସମୟରେ ଲାଇନ୍ ରେ ଥିବା ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା,ଷ୍ଟାଡିୟମ୍‌ର ଉଭୟ ପଟ ଭିତ୍ତିଭୂମି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ସମୀକ୍ଷା କରି ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ସମୟରେ ପୋଲିସ୍ ପ୍ରଶାସନ ଅଧିକ ସତର୍କତା ଅବଲୋମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସମୀକ୍ଷା ପୂର୍ବକ ଉକ୍ତ ବୈଠକରେ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆୟୁକ୍ତ ବିସ୍ତୃତ ଆଲୋଚନା କରିଥିଲେ। ମ୍ୟାଚ୍ ସମୟରେ ଭିଡ ନିୟନ୍ତ୍ରଣ, ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଜରୁରୀ ଚିକିତ୍ସା ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ପରିଚାଳନା, ମ୍ୟାଚ୍ ଶେଷ ପରେ ଦର୍ଶକଙ୍କ ନିମନ୍ତେ ରାତ୍ରିକାଳୀନ ବସ ଚଳାଚଳ ବ୍ୟବସ୍ଥା ଆଦି ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ସମୀକ୍ଷା କରିଥିଲେ। ବିଶେଷ ଭାବେ ଗୁରୁତ୍ଵ ଦେଇ ପ୍ରତ୍ୟେକ ଗ୍ୟାଲେରୀ ଓ ଷ୍ଟାଣ୍ଡ କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବା ନେଇ ସମୀକ୍ଷା ପୂର୍ବକ ଆଲୋଚନା କରି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବା ନେଇ କହିଥିଲେ। ମ୍ୟାଚ୍ ସମୟରେ ନିରନ୍ତର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସହ ଆଲୋକ ବ୍ୟବସ୍ଥା ପାଇଁ ଅଧିକ ଜେନ୍‌ସେଟ୍ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେୟାର୍ ମଧ୍ୟ ଇନ୍‌ଷ୍ଟଲ କରାଯାଉଥିବା ସଂପର୍କରେ ଏହି ସମୀକ୍ଷା ପୂର୍ବକ ବୈଠକରେ ଆଲୋଚନା ମାଧ୍ୟମରେ ରାଜସ୍ୱ ଆୟୁକ୍ତଙ୍କୁ ଓ ସି ଏ କର୍ତ୍ତୃପକ୍ଷ ଅବଗତ କରାଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଡି ସି ପି, ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଭୁବନେଶ୍ୱର ବିମାନ ବନ୍ଦର ପ୍ରାଧିକରଣ ନିର୍ଦ୍ଦେଶକଙ୍କ ସମେତ ସି ଡି ଏମ ଓ, ଅଗ୍ନିଶମ ଅଧିକାରୀ,ଆର ଟି ଓ, ମହାନଗର ନିଗମ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଓଡିଶା ଅଲମ୍ପିକ ଆସୋସିଏସନ୍‌ ସମ୍ପାଦକ,ଶ୍ରୀ ଅଭିଜିତ ପାଲ୍, ଓଡିଶା କ୍ରିକେଟ୍ ଆସୋସିଏସନ୍‌ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ବେହେରା ଉପସ୍ଥିତ ରହି ମ୍ୟାଚ୍ ପରିଚାଳନା ସମ୍ପର୍କରେ ସମୀକ୍ଷା ପୂର୍ବକ ବୈଠକରେ ଅବଗତ କରାଇଥିଲେ।
Read More ...

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ସ୍କୁଲମାନଙ୍କରେ ସ୍ମାର୍ଟ କ୍ଲାସ ରୁମ୍ ବୋର୍ଡର ପ୍ରଭାବ ମୂଲ୍ୟାଙ୍କନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ଵ |

କଟକ (ଉତ୍କଳ ନ୍ୟୁଜ ) ୨୭ -୧୧-୨୦୨୫ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ସ୍କୁଲ ମାନଙ୍କରେ ସ୍ମାର୍ଟ କ୍ଲାସ ରୁମ୍ ବୋର୍ଡ ସ୍ଥାପନ କରାଯିବା ପରେ ଛାତ୍ରଛାତ୍ରୀଙ୍କର ଶିକ୍ଷଣ ବ୍ୟବସ୍ଥାରେ କଣ ପ୍ରଭାବ ରହିଛି ଏହା ଉପରେ ମୂଲ୍ୟାଙ୍କନ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ନଭେମ୍ବର ୨୫ ତାରିଖ ଦିନ ରାଜଭବନର ନିଉ ଅଭିଷେକ ହଲଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାତଟି ଜନଜାତି ବହୁଳ ଜିଲ୍ଲା ଯଥା - ମାଲକାନଗିରି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ, ରାୟଗଡ଼ା ଏବଂ ମନବରଙ୍ଗପୁର ଜିଲ୍ଲାର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ,ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବା ଅବସରରେ ରାଜ୍ୟପାଳ ଏଭଳି ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ପଦକ୍ଷେପ ଅଧୀନରେ ଉପରୋକ୍ତ ସାତଟି ଜିଲ୍ଲାର ୪୬ଟି ଏସଏସଡି ସ୍କୁଲରେ ସ୍ମାର୍ଟ ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ସ୍ଥାପନ କରାଯାଇଛି। ରାଜ୍ୟପାଳ କହିଥିଲେ ଯେ, ଏପରି ମୂଲ୍ୟାଙ୍କନ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶିକ୍ଷାର ପ୍ରଭାବକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିବ ଏବଂ ଏ ଦିଗରେ ସହଯୋଗ ପ୍ରଦାନ କରିବାକୁ ଅଧିକ ସଂଗଠନକୁ ଉତ୍ସାହିତ କରିବ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ରାଜ୍ୟପାଳଙ୍କ ସହ କଥା ହୋଇ ଡିଜିଟାଲ୍ ଶ୍ରେଣୀଗୃହଗୁଡ଼ିକ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଏବଂ ବୁଝିବା ସହଜ କରିଛି ବୋଲି କହିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଂଶଗ୍ରହଣ, ଉନ୍ନତ ଶିକ୍ଷଣ ଫଳାଫଳ ଏବଂ ବିଜ୍ଞାନ ଏବଂ ଗଣିତ ଭଳି ବିଷୟ ପ୍ରତି ଆଗ୍ରହ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ। ମତାମତ ଉପରେ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ କହିଥିଲେ ଯେ, ସ୍ମାର୍ଟ ଶ୍ରେଣୀଗୃହଗୁଡ଼ିକ ନିଶ୍ଚିତ ଭାବରେ ଶୈକ୍ଷିକ ପ୍ରଦର୍ଶନ ବୃଦ୍ଧି କରିବାରେ, ଶିକ୍ଷଣ କ୍ଷମତାକୁ ସୁଦୃଢ଼ ​​କରିବାରେ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଜ୍ଞାସା ବୃଦ୍ଧି କରିବାରେ ସାହାଯ୍ୟ କରିବ। ପ୍ରଯୁକ୍ତିବିଦ୍ୟା ଜନଜାତି ପିଲାଙ୍କ ଶିକ୍ଷାରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିପାରିବ।ରାଜ୍ୟର ଜନଜାତି ଝିଅମାନଙ୍କ ମଧ୍ୟରେ ସାକ୍ଷରତାସ୍ତରକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟଭିତ୍ତିକ ପ୍ରୟାସର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଏତାଦୃଶ ସମର୍ଥନ ଓ ସହଯୋଗ ପାଇଁ ରାଜ୍ୟପାଳ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ପଦକ୍ଷେପର ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏସଟି ଏବଂ ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ଚିଫ ଜେନେରାଲ ମ୍ୟାନେଜର ରତ୍ନ ତେଜା ଦିନକର ଆକେଲାଙ୍କ ସମେତ ରାଜଭବନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Read More ...

ସିପିଆଇ(ଏମ) ପକ୍ଷରୁ ତିହିଡି ଠାରେ ଅନୁଷ୍ଠିତ ହେବାକୁ ଥିବା ବସ୍ ବଂଦ ଆନ୍ଦୋଳନ ସ୍ଥଗିତ।

କଟକ (ଉତ୍କଳ ନ୍ୟୁଜ ) ୨୭-୧୧-୨୦୨୫ : ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥର ଚାଲୁଥିବା ସମସ୍ତ ଘରୋଇ ବସ୍ ସରକାରଙ୍କ ଧାର୍ଯ୍ୟ ଭଡା ଠାରୁ ଅତ୍ୟଧିକ ଭଡା ଆଦାୟ କରିବା ପ୍ରତିବାଦରେ ସିପିଆଇ(ଏମ) ପକ୍ଷରୁ ନଭେମ୍ବର ୨୪ ରେ ତିହିଡି ଠାରେ ବସ୍ ବଂଦ ଆନ୍ଦୋଳନ ହେବା ପାଇଁ ଆହ୍ୱାନ ଦିଆ ଯାଇଥିଲା । ଆଜି ଅପରାହ୍ନରେ ତିହିଡି ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ସଂଯୋଜନାରେ ତିହିଡି ଥାନା ପରିସରରେ ସିପିଆଇ(ଏମ) ନେତୃତ୍ବ ଓ ଭଦ୍ରକ ବସ ସିଣ୍ଡିକେଟ କର୍ମକର୍ତ୍ତଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମ) ତିହିଡି ଆଞ୍ଚଳିକ କମିଟି ପକ୍ଷରୁ ଦାବି କରା ଯାଇଥିବା ସମସ୍ତ ଦାବିକୁ ବସ ସିଣ୍ଡିକେଟ ମାନି ନେଇଥିଲା ଓ ସରକାରୀ ବସ୍ ଚାଲିବା ଦାବି ସଂପର୍କରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସିପିଆଇଏମ ନେତୃବୃନ୍ଦ ପ୍ରକାଶ କରିଥିଲେ। ସମସ୍ତ ଘରୋଇ ସାଧାରଣ ବସ କିଲୋମିଟର ପିଛା ୮୯ ପଇସା ଭଡା ଆଦାୟ କରିବା, ସମସ୍ତ ଏକ୍ସପ୍ରେସ୍ ବସ କିଲୋମିଟର ପିଛା ୯୩ ପଇସା ଭଡା ଆଦାୟ ,ଡିଲକ୍ସ ବସରେ କିଲୋମିଟର ପିଛା ୧ ଟଙ୍କା ୨୯ ପଇସା, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୧ ଟଙ୍କା ୫୭ ପଇସା ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ ଅଥୋରିଟି ନୋଟିସ୍ କରିଥିବା ବେଳେ ଚାନ୍ଦବାଲି -ଭଦ୍ରକ ରୁଟରେ ଚାଲିଥିବା ବସମାଲିକ ମାନେ ଅତ୍ୟଧିକ ଭଡା ଆଦାୟ କରୁଥିବାରୁ ଭଦ୍ରକ, ତିହିଡି ଓ ଚାନ୍ଦବାଲି ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା । ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଅଧିକ ସଂଖ୍ୟକ ଓଏସଆରଟିସି ତତ୍ତ୍ୱାବଧାନରେ ସରକାରୀ ବସ ଚଳାଚଳ କରିବା, ସମସ୍ତ ଘରୋଇ ବସରେ ଅତ୍ୟଧିକ ଭଡା ପରିବର୍ତ୍ତେ ସରକାରୀ ଧାର୍ଯ୍ୟ ଭଡା ଆଦାୟ କରିବା, ବସ ରେ ମହିଳା ଓ ସିନିଅର ସିଟିଜେନ୍ସ ମାନପ୍ରଦର୍ଶନ କରିବା, ସମସ୍ତ ଘରୋଇ ବସରେ ସରକାରୀ ବସ୍ ଭଡା ଓ ବସର ପ୍ରକାର ପ୍ରଦର୍ଶନ କରିବା, ଘରୋଇ ବସରେ ଓଭରଲୋଡିଂ ଓ ଧାର୍ଯ୍ୟ ସିଟ ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ ବନ୍ଦ କରିବା, ଗୋଟିଏ ଷ୍ଟପେଜରୁ ଅନ୍ୟ ପାଖ ଷ୍ଟପେଜକୁ ସର୍ବନିମ୍ନ ଭଡା ୧୦ ଟଙ୍କା ଆଦାୟ ପରିବର୍ତ୍ତେ ୫ ଟଙ୍କା ଆଦାୟ ଆଦି ଦାବିକୁ ପୂରଣ କରିବା ପାଇଁ ବସ ସିଣ୍ଡିକେଟ ରାଜି ହୋଇଥିବା ବେଳେ ସରକାରୀ ବସ୍ ଚାଲିବା ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଆଗାମୀ ଦିନରେ ଦାବି ଜଣାଯିବ ବୋଲି ସିପିଆଇ(ଏମ) ନେତୃତ୍ବ ପ୍ରକାଶ କରିଥିଲେ । ଏହି ଆଲୋଚନା ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ତିହିଡି ଆଞ୍ଚଳିକ କମିଟି ସଂପାଦକ ବିଷ୍ଣୁ ଦାଶ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ରାଜ୍ୟ କମିଟି ସଭ୍ୟ ରାଜକିଶୋର ଲେଙ୍କା, ସିପିଆଇ(ଏମ)ର ବରିଷ୍ଠ ନେତା ନିର୍ମଳ ଦଳେଇ, ସିପିଆଇ(ଏମ) ନେତା ସତ୍ୟବ୍ରତ କୁଣ୍ଡ, ମନମୋହନ କୁଣ୍ଡ, ଭଦ୍ରକ ବସ ସିଣ୍ଡିକେଟର ସଭାପତି ଶ୍ରୀନିବାସ ପତି, ବସ ସିଣ୍ଡିକେଟ ଯୁଗ୍ମ ସଂପାଦକ ନିଶିକାନ୍ତ ପଣ୍ଡା, ବସ ମାଲିକ ଇମତାଜ ଅଲ୍ଲୀ ଖାନ୍, ବାର ଖାନ୍ ଓ ବରିଷ୍ଠ ସାମ୍ବାଦିକ ରବିନାରାୟଣ ନାୟକ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବସ ସିଣ୍ଡିକେଟ ଓ ଜିଲ୍ଲା ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ପାଇବା ପରେ ନଭେମ୍ବର ୨୪ରେ ତିହିଡି ଠାରେ ଅନୁଷ୍ଠିତ ହେବାକୁ ଥିବା ବସ୍ ବନ୍ଦ ଆନ୍ଦୋଳନକୁ ସିପିଆଇ(ଏମ) ପକ୍ଷରୁ ସ୍ଥଗିତ ରଖା ଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ |

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓ କହିଛନ୍ତି ଯେ ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ — ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଂଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସୁରଭି ଏକ ଅଦ୍ବିତୀୟ ପ୍ଲାଟଫର୍ମ ସାଜିଛି। ସୂଚନା ଯୋଗ୍ୟଯେ ଏହି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୨୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଉର୍ଦ୍ଧ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ସୁରଭି କାର୍ଯକ୍ରମରେ – “ନିପୁଣ ଓଡ଼ିଶା-ନିପୁଣ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ ବୁଲି ଦେଖିଥିଲେ। ଏଥି ସହିତ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶିଲ କୁମାର ନାୟକ, ବାଣିଜ୍ୟରେ ସ୍ବର୍ଣ୍ଣ ରେଖା ମନ୍ତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୁତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଶୁମାନେ ଆମର ଭବିଷ୍ୟତ, ଆମର ଆଶା। ଶିଶୁ ମାନଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କ ମାର୍ଗଦର୍ଶନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ବିଗତ ମାସେ ହେଲା ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରର ପ୍ରତିଯୋଗିତାରୁ ବିଜୟୀ ହୋଇ ଆଜି ଆପଣମାନେ ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଉନ୍ମେଷ କରାଇବାରେ ସୁରଭି ର ଯୋଗଦାନ ଅତ୍ୟନ୍ତ ଉଲ୍ଲେଖନୀୟ । ଆମ ସରକାର ପ୍ରାକ୍ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ପିଏମ-ଶ୍ରୀ ଯୋଜନା ପର୍ଯ୍ୟନ୍ତ ଆମେ କାର୍ଯ୍ୟକାରୀ କରିଛୁ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ସ୍ତର ଯାଏଁ ସଫଳତାର ସହ କାର୍ଯ୍ୟକାରୀ କରିଛୁ। ଆମ ସରକାର ରାଜ୍ୟର ୪୫ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି । ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି। ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି, ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି ସିଙ୍ଘଭାଗ। ଆପଣମାନେ ଜାଣିପାରୁଥିବେ ଶିକ୍ଷାପ୍ରତି ସରକାରଙ୍କ ଆନ୍ତରିକତା। ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ବିଦ୍ୟାର୍ଥୀମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାକୁ ପ୍ରୟାସ ଜାରି ରଖିଛି । ବିଦ୍ୟାର୍ଥୀମାନଙ୍କ ଭିତରେ ଅସଂଖ୍ୟ ସମ୍ଭାବନା ଏବଂ ଗୁଣାବଳୀ ଲୁଚି ରହିଛି ।
ସେମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ । ବଡ଼ ସ୍ୱପ୍ନ ଦେଖିବା ପାଇଁ କେବେ ବି ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ । ଦେଶ ନିର୍ମାଣରେ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସୁରଭି ଏକ ସୁନ୍ଦର ଏବଂ ନିଆରା ମଞ୍ଚ, ଯାହା ମାଧ୍ୟମରେ ସେମାନଙ୍କୁ କଳା, ପ୍ରତିଭା ଏବଂ ସୃଜନଶୀଳତା ଉପସ୍ଥାପନ କରିବାର ସୁଯୋଗ ମିଳୁଛି। ଏହି ମହୋତ୍ସବ ମାଧ୍ୟମରେ ଆମେ ମଧ୍ୟ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଦେଖିବାର ସୁଯୋଗ ପାଇଛୁ ବୋଲି ସେ କହିଥିଲେ । ସୂଚନା ଯୋଗ

Read More ...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ |

କଟକ (ଉତ୍କଳ ନ୍ୟୁଜ ) ୨୯-୧୦-୨୦୨୫ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ | ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ଏକ ମାଲବାହୀ ଟ୍ରେନ୍‌ ବୁଧବାର ଲାଇନଚ୍ୟୁତ ହୋଇଛି। ବାନୋ ଓ କନରାଓ୍ବା ଷ୍ଟେଶନ ମଧ୍ୟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ତେବେ ଏହି ମାଲବାହୀ ଟ୍ରେନ୍‌ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।
Read More ...

ବୃଦ୍ଧି ପାଇଲା ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ |

କଟକ (ଉତ୍କଳ ନ୍ୟୁଜ ) ୨୯-୧୦-୨୦୨୫ : ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି ପାଇଛି। ବାତ୍ୟା ‘ମୋନ୍ଥା’ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି ପାଇଛି। ନଭେମ୍ବର ୩ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ। ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ। କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSE ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
Read More ...

ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ | ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

କଟକ (ଉତ୍କଳ ନ୍ୟୁଜ ) ୨୮ -୧୦-୨୦୨୫ : ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଦୁର୍ନୀତି ଆମ ବ୍ୟବସ୍ଥାରେ ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗି ଯାଇଥାଏ। ଦୁର୍ନୀତି ଆମ ଶାସନର ମୂଳଦୁଆକୁ ଦୁର୍ବଳ କରିଥାଏ । ତେଣୁ, ଦୁର୍ନୀତି ବିରୋଧରେ ଲଢିବା କେବଳ ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ । ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱ ଓ ଦୃଢ ଇଛା ଶକ୍ତି ବଳରେ, ଦୁର୍ନୀତି ରୋକିବା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରାଯାଇଛି । ହ୍ୟୁମାନ ଇଣ୍ଟରଫରେନ୍ସକୁ ଦୂର କରି ଜନଧନ, ଆଧାର ଏବଂ ମୋବାଇଲର ଏକତ୍ରିକରଣରେ JAM ବ୍ୟବସ୍ଥା ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥାରେ ବାଟମାରଣାର ପ୍ରଶ୍ନ ହିଁ ନାହିଁ। ସେ ପୁଣି କହିଥିଲେ ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେଣୁ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଏହା ଫଳରେ ବିଭିନ୍ନ ଯୋଜନାର ସୁଫଳ ନ୍ୟାୟ ପୂର୍ଣ୍ଣ ଓ ସ୍ୱଚ୍ଛତାର ସହିତ ଉପଯୁକ୍ତ ଲାଭାର୍ଥୀଙ୍କ ପାଖରେ ପହଞ୍ଚାଯାଇ ପାରୁଛି। ଦୁର୍ନୀତିକୁ ରୋକିବା ପାଇଁ ଏକ ସ୍ୱଚ୍ଛ, ପାରଦର୍ଶୀ, ଗତିଶୀଳ ଏବଂ ଅତ୍ୟନ୍ତ ସଚ୍ଚୋଟ ବ୍ୟବସ୍ଥା ଓ ଅଧିକାରୀ ଏକାନ୍ତ ଆବଶ୍ୟକ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଗଠନ ହେବା ପରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲି । ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଛୋଟରୁ ବଡ ସମସ୍ତ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଅଗ୍ରଣୀ ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ସୁନାମ ଅର୍ଜନ କରିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପର୍ଯ୍ୟନ୍ତ କାହାରିକୁ ଛଡାଯାଇନାହିଁ । ଏସବୁ ସମ୍ଭବ ହୋଇଛି ଭିଜିଲାନ୍‌ସ ଅଧିକାରୀ ମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟକରିବାର ଅଧିକାର ପ୍ରଦାନ ଫଳରେ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଦଣ୍ଡ ବିଧାନ ହାର ମଧ୍ୟ ୫୦ ପ୍ରତିଶତରୁ ଅଧିକ ରହିଛି। ଦୁର୍ନୀତି ନିବାରଣ ବିଭାଗ ଆଜିର ଦିନରେ କାହାକୁ କ୍ଷମା କରିବ ନାହିଁ ଏବଂ କାହାକୁ ଛାଡିବ ନାହିଁ ବୋଲି ସେ କହିଥିଲେ । ଗତ ୧୬ ମାସ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗକୁ ଅଧିକ ଦକ୍ଷ, ଲୋକାଭିମୁଖୀ ଓ ସୁଦୃଢ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭାଗକୁ ଅଧିକ ଦକ୍ଷ କରିବା ପାଇଁ ଯାହା ଯାହା ଆବଶ୍ୟକ ସବୁ ଯୋଗାଇ ଦିଆଯିବ । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଲୋଭ ଓ ଦୁର୍ନୀତିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଥିଲେ ।
ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ ଭାବେ କଟକ ଡିଭିଜନ, ଶ୍ରେଷ୍ଠ ୟୁନିଟ୍ ଭାବେ ସୁବର୍ଣ୍ଣପୁର ୟୁନିଟ୍, ଶ୍ରେଷ୍ଠ ତଦନ୍ତକାରୀ ପୁରୁଷ ଅଧିକାରୀ ଭାବେ ମନୋରଞ୍ଜନ ପାଇକରାୟ, ଶ୍ରେଷ୍ଠ ତଦନ୍ତକାରୀ ମହିଳା ଅଧିକାରୀ ଭାବେ ପ୍ରଣୀତା ରାୟ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ବ୍ରହ୍ମପୁରର ସୁରେନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ମୂଳ ଲକ୍ଷ୍ୟ ରହିଛି, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଶ୍ରୀ ଯଶୱନ୍ତ କୁମାର ଜେଠୱା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ଏଥିପାଇଁ ସବୁ ବିଭାଗର ସହଯୋଗରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆୟୋଜନ କରାଯାଉଛି । ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅସୀତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Read More ...

ସମାବେଶୀ ଭାରତ ଗଢିବାରେ ତ‌ଥା ସମ୍ବିଧାନ ପ୍ରଣୟନ ସମୟରେ ବିଶିଷ୍ଟ ମୁସଲିମ୍ ବ୍ୟକ୍ତିତ୍ବ ମାନଙ୍କର ଅବଦାନ |

କଟକ (ଉତ୍କଳ ନ୍ୟୁଜ ) ୨୩-୧୦-୨୦୨୫: ଭାରତର ସମ୍ବିଧାନ ପ୍ରଣୟନ କେବଳ ଏକ ବୈଧାନିକ ପ୍ରଚେଷ୍ଟା ନଥିଲା ବରଂ ବିବିଧ ସମୁଦାୟୁ ମାନଙ୍କ ମଧ୍ୟରେ ଏକ ବୁଝାମଣା ଥିଲା ଯେଉଁମାନେ ଉପନିବେଶବାଦର ଶିକାର ହୋଇ ଏକ ସାର୍ବଭୌମ ସମାବେଶୀ ଦେଶ ଗଢିବାର ସପ୍ନ ଦେଖୁଥିଲେ | ଯେତେବେଳେ ଭାରତ ଉପମହାଦେଶ ବିଭାଜନ ଏବଂ ଏକତାର ଦୋଛକିରେ ଛିଡା ହୋଇଥିଲା ସେତେବେଳେ ଅନେକ ମୁସଲିମ୍ ନେତା ସାମ୍ପ୍ରଦାୟିକ ବିଭାଜନ ବଦଳରେ ସାମ୍ବିଧାନିକ ଗଣତନ୍ତ୍ରର ପନ୍ଥାକୁ ଚୟୁନ କରିଥିଲେ | ସମ୍ବିଧାନ ସଭାରେ ଏହି ବ୍ୟକ୍ତିତ୍ଵମାନେ ଏପରି ଏକ ନୈତିକ ବ୍ୟଂଚାର ରୂପ ଦେଇଥିଲେ ଯେଉଁଥୁରେ ଧର୍ମନିରପେକ୍ଷତା, ନ୍ୟାୟ ଏବଂ ସମାନ ଅଧୀକାର ଅର୍ନ୍ତଭୁକ୍ତ ଥିଲା | ସେମାନେ ଏକ ଆଧୁନିକ ଏବଂ ସମାବେଶୀ ଭାରତ ଗଢିବାରେ ସହାୟକ ହୋଇଥିଲେ | ସେମାନଙ୍କର ଅବଦାନ ଏହା ମନେ ପକାଇଥାଏ ଯେ ଭାରତର ଅବଧାରଣା ଗୋଟିଏ ଆର୍ଦଶ କିମ୍ବା ବିଶ୍ଵାସ ଦ୍ଵାରା ହୋଇନାହିଁ ବରଂ ସ୍ଵାଧୀନତା ଏବଂ ଏକତା ପାଇଁ ସର୍ମପିତ ଥିବା ଚିନ୍ତକ ମାନଙ୍କର ସହଯୋଗ ଦ୍ବାରା ସମ୍ଭବ ହୋଇପାରିଛି |ଏହିପରି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରମୁଖ ଥିଲେ ମୌଲାନା ଅବୁଲ କଲାମ୍ ଆଜାଦ୍ ଯିଏ ଏକାଧାରରେ ଥିଲେ ବିଦ୍ୟାନ, ସ୍ବାଧୁନତା ସଂଗ୍ରାମୀ ଏବଂ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ସମ୍ବିଧାନ ସଭାରେ ତାଙ୍କର ଉପସ୍ଥିତି ଉଭୟ ସାଙ୍କେତିକ ଏବଂ ପ୍ରମୁଖ ଥିଲା | ସେ ଜଣେ ନିଷ୍ଠାପର ମୁସଲିମ ହେବା ସହିତ ପ୍ରଖର ଜାତୀୟିତାବାଦୀ ଥିଲେ ଏବଂ ଦି-ଦେଶ ସିଦ୍ଧାନ୍ତକୁ ଦୃଢ ଭାବରେ ବିରୋଧ କରିଥିଲେ | ବିଭିନ୍ନ ସମାବେଶରେ ନିଜର ପକ୍ଷ ରଖ୍ ସେ କହୁଥିଲେ ଯେ ଭାରତର ଭବିଷ୍ୟତ ଧାର୍ମିକ ବିଭାଜନ ବଦଳରେ ଇତିହାସ ଏବଂ ପାରସ୍ପରିକ ସମ୍ମାନ ଉପରେ ନିର୍ଭର କରିବ | ଧର୍ମନିରପେକ୍ଷ ମୂଲ୍ୟବୋଧ ପ୍ରତି ତାଙ୍କ ପ୍ରତିବଦ୍ଧତା ଭାରତୀୟ ସମ୍ବିଧାନର କେତେକ ମୂଖ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଥିଲା | ଧାର୍ମିକ ସ୍ବାଧୀନତାକୁ ସୁନିଶ୍ଚିତ କରିଥିବା ସମ୍ବିଧାନର ଧାରା ୨୫ ଓ ସଂଖ୍ୟାଲଘୁଙ୍କ ଦ୍ବାରା ସେମାନଙ୍କ ଶିକ୍ଷାନୁଷ୍ଠାନ ସ୍ଥାପନ ଓ ପରିଚାଳନାର ଅଧୁକାର ଦିଆଯାଇଥିବା ଧାରା ୩୦କୁ ସେ ଦୃଢଭାବରେ ସର୍ମଥନ କରିଥିଲେ | ବିଭାଜନ ପରେ ଯେଉଁ ମୁସଲମାନ ମାନେ ଭାରତରେ ରହିବା ପାଇଁ ଚୟନ କରିଥିଲେ ସେମାନଙ୍କ ପାଇଁ ଏହା କେବଳ ଏକ ସ୍ବାମ୍ବିଧାନିକ ବ୍ୟବସ୍ଥା ନଥୁଲା ବରଂ ଏକ ନୈତିକ ଆଶ୍ବାସନା ଥିଲା | ଭାଗ ଶିକ୍ଷାନୀତିକୁ ରୂପ ଦେବାରେ ଆଜାଦ୍ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ା ଶିକ୍ଷା ମନ୍ତ୍ରୀ ଭାବରେ ସେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (UGC), IIT ର ମୁଳଦୂଆ ପକାଇ ଜାତି ଓ ସମୁଦାୟୁ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର ବିକାଶକୁ ପ୍ରୋତ୍ସାହିତ କରିଥିଲେ | ତାଙ୍କର ବିଶ୍ବ ବିଶ୍ଵାସ ଥିଲା କୌଣସି ଦେଶର ପ୍ରଗତି ସେଠାକାର ସ୍ଵମ୍ବିଧାନିକ ଆର୍ଦଶ ବଦଳରେ ସଚେତନ ନାଗରିକ ଉପରେ ନିର୍ଭର କରିଥାଏ | ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା “ହୃଦୟ ରୁ ଦିଆଯାଇଥିବା ଶିକ୍ଷା ଦ୍ବାରା ସମାଜରେ ବିପ୍ଲବ ଆଣିବା ସମ୍ଭବ" | ସମ୍ବିଧାନ ସଭାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଅନ୍ୟତମ ବ୍ୟକ୍ତିତ୍ବ, ଥିଲେ ବେଗମ୍‌ ଐଜାଜ୍ ରସୁଲ୍ ଯିଏ ଏହି ଐତିହାସିକ ସଭାର ଏକମାତ୍ର ମୁସଲିମ ମହିଳା ସଦସ୍ୟ ଥିଲେ | ତାଙ୍କର କେବଳ ଉପସ୍ଥିତି ମାତ୍ର ତଥାକଥ୍ତ ପିତୃକେନ୍ଦ୍ରିକ ସମାଜର ସୀମାକୁ ଆହ୍ବାନ ଦେଇ ଭାଙ୍ଗିବାରେ ସକ୍ଷମ ହୋଇଥିଲା | ସେ ଲିଙ୍ଗଗତ ଅଧୀକାର ଏବଂ ସଂଖ୍ୟାଲଘୁ ସୁରକ୍ଷାର ଦୃଢ ସର୍ମଥକ ଥିଲେ | ଏକୀକୃତ ନିର୍ବାଚନ ପ୍ରଣାଳୀ ପାଇଁ ସେ ଦୃଢ ସ୍ବର ଉତ୍ତୋଳନ କରିଥିଲେ, ଯାହା ବର୍ତ୍ତମାନ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ମେରୁଦଣ୍ଡ ସଦୃଶ ଅଟେ | ଆସାମ୍ଭର ସଯୁଦ୍ର ମହମ୍ମଦ ଶାଦାଉଲ୍ଲା ଭାରତର ସଂଘୀୟ ବ୍ୟବସ୍ଥା ଓ ସଂଖ୍ୟାଲଘୁଙ୍କ ହିତର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଏହି ମୁସଲିମ୍ ନେତା ମାନେ କୌଣସି ବିଚ୍ଛିନ୍ନ ସ୍ତର ନଥିଲେ, ବରଂ ମୁସଲିମ୍ ମାନଙ୍କ ଦେଶାତ୍ମବୋଧର ଏକ ଅଙ୍ଗ ଥିଲେ ଯେଉଁମାନେ ଦେଶ ପ୍ରତି ନିଷ୍ଠା ଯେ ଧର୍ମ ଦ୍ବାରା ପ୍ରଭାବିତ ଏହି ଭାବନାକୁ ପ୍ରତ୍ୟାଖାନ କରିଥିଲେ | ଖାନ୍ ଅବଦୁଲ୍ ଗଫର୍ ଖାନ୍ ଙ୍କ ଭଳି ନେତା ଭାରତର ସମ୍ବିଧାନ ସଭାର ସଦସ୍ୟ ନଥାଇ ମଧ୍ୟ ଦୃଢଭାବରେ ଭାରତର ଏକତା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସର୍ମଥନ କରୁଥିଲେ | ସେମାନଙ୍କ ସାମୁହିକ ଉପସ୍ଥିତି ସାମ୍ପ୍ରଦାୟିକ ରାଜନୀତି ପ୍ରତି ଏକ ଶକ୍ତ ପ୍ରହାର ଏବଂ ଭାରତର ଗଣତାନ୍ତ୍ରିକ ଭବିଷ୍ୟତ ପ୍ରତି ଗଭୀର ବିଶ୍ବାସ ଥିଲା | ଭାରତୀୟ ସମ୍ବିଧାନର ପ୍ରଣୟନ ବିଷୟରେ ଅନୁଶୀଳନ କରିବା ସମୟରେ ଏହି ମୁସଲିମ୍ ନେତା ମାନଙ୍କୁ ମନେ ପକାଇବା ଉଚିତ୍, ଯେଉଁ ମାନେ କୌଣସି ସମ୍ପ୍ରଦାୟ ର ପ୍ରତିନିଧ୍ ଭାବରେ ନୁହେଁ ବରଂ ଦେଶର ଦୂରଦର୍ଶୀ ବ୍ୟକ୍ତିତ୍ବ ଭାବରେ ସମ୍ବିଧାନ ତିଆରି ପ୍ରକ୍ରିୟାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଜଣେ ଜଣେ ଜନନାୟକ | ସେମାନଙ୍କର ଅବଦାନ କେବଳ ସମ୍ବିଧାନ ପୃଷ୍ଠାରେ ଲିପିବଦ୍ଧ ହୋଇ ନାହିଁ ବରଂ ବର୍ଭମାନ ଆମେ ଯେଉଁ ଅଧିକାର ଏବଂ ସ୍ବାଧୀନତା ଉପଭୋଗ କରୁଛୁ ତାହା ମଧ୍ୟରେ ଜୀବିତ ହୋଇରହିଛି | ତାଙ୍କର ଏହି କାହଣୀ ଗୁଡିକ ଆମକୁ ମନେପକାଇ ଦେଇଥାଏ ଯେ ଆମ ଦେଶର ମୂଳଦୂଆ ଗଢିବାରେ ସମସ୍ତ ସମ୍ପ୍ରଦାୟର ଯୋଗଦାନ ରହିଛି ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ୍ ନୁହେଁ ବରଂ ଅନେକ ନାରୀ-ପୁରୁଷଙ୍କ ସାହାସ, ଦୂରଦୃଷ୍ଟି ଏବଂ ଦେଶାତ୍ମବୋଧର ସାକ୍ଷ୍ୟ ଅଟେ ଯେଉଁମାନେ ବିଭାଜନ ବଦଳରେ ଏକତାକୁ ଚୟନ କରିଥିଲେ | ଇନ୍ସା ୱାରସୀ (ଫ୍ରାଙ୍କୋଫୋନ୍‌ ଏବଂ ଜର୍ନାଲିଜମ୍ ଅଧ୍ଯୟନ ବିଭାଗ ) ଜାମିଆ ମିଲିଆ
Read More ...

୧୪ ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସ ବିଜୟୀ |

ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ୧୪ ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସର ୩ ଜଣ ଯୁବ କ୍ରୀଡ଼ାବିତ (୨ ଟି ସ୍ଵର୍ଣ୍ଣ ଓ ୩ ଟି ରୌପ୍ୟ ପଦକ) ବିଜୟୀ ହୋଇ ରାଜ୍ୟ ପୋଲିସକୁ ଗୌରବାନ୍ୱିତ କରିଛନ୍ତି। OISF, ଭୁବନେଶ୍ୱରରେ କାର୍ଯ୍ୟରତ କନଷ୍ଟେବଳ ବର୍ଷା ନାଥ ଭୋଭିନାମ ମାର୍ସଲ ଆର୍ଟ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି କନଷ୍ଟେବଳ ବିଶ୍ୱଜିତ ରାଉତ ୮୧ କେଜି ବର୍ଗରୁ ଅଧିକ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ବରିଷ୍ଠ ବିଭାଗରେ ୧ ଟି ସ୍ବର୍ଣ୍ଣ ଏବଂ ଅସି ଚାଳନା ବିଭାଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। କନଷ୍ଟେବଳ ଦିବ୍ୟରଞ୍ଜନ ଦଳାଇ ୯୫ କେଜି ରୁ ଅଧିକ ବର୍ଗ ଭୋଭିନାମ ମାର୍ସଲ ଆର୍ଟ ସିନିଅର ବିଭାଗରେ ୧ ଟି ରୌପ୍ୟ ଏବଂ କାଟା ( କରାଟେ)ରେ 1ଟି ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। କ୍ରୀଡ଼ାବିତଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Read More ...

ତିହିଡ଼ି ବ୍ଲକରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ସରୋଜ ଓଝା।

କଟକ (ଉତ୍କଳ ନ୍ୟୁଜ ) ୮-୯-୨୦୨୫ : ସରୋଜ କୁମାର ଓଝା ୨୦୨୪-୨୫ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପାଇଁ ଗୌରବ ଆଣି ଦେଇଛନ୍ତି । ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଶ୍ରୀ ଓଝା ଏବେ କାର୍ଯ୍ୟରତ ଅଛନ୍ତି । ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ବରେଣ୍ୟ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଅଭିନନ୍ଦନ ଉତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ସଭାଗୃହରେ ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ସରୋଜ କୁମାର ଦତ୍ତ, ଡେପୁଟି ଜିଲ୍ଲାପାଳ ଡ. କାର୍ତ୍ତିକନାଥ ମଣ୍ଡଳ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ତୃପ୍ତିମୟୀ ପାତ୍ର ଓ ଧରଣୀଧର ପାତ୍ରଙ୍କ ସମେତ ତିହିଡ଼ି ବ୍ଲକ୍ ଶିକ୍ଷାଧିକାରିଣୀ ସୂର୍ଯ୍ୟଶିଖା ମହାନ୍ତି ଓ ଅନ୍ୟ ମାନ୍ୟଗଣ୍ୟ ଅଧିକାରୀ ମଞ୍ଚାସୀନ ହୋଇ ପ୍ରତିଭାଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ଏବଂ ଆଦର୍ଶ ଶିକ୍ଷକ ସମେତ ଏକାଧାରରେ କବି ଓ ଲେଖକ ଶ୍ରୀ ଓଝା ଜଣେ ଚର୍ଚ୍ଚିତ ଚେହେରା । ନିକଟରେ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ଆଣି ବେଶ୍ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତାଙ୍କର ଉଦ୍ୟମ ଓ ପ୍ରଚେଷ୍ଟା ପାଇଁ ସମସ୍ତେ ଗର୍ବିତ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ |

କଟକ (ଉତ୍କଳ ନ୍ୟୁଜ ) ୦୧-୦୯-୨୦୨୫ : ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି I ନୀରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ରବିବାର ଦିନ ଏସ.ସି.ବି ମେଡିକାଲ କଲେଜ, କଟକର ସେଣ୍ଟ୍ରାଲ ଅଡିଟୋରିୟମ ଠାରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ (RSSDI ), ଓଡ଼ିଶା ଚାପ୍ଟର ର ୧୩ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ ସମାଜର ସମସ୍ତ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣେଇ ସ୍ୱାସ୍ଥ୍ୟ ସଚେତନାର ସଂସ୍କୃତି ସୃଷ୍ଟି ପାଇଁ ସାମୁହିକ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି I ମଧୁମେହ ରୋଗକୁ ଏକ ନୀରବ ମହାମାରୀ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରି ଭାରି ବୋଝ ପକାଇଥାଏ I ଏହି ରୋଗର ଜଟିଳତା ହୃଦରୋଗ ଏବଂ ବୃକକ ବିଫଳତାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ହ୍ରାସ ଏବଂ ନ୍ୟୁରୋପାଥି ଇତ୍ୟାଦି ସମସ୍ୟା ସୃଷ୍ଟିର କାରଣ ହୋଇଥାଏ ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ ହୋଇଥାଏ ବୋଲି କହିଥିଲେ I କୃତ୍ରିମ ବୁଦ୍ଧିମତା, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ନୂତନ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଚିକିତ୍ସା ଅଗ୍ରଗତି କରିଥିଲେ ହେଁ ନିବାରଣ ହିଁ ସବୁଠାରୁ ପ୍ରଭାଶାଳୀ ରଣନୀତି ହୋଇ ରହିଛି I ସନ୍ତୁଳିତ ପୁଷ୍ଟିସାର, ନିୟମିତ ବ୍ୟାୟାମ, ମାନସିକ ଚାପ ପରିଚାଳନା ଏବଂ ସମୟ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ I ଏ ଦିଗରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କର୍ମକ୍ଷେତ୍ର, ନାଗରିକ ସମାଜ ଏବଂ ଗଣମାଧ୍ୟମ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ I ପୋଲିଓ ନିରାକାରଣରେ ଭାରତର ସଫଳତା ସମ୍ପର୍କରେ ରାଜ୍ୟପାଳ ଅବତାରଣା କରି କହିଥିଲେ ଯେ ମଧୁମେହ ବିରୁଦ୍ଧରେ ଜିତିବା ପାଇଁ ସେହିପରି ସାମୁହିକ ମନୋଭାବ ଆବଶ୍ୟକ I କର୍କଟ, ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ ନିବାରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCDCS) ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ନିଶ୍ଚିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ଗବେଷକ ଏବଂ ସାମାଜିକ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ରହିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ I
ସମ୍ମିଳନୀରେ ଅଂଶଗ୍ରହଣକାରୀମାନେ ଏଠାରେ ପ୍ରାପ୍ତ ଜ୍ଞାନ ଓ ଅନ୍ତର୍ଦୃଷ୍ଟିକୁ ଆଗକୁ ବଢ଼ାଇ ଅର୍ଥପୂର୍ଣ୍ଣ ଭାବେ କାର୍ଯ୍ୟରେ ବିନିଯୋଗ କଲେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଶା ଏବଂ ଆରୋଗ୍ୟ ଆଣିପାରିବ I ମିଳିତ ଭାବରେ କରୁଣା, ପ୍ରତିବଦ୍ଧତା ଏବଂ ସହଯୋଗ ସହିତ ଆମେ ଏକ ଭବିଷ୍ୟତ କଳ୍ପନା କରିପାରିବା ଯେଉଁ ଠାରେ ମଧୁମେହ ଆମ ଲୋକଙ୍କ ଉପରେ ଛାପ ପକାଇବ ନାହିଁ ବୋଲି ରାଜ୍ୟପାଳ କହିଥିଲେ I ଏହି ଅବସରରେ ରାଜ୍ୟପାଳ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ସୁସ୍ଥ ଓଡ଼ିଶା ଏବଂ ସଶକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କର ଉତ୍ସର୍ଗୀକୃତ ପ୍ରୟାସ କାମନା କରିଥିଲେ I ଏହି ସମାରୋହରେ ଆପୋଲୋ ହସ୍ପିଟାଲ ହାଇଦ୍ରାବାଦର ବରିଷ୍ଠ ପରାମର୍ଶଦାତା ଡ଼ା ସିଏଚ ବସନ୍ତ କୁମାର, ଆରଏସଏସଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡ଼ା ସିଦ୍ଧାର୍ଥ ଦାଶ, ଆରଏସଏସଡିଆଇ ଓଡ଼ିଶାର ଚେୟାରମ୍ୟାନ ଡ଼ା ରମେଶ କୁମାର ଗୋଏଙ୍କା ଏବଂ ସମ୍ପାଦକ ଡ଼ା ସୁରେଶ କୁମାର ବଂଶଲ ବକ୍ତବ୍ୟ ପ୍ରଦାନ କରିଥିଲେ I ପ୍ରାରମ୍ଭରେ ଅନୁଷ୍ଠାନର ସାଂଗଠନିକ ଚେୟାରମ୍ୟାନ ପ୍ରଫେସର ଡ଼ା ଜୟନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଂଗଠନିକ ସମ୍ପାଦକ ଡ଼ା ଦେବାର୍ଚ୍ଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଜୀବନବ୍ୟାପୀ କୃତିତ୍ୱ ପାଇଁ ପ୍ରଫେସର ଡ଼ା ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆରଏସଏସଡିଆଇ ରୁରାଲ ଆଉଟରିଚ ପ୍ରୋଗ୍ରାମର ଶୁଭାରମ୍ଭ କରାଯିବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା I

Read More ...

ALL NEWS