ସ୍ୱାଭାବିକ ହେଉଛି ପାଗ କମିବ ବର୍ଷା |

77

ରାଜ୍ୟରେ ରଜଠାରୁ କୋହଲା ପାଗ ଲାଗି ରହିଥିବା ବେଳେ ୧୭ ତାରିଖଠାରୁ ଲଘୁଚାପ ଓ ମୌସୁମୀଜନିତ ବର୍ଷା ଜାରି ରହିଛି। ଫଳରେ ଜୁନ୍‌ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଏହି ସମୟ ଅବଧି ମଧ୍ୟରେ ୧୨୦.୩ ମିମି ବର୍ଷା ହୋଇଯାଇଥିବା ବେଳେ ଏହା ସ୍ବାଭାବିକ ବର୍ଷା ପରିମାଣ ୧୧୪.୯ ମିମିଠାରୁ ୫% ଅଧିକ। ହେଲେ ରାଜ୍ୟରେ ବର୍ଷାରେ ଅସମାନତା ଏବେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଜୁନ୍‌ ୧ରୁ ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷାର ସ୍ଥିତି ନିଅଣ୍ଟିଆ ରହିଥିବା ବେଳେ ଗତ ୫ ଦିନର ବର୍ଷା ଏହି ସ୍ଥିତିରେ ସୁଧାର ଆଣିଛି। ତଥାପି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ପୁରୀ ଓ ବାଲେଶ୍ବର ଜିଲ୍ଲାରେ ୨୦ରୁ ୫୯% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ସୁନ୍ଦରଗଡ଼ ଓ ଦେବଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୬୦%ରୁ ଅଧିକ। ଏଥିସହ ରାଜ୍ୟର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, କେନ୍ଦୁଝର, ଢେଙ୍କ‌ାନାଳ, ଜଗତସିଂହପୁର ଆଦି ୬ ଜିଲ୍ଲାରେ ଅଧିକ ବର୍ଷିଥିବା ବେଳେ ୧୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।ସକ୍ରିୟ ମୌସୁମୀ ବାୟୁ ଯୋଗୁଁ ରାଜ୍ୟରେ ୨୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।