ଆଲିଆ ମୀର: ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ |

582

କଟକ ( ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୬ ଛୋଟବେଳୁ ପଶୁ ପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଏବଂ କିଛି ପାରିପାର୍ଶିକ ଘଟଣା ପାଇଁ ଆଲିଆ ମୀର ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ । ପରବର୍ତି ସମୟରେ ଲିଙ୍ଗଭିଭିକ ପକ୍ଷପାତ ଓ ସାମାଜିକ ପ୍ରତିବନ୍ଧକତାକୁ ଅତିକ୍ରମ କରି ସେ ଶହ ଶହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି, ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ଭା ପ୍ରଚାର କରି ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି, ଯାହା ତାଙ୍କୁ ନିଜ ଲକ୍ଷ୍ୟ ଦିଗରେ ସଫଳତା ପାଇବା ସହିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବରେ ପରିଚୟ ଆଲିଆ ମୀର କୁହନ୍ତି, "ଆମ ସମାଜ ଏବେ ବି ପୁରୁଷପ୍ରଧାନ, ଯାହା ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ, ବିଶେଷକରି ଏପରି ଏକ ପେଶାରେ, ଯାହାକୁ ଅଧିକାଂଶ ଲୋକ ମହିଳାଙ୍କ ପାଇଁ ଉପଯୁକ୍ତ ବୋଲି ଭାବନ୍ତି ନାହିଁ । ଜଣେ ଉଦ୍ଧାରକାରୀ ଭାବେ କାମ କରୁଥିବା ସମୟରେ ମୋତେ ପ୍ରାୟତଃ ଅଣଦେଖା ଏବଂ ଅପମାନିତ କାରାଯାଇଛି I ମୋର ଏହି ପ୍ରୟାସ ପାଇଁ ଲୋକମାନେ ମତେ ଗୁରୁତ୍ବ ଦେଉନଥିଲେ ଏବଂ ମୋ ପଛରେ ଅନେକ କଟାକ୍ଷ କରି କହୁଥିଲେ ।" ୨୦୦୬ ମସିହା ନଭେମ୍ବର ୧୭ ତାରିଖରେ ଏକ କଳା ଏସିଆଟିକ୍ ଭାଲୁ ଜଙ୍ଗଲରୁ ବାହାରି କାଶ୍ମୀରର ପୁଲୁୱାମା ଜିଲ୍ଲାର ମାଣ୍ଡୋରା ଗାଁ ଭିତରକୁ ପଶି ଆସିଥିଲା । ଶେଷରେ ଉଭ୍ୟକ୍ତ ଲୋକମାନେ ବାଡ଼ି ଓ କାଠ ଦ୍ବାରା ଅସହାୟ ଭାଲୁଟିକୁ ଜୀବନ୍ତ ଜାଳିଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଭାଇରାଲ ହେବା ପରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଅନେକ ସଂଗଠନ ଏହି ନିର୍ମମ ହତ୍ୟାକୁ ତୀବ୍ର ନିନ୍ଦା କରିଥିଲେ । ସେତେବେଳେ ଦିଲ୍ଲୀରେ ରହୁଥ‌ିବା କାଶ୍ମୀର ମହିଳା ଆଲିଆ ମୀର ଏହି ଭଡ଼ିଓ ଦେଖ୍ ଗଭୀର ଭାବରେ ମର୍ମାହତ ହୋଇଥିଲେ କାରଣ ସେ ଛୋଟବେଳୁ ପଶୁପକ୍ଷୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ ଏବଂ ଘଟଣାଟି ତାଙ୍କ ନିଜ ରାଜ୍ୟରେ ଘଟିବା ହିଁ ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ତାଙ୍କ ବାପା ଆହତ ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କ ଯନ୍ତ୍ର ନେଉଥିଲେ । ଆଲିଆ ଓ ତାଙ୍କ ଭାଇଭଉଣୀମାନେ ଏଥିରେ ସହ‌ଯୋଗ କରୁଥିଲେ, ଯେଉଁଥିପାଇଁ ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଓ ମମତା ଜାଗ୍ରତ ହୋଇଥିଲା । ୨୦୦୨ ରେ ତାଙ୍କ ବିବାହ ବନ୍ୟପ୍ରାଣୀ ପଶୁ ଚିକିତ୍ସକ ଡ. ଶବ୍ଦିର ଅହମଦଙ୍କ ସହ ହୋଇଥିଲା । ବିବାହ ପରେ ପଶୁ ପକ୍ଷୀଙ୍କ ପ୍ରତି ତାଙ୍କ ଛୋଟବେଳର ଭଲପାଇବା ଧୀରେ ଧୀରେ ଗଭୀର ଆଗ୍ରହରେ ପରିଣତ ହୋଇଥିଲା ଏବଂ ସେ ଶିକ୍ଷୟତ୍ରୀ ଭାବରେ କାମ କରିବା ସ‌ହିତ Wildlife SOSର ଭେଟେରିନାରୀ ମେଡିକାଲ କ୍ୟମ୍ପରେ ସେଚ୍ଛାସେବୀ ଭାବେ କାମ ଆରମ୍ଭ କରି ତୃଣମୂଳ ସ୍ତରରେ ଅନେକ ବ୍ୟବାହାରିକ ଅଭିଜ୍ଞତା ହାସଲ କରିଥିଲେ । ୨୦୦୬ରେ ଭାଲୁଟିର ନିର୍ମମ ହତ୍ୟା ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଏହି ଘଟଣାରେ ବିଚଳିତ ହୋଇ ସେ ନିଜ ରାଜ୍ୟ କାଶ୍ମୀରକୁ ଫେରି ବନ୍ୟଜନ୍ତୁଙ୍କ. |ସୁରକ୍ଷା ଓ ଉଦ୍ଧାର ପାଇଁ କାମ କରିଥିଲେ । ତାଙ୍କ ସ୍ବାମୀ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ବନ୍ୟ ଜନ୍ତୁ ଉଦ୍ଧାରକୁ ନିଜ ଜୀବନର ଲକ୍ଷ୍ୟ କରିବା ପରେ ସେ ନିଜର ବୈଷୟିକ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିଲେ ଯେଉଁଥିରେ ଆନିମଲ ହେଲଥ୍ ଏବଂ ୱାଇଲଡ୍ ଲାଇଫ୍ କେୟାର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ୨୦୦୭ମସିହାରେ ଆଲିଆ ଦିଲ୍ଲୀରୁ କାଶ୍ମୀର ଫେରିଥିଲେ ଏବଂ Wildlife SOSର ଜାମ୍ମୁ କାଶ୍ମୀରର ପ୍ରକଳ୍ପ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ଷ ବର୍ଷ ଧରି ଆଲିଆ ମୀର କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଶହ ଶହ ସାପ, ଚିତାବାଘ, ଭାଲୁ ଓ ପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ସବୁଠାରୁ ଚର୍ଚ୍ଚିତ ସଫଳତା ମଧ୍ୟରୁ ଗୋଟିଏ ଥିଲା ଏକ ଅତ୍ୟନ୍ତ ବିଷାକ୍ତ ଲେବାଣ୍ଟାଇନ୍ ଭାଇପରକୁ ସୁରକ୍ଷିତ ଭାବେ ଧରିବା । ପ୍ରାୟ ଦୁଇ କିଲୋଗ୍ରାମ ଓଜନର ଏହି ସାପଟି ସେତେବେଳର ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହା ଆଲିଆ ମୀରଙ୍କୁ ସାରା ଦେଶରେ ପରିଚିତ କରିଥିଲା ଏବଂ ଜାତୀୟସ୍ତରରେ ଖବରର ଶିରୋନାମା ପାଲଟିଥିଲେ । ବର୍ତ୍ତମାନ ଆଲିଆ ମୀର Wildlife SOSର ଜାମ୍ମୁ ଓ କାଶ୍ମୀର ପ୍ରକଳ୍ପର ମୂଖ୍ୟ ଏବଂ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନିୟମିତ ଭାବେ ଗାଁ ଗୁଡ଼ିକୁ ଯାଇ ବନ୍ୟଜନ୍ତୁ ନିକଟସ୍ଥ ଅଞ୍ଚଳରେ ଦେଖାଗଲେ କିପରି ପ୍ରତିକ୍ରିୟା କରିବାକୁ ହେବ, ସେ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରନ୍ତି । ୨୦୨୩ ମସିହା ମାର୍ଚ୍ଚ ମାସରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ପାଇଁ ଜାମ୍ମୁ ଓ କାଶ୍ମୀର ସରକାର ତାଙ୍କୁ ସମ୍ମାନଜନକ ୱାଇଲଡଲାଇଫ୍ କନଜରଭେସନ୍ ଆୱାର୍ଡରେ ସମ୍ମାନିତ କରିଥିଲେ । ନିଜର ଦୃଢ଼ ସଂକଳ୍ପ ଓ ଅଦମ୍ୟ ଇଚ୍ଛାଶକ୍ତି ଦ୍ଵାରା ଆଲିଆ ମୀର ପ୍ରମାଣ କରିଛନ୍ତି ଯେ ପାରମ୍ପରିକ ଭାବେ ପୁରୁଷଙ୍କ ପାଇଁ ଉପଯୁକ୍ତ ବୋଲି ଧରାଯାଉଥିବା ବିପଦପୂର୍ଣ୍ଣ ପେଶାଗୁଡ଼ିକୁ ମହିଳାମାନେ ମଧ୍ୟ ସମାନ ଦକ୍ଷତା ଓ ନିଷ୍ଠାର ସହିତ କରିପାରିବେ । (ଆଫ୍ରୋଜ ଖାନ୍ ନିଉ)