ଚେତିଲେ ସରକାର: ସ୍କୁଲରେ ସୁରକ୍ଷା ଉପରେ ଗୁରୁତ୍ଵ, ହେଲ୍ପଲାଇନ୍ ନମ୍ବର ଜାରି |

74

କଟକ,(ଉତ୍କଳ ନ୍ୟୁଜ) ୧୭.୦୭.୨୦୨୫ : ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ କଲେଜ ଘଟଣା ପରେ ରାଜ୍ୟ ସରକାର ଚେତିଛନ୍ତି। ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ମହିଳା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବା ଲାଗି ଓଡ଼ିଶା ସରକାରଙ୍କ ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଗୁରୁବାର ରାଜ୍ୟର ସମସ୍ତ ଡିଇଓମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।ଏକ ଚିଠିରେ କୁହାଯାଇଛି ଯେ, କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକ ପାଳନ କରିବା ପାଇଁ ସମୟ ସମୟରେ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଯୋଗ୍ୟ ପ୍ରତିଷ୍ଠାନରେ ଆସିସିର ଗଠନ ଏବଂ ପୁନଃଗଠନ ସହିତ କାର୍ଯ୍ୟାନ୍ୱୟନ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମଧ୍ୟ ନିଶ୍ଚିତ କରିବାକୁ ଚିଠିରେ କୁହାଯାଇଛି, ଆପଣଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଗତ ସମସ୍ତ କାର୍ଯ୍ୟସ୍ଥଳରେ ଆଇନର ସମସ୍ତ ବ୍ୟବସ୍ଥାଗୁଡ଼ିକୁ ପାଳନ କରାଯାଉଥିବା ନେଇ ନିଶ୍ଚିତ କରିବା ଜରୁରୀ।ଏହା ସହିତ, ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ, ବିଶେଷକରି ଛାତ୍ରୀମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ-ଭାବପ୍ରବଣ ସୁସ୍ଥତା ପାଇଁ ବିଦ୍ୟାଳୟଗୁଡ଼ିକରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।ଏହି ପରିପ୍ରେକ୍ଷୀରେ, ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ସକାରାତ୍ମକ ଲିଙ୍ଗ ମନୋଭାବ ଏବଂ ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ଲିଙ୍ଗଭିତ୍ତିକ ହିଂସାକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ ‘ବର୍ଣ୍ଣାଳୀ’ ଲିଙ୍ଗ ସମାନତା କାର୍ଯ୍ୟକ୍ରମ ପାଠ୍ୟକ୍ରମକୁ ରାଜ୍ୟର ସମସ୍ତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସାମାଜିକ ଅଧ୍ୟୟନ ପାଠ୍ୟକ୍ରମ ସହିତ ସମନ୍ୱୟ କରି କଡ଼ାକଡ଼ି ଭାବେ ଅନୁସରଣ କରାଯିବା ଉଚିତ୍ ବୋଲି ଚିଠିରେ କୁହାଯାଇଛି।ଏହା ସହିତ ନିର୍ଦ୍ଦେଶ ଦିଆଯାଇଛି,ଡିଇଓମାନଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଗତ ସମସ୍ତ କର୍ମକ୍ଷେତ୍ର, ବିଦ୍ୟାଳୟ ଏବଂ ଆବାସିକ ଛାତ୍ରାବାସର ପ୍ରମୁଖ ସ୍ଥାନରେ ହେଲ୍ପଲାଇନ୍ ନମ୍ବରଗୁଡ଼ିକ ପ୍ରଦର୍ଶିତ ହେବା ଉଚିତ୍।ମହିଳା ହେଲ୍ପଲାଇନ୍-୧୮୧ ,ଶିଶୁ ସହାୟତା କେନ୍ଦ୍ର-୧୦୯୮ , ପୁଲିସ ହେଲ୍ପଲାଇନ୍ (ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ) -୧୧୨ ,ସ୍କୁଲ ଶିକ୍ଷାର୍ଥୀ ହେଲ୍ପଲାଇନ୍ -୧୮୦୦୩୪୫୬୭୨୨ ,ରାଜ୍ୟ ସରକାରଙ୍କ କମିସନର-କମ୍-ସେକ୍ରେଟାରି ଶାଲିନୀ ପଣ୍ଡିତ, ଆଇଏଏସ୍‌ଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଚିଠିକୁ ସମସ୍ତ ଡିଇଓଙ୍କୁ ପଠାଯାଇଛି। ଏହାର କପି ଅନୁପାଳନ ଏବଂ ତଦାରଖ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ମଧ୍ୟ ଜାରି କରାଯାଇଛି।