କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୫ : କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସମସ୍ତ ତାଲୁକା ଆଇନ ସେବା କମିଟି ପରିସରରେ ୨୦୨୫ ମସିହାର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ବହୁ ସଂଖ୍ଯାରେ ଜନସାଧାରଣ ଏହି ଲୋକ ଅଦାଲତର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ପ୍ରାକ ବିଚାରଧୀନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି(ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତିପୂରଣ, ପାରିବାରିକ ସମସ୍ୟା, ଚେକ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରଧୀନ ମାମଲା ନୁହେଁ ପ୍ରାକ ମକଦ୍ଦମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା ) ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଚେକ ବାଉନ୍ସ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଯଦି କୌଣସି ବିଚାରଧୀନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ତଥା ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ନିମନ୍ତେ ଜନସାଧାରଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହି ଲୋକ ଅଦାଲତରେ ମକଦ୍ଦମା ତଥା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ ଓ ଚୁଡାନ୍ତ ଏବଂ ଅମଳଯୋଗ୍ୟ ଅଟେ । ବିସ୍ତୃତ ସୂଚନା ନିମନ୍ତେ ଜନସାଧାରଣ ଜିଲ୍ଲା ବା ତାଲୁକସ୍ତରୀୟ ଆଇନସେବା କାର୍ଯ୍ୟାଳୟ ସହ ଯୋଗସୂତ୍ର ରକ୍ଷା କରିପାରିବେ କିମ୍ବା ଟେଲିଫୋନ ନମ୍ବର ୦୬୭୧-୨୩୬୮୩୮୩ରେ ମଧ୍ୟ ଯୋଗାଯୋଗ କରିବାକୁ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚାଇ ଦିଆଯାଇଛି ।