ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି କରିବା ବିଳମ୍ବତା ନେଇ ପୋଲିସକୁ ଦାୟୀ କଲେ ପରିବାର ଲୋକେ |

100

କଟକ (ଉତ୍କଳ ନ୍ୟୁଜ ) ୨୪-୦୫-୨୦୨୫ : ଚୋରୀ ସନ୍ଦେହରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେବଳ ସେତିକି ନୁହେଁ ପୀଡିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ ଓ କ୍ଷତାକ୍ତ ଚିହ୍ନ ପରିଲକ୍ଷିତ ହୋଇଛି । ମାଡ ମାରି ଦୀର୍ଘ ଦୁଇ କିଲୋମିଟର ଥାନାକୁ ଆଣି ପୋଲିସର ଜିମା ଦେଇଥିଲେ ଅଭିଯୁକ୍ତ । ଘଟଣାର କିଛି ସମୟ ପରେ ଖବର ପାଇ ପୀଡିତଙ୍କ ପରିବାର ଲୋକେ ପୋଲିସଙ୍କୁ ଭେଟିଥିଲେ । ସେଠାରେ ମଧ୍ୟ ପୋଲିସ ଆଗରେ ଅଭିଯୁକ୍ତମାନେ ସଂପୃକ୍ତ ଯୁବକଙ୍କ ମାଡ ମାରୁଥିବା ଦେଖିଥିଲେ । ଏତତ୍ ବ୍ୟତିତ ମେଡିକାଲରେ ଭର୍ତ୍ତୀ କରିବାକୁ ପୋଲିସକୁ କାକୁତି ମିନତୀ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଗଣମାଧ୍ୟମରେ ହସ୍ତକ୍ଷେପରେ ପୀଡିତଙ୍କୁ ପୋଲିସ ହେପାଜତରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ । ଏହି ଥାନାଧିନ ବାମନବିନ୍ଧା ଗାଁର ବନମାଳି ଦାସଙ୍କ ପୁଅ କୁଶ ଦାସଙ୍କୁ ଏପରି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କୁଶଙ୍କ ସ୍ତ୍ରୀ ବାସନ୍ତୀ ଓ ଭାଇ ରଞ୍ଜିତଙ୍କ କହିବାନୁସାରେ ଅପରପକ୍ଷ ୫ ଜଣ ଯୁବକ ପୀଡିତଙ୍କୁ ଚୋରୀ କରିଥିବା ସନ୍ଦେହ କରିଛନ୍ତି । ଯାହାକୁ ନେଇ ଏହି ପରିବାରକୁ ଜାତିଆଣା ମନୋଭାବ ପ୍ରଦର୍ଶନ ପୂର୍ବକ ଗାଳି ଗୁଲଜ କରି ଆସୁଛନ୍ତି । ଶୁକ୍ରବାର କୌଣସି ଏକ ଘଟଣାରେ ଅଭିଯୁକ୍ତମାନେ ଏହି ପରିବାର ମହିଳାମାନଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହି ମାଡ ମଧ୍ୟ ମାରିଥିଲେ ।

ପୂନଶ୍ଚ ଶନିବାର ଦିବା ପ୍ରାୟ ୩ ଘଟିକାରେ କୁଶ ବଜାର ଯାଉଥିବା ବେଳେ ପୀରହାଟ ପୁରୁଣା ବଜାରସ୍ଥିତ ତାରିଣୀ ଛକରେ ଅପରପକ୍ଷ ମାଡି ବସି ମରଣାନ୍ତକ ଆକ୍ରମଣ କରିଥିଲେ । ମାଡ ମାରି ଥାନାରେ ଜିମା ଦେଇଥିଲେ । ଖବର ପାଇ ତାଙ୍କ ସ୍ତ୍ରୀ ଓ ସାନ ଭାଇ ଥାନାକୁ ଯାଇଥିଲେ । ସେଠାରେ ମଧ୍ୟ ଅଭିଯୁକ୍ତମାନେ ପୋଲିସ ଉପସ୍ଥିତିରେ କୁଶଙ୍କୁ ମାଡ ମାରୁଥିବାର ସେମାନେ ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରିବା ପାଇଁ ଆକୁଳ ନିବେଦନ କରିଥିଲେ ମଧ୍ୟ ପୋଲିସ ଶୁଣି ନଥିଲା । ଯାହାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଗଣମାଧ୍ୟମର ହସ୍ତକ୍ଷେପରେ ଦିବା ପ୍ରାୟ ୫.୪୫ ଘଟିକାରେ କୁଶଙ୍କୁ ପୋଲିସ ମେଡିକାଲ ନେଇଥିବା ଜଣାଯାଇଛି । ଘଟଣାକୁ ନେଇ ଅଞ୍ଚଳବାସୀ ପୋଲିସ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଶୁଣିବାକୁ ମିଳୁଛି । କୁଶଙ୍କ ଅବସ୍ଥା ଗୁରୁତର ହେବାରୁ ସଂଧ୍ୟାରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ କୁଶଙ୍କ ସ୍ତ୍ରୀ ଦାବୀ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |