କଟକ (ଉତ୍କଳ ନ୍ୟୁଜ ) ୧୯-୮-୨୦୨୫ : ,ପ୍ରବଳ ବର୍ଷା ଯୋଗୁଁ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି | ଗତ ଚବିଶ ଘଣ୍ଟା ମଧ୍ୟରେ ଚେମବ୍ୟୁରରେ ୯୧.୫ , ଭିକ୍ରୋଲିରେ ୭୮.୫ , ଜୁହୁରେ ୬୦.୦ , ସାୟନରେ ୫୮.୫, ବାନ୍ଦ୍ରାରେ ୫୦.୦ ସନ୍ତାକୄଜରେ ୪୭.୨ ଏବଂ କୋଲାବାରେ ୨୯.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ସହରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଥିବା ବେଳେ ବାସ, ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି | ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ସମସ୍ତ ସ୍କୁଲକୁ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଅଛି |ଲୋକାଲ ଟ୍ରେନ ଉପରେ ନିର୍ଭର କରୁଥିବା ଲୋକଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି | ପ୍ରବଳ ବର୍ଷାରେ ସତର୍କତା ଅବଲମ୍ବନ କରିବାକୁ ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି |