କଟକ (ଉତ୍କଳ ନ୍ୟୁଜ ) ୮-୯-୨୦୨୫ : ସରୋଜ କୁମାର ଓଝା ୨୦୨୪-୨୫ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପାଇଁ ଗୌରବ ଆଣି ଦେଇଛନ୍ତି । ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଶ୍ରୀ ଓଝା ଏବେ କାର୍ଯ୍ୟରତ ଅଛନ୍ତି । ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ବରେଣ୍ୟ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଅଭିନନ୍ଦନ ଉତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ସଭାଗୃହରେ ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ସରୋଜ କୁମାର ଦତ୍ତ, ଡେପୁଟି ଜିଲ୍ଲାପାଳ ଡ. କାର୍ତ୍ତିକନାଥ ମଣ୍ଡଳ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ତୃପ୍ତିମୟୀ ପାତ୍ର ଓ ଧରଣୀଧର ପାତ୍ରଙ୍କ ସମେତ ତିହିଡ଼ି ବ୍ଲକ୍ ଶିକ୍ଷାଧିକାରିଣୀ ସୂର୍ଯ୍ୟଶିଖା ମହାନ୍ତି ଓ ଅନ୍ୟ ମାନ୍ୟଗଣ୍ୟ ଅଧିକାରୀ ମଞ୍ଚାସୀନ ହୋଇ ପ୍ରତିଭାଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ଏବଂ ଆଦର୍ଶ ଶିକ୍ଷକ ସମେତ ଏକାଧାରରେ କବି ଓ ଲେଖକ ଶ୍ରୀ ଓଝା ଜଣେ ଚର୍ଚ୍ଚିତ ଚେହେରା । ନିକଟରେ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ଆଣି ବେଶ୍ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତାଙ୍କର ଉଦ୍ୟମ ଓ ପ୍ରଚେଷ୍ଟା ପାଇଁ ସମସ୍ତେ ଗର୍ବିତ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |