ସିପିଆଇ(ଏମ) ପକ୍ଷରୁ ତିହିଡି ଠାରେ ଅନୁଷ୍ଠିତ ହେବାକୁ ଥିବା ବସ୍ ବଂଦ ଆନ୍ଦୋଳନ ସ୍ଥଗିତ।

44

କଟକ (ଉତ୍କଳ ନ୍ୟୁଜ ) ୨୭-୧୧-୨୦୨୫ : ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥର ଚାଲୁଥିବା ସମସ୍ତ ଘରୋଇ ବସ୍ ସରକାରଙ୍କ ଧାର୍ଯ୍ୟ ଭଡା ଠାରୁ ଅତ୍ୟଧିକ ଭଡା ଆଦାୟ କରିବା ପ୍ରତିବାଦରେ ସିପିଆଇ(ଏମ) ପକ୍ଷରୁ ନଭେମ୍ବର ୨୪ ରେ ତିହିଡି ଠାରେ ବସ୍ ବଂଦ ଆନ୍ଦୋଳନ ହେବା ପାଇଁ ଆହ୍ୱାନ ଦିଆ ଯାଇଥିଲା । ଆଜି ଅପରାହ୍ନରେ ତିହିଡି ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ସଂଯୋଜନାରେ ତିହିଡି ଥାନା ପରିସରରେ ସିପିଆଇ(ଏମ) ନେତୃତ୍ବ ଓ ଭଦ୍ରକ ବସ ସିଣ୍ଡିକେଟ କର୍ମକର୍ତ୍ତଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମ) ତିହିଡି ଆଞ୍ଚଳିକ କମିଟି ପକ୍ଷରୁ ଦାବି କରା ଯାଇଥିବା ସମସ୍ତ ଦାବିକୁ ବସ ସିଣ୍ଡିକେଟ ମାନି ନେଇଥିଲା ଓ ସରକାରୀ ବସ୍ ଚାଲିବା ଦାବି ସଂପର୍କରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସିପିଆଇଏମ ନେତୃବୃନ୍ଦ ପ୍ରକାଶ କରିଥିଲେ। ସମସ୍ତ ଘରୋଇ ସାଧାରଣ ବସ କିଲୋମିଟର ପିଛା ୮୯ ପଇସା ଭଡା ଆଦାୟ କରିବା, ସମସ୍ତ ଏକ୍ସପ୍ରେସ୍ ବସ କିଲୋମିଟର ପିଛା ୯୩ ପଇସା ଭଡା ଆଦାୟ ,ଡିଲକ୍ସ ବସରେ କିଲୋମିଟର ପିଛା ୧ ଟଙ୍କା ୨୯ ପଇସା, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୧ ଟଙ୍କା ୫୭ ପଇସା ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ ଅଥୋରିଟି ନୋଟିସ୍ କରିଥିବା ବେଳେ ଚାନ୍ଦବାଲି -ଭଦ୍ରକ ରୁଟରେ ଚାଲିଥିବା ବସମାଲିକ ମାନେ ଅତ୍ୟଧିକ ଭଡା ଆଦାୟ କରୁଥିବାରୁ ଭଦ୍ରକ, ତିହିଡି ଓ ଚାନ୍ଦବାଲି ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା । ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଅଧିକ ସଂଖ୍ୟକ ଓଏସଆରଟିସି ତତ୍ତ୍ୱାବଧାନରେ ସରକାରୀ ବସ ଚଳାଚଳ କରିବା, ସମସ୍ତ ଘରୋଇ ବସରେ ଅତ୍ୟଧିକ ଭଡା ପରିବର୍ତ୍ତେ ସରକାରୀ ଧାର୍ଯ୍ୟ ଭଡା ଆଦାୟ କରିବା, ବସ ରେ ମହିଳା ଓ ସିନିଅର ସିଟିଜେନ୍ସ ମାନପ୍ରଦର୍ଶନ କରିବା, ସମସ୍ତ ଘରୋଇ ବସରେ ସରକାରୀ ବସ୍ ଭଡା ଓ ବସର ପ୍ରକାର ପ୍ରଦର୍ଶନ କରିବା, ଘରୋଇ ବସରେ ଓଭରଲୋଡିଂ ଓ ଧାର୍ଯ୍ୟ ସିଟ ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ ବନ୍ଦ କରିବା, ଗୋଟିଏ ଷ୍ଟପେଜରୁ ଅନ୍ୟ ପାଖ ଷ୍ଟପେଜକୁ ସର୍ବନିମ୍ନ ଭଡା ୧୦ ଟଙ୍କା ଆଦାୟ ପରିବର୍ତ୍ତେ ୫ ଟଙ୍କା ଆଦାୟ ଆଦି ଦାବିକୁ ପୂରଣ କରିବା ପାଇଁ ବସ ସିଣ୍ଡିକେଟ ରାଜି ହୋଇଥିବା ବେଳେ ସରକାରୀ ବସ୍ ଚାଲିବା ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଆଗାମୀ ଦିନରେ ଦାବି ଜଣାଯିବ ବୋଲି ସିପିଆଇ(ଏମ) ନେତୃତ୍ବ ପ୍ରକାଶ କରିଥିଲେ । ଏହି ଆଲୋଚନା ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ତିହିଡି ଆଞ୍ଚଳିକ କମିଟି ସଂପାଦକ ବିଷ୍ଣୁ ଦାଶ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ରାଜ୍ୟ କମିଟି ସଭ୍ୟ ରାଜକିଶୋର ଲେଙ୍କା, ସିପିଆଇ(ଏମ)ର ବରିଷ୍ଠ ନେତା ନିର୍ମଳ ଦଳେଇ, ସିପିଆଇ(ଏମ) ନେତା ସତ୍ୟବ୍ରତ କୁଣ୍ଡ, ମନମୋହନ କୁଣ୍ଡ, ଭଦ୍ରକ ବସ ସିଣ୍ଡିକେଟର ସଭାପତି ଶ୍ରୀନିବାସ ପତି, ବସ ସିଣ୍ଡିକେଟ ଯୁଗ୍ମ ସଂପାଦକ ନିଶିକାନ୍ତ ପଣ୍ଡା, ବସ ମାଲିକ ଇମତାଜ ଅଲ୍ଲୀ ଖାନ୍, ବାର ଖାନ୍ ଓ ବରିଷ୍ଠ ସାମ୍ବାଦିକ ରବିନାରାୟଣ ନାୟକ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବସ ସିଣ୍ଡିକେଟ ଓ ଜିଲ୍ଲା ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ପାଇବା ପରେ ନଭେମ୍ବର ୨୪ରେ ତିହିଡି ଠାରେ ଅନୁଷ୍ଠିତ ହେବାକୁ ଥିବା ବସ୍ ବନ୍ଦ ଆନ୍ଦୋଳନକୁ ସିପିଆଇ(ଏମ) ପକ୍ଷରୁ ସ୍ଥଗିତ ରଖା ଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |