କଟକ (ଉତ୍କଳ ନ୍ୟୁଜ ) ୧୩-୧୨-୨୦୨୪ : ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ବା Young Astronomers Talent Search (ୟ୍ୟାଟ୍ସ)ର ୧୮ତମ ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ୧୮୩୫ ମସିହାରେ ନୟାଗଡ ଖଣ୍ଡପଡାର ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ ନଳୀରେ ମହାକାଶ ରେ ଗ୍ରହ ନକ୍ଷତ୍ରର ଗତିବିଧିକୁ ଲକ୍ଷ୍ୟ କରି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ନିର୍ଦ୍ଧାରଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ସେହିଭଳି ଜ୍ୟୋତିର୍ବିଜ୍ଞାନର ଜନକ ଆର୍ଯ୍ୟଭଟ୍ଟ ପ୍ରଥମେ ନିର୍ଣ୍ଣୟ କରିଥିଲେ ପୃଥିବୀ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରୁଛି। ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣୀ, ଭାରତ ଜ୍ୟୋତିର୍ବିଜ୍ଞାନକୁ ଋଦ୍ଧିମନ୍ତ କରିଛି। ଆଧୁନିକ ଜଗତରେ ଯେତେବେଳେ ବି ମହାକାଶ ବିଜ୍ଞାନର ଚର୍ଚ୍ଚା ହେବ, ଭାରତୀୟ ସଂସ୍କୃତିର ଅବଦାନ ବିନା ଏହା ଅସମ୍ପୂର୍ଣ୍ଣ ରହିବ ବୋଲି ସେ କହିଥିଲେ। ସେ ଆହୁରି ପୁଣି କହିଥିଲେ ଯେ, ବିଶ୍ୱର ପ୍ରଥମ ପାଞ୍ଚ ଗୋଟି ମହାକାଶ ବିଜ୍ଞାନରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଆମ ଦେଶ ଭାରତ ରହିଛି। ଆଜି ବିଜ୍ଞାନ ଯୁଗରେ ଆମ ବୈଜ୍ଞାନିକମାନେ ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ପୃଥିବୀର ଉଭୟ ପାର୍ଶ୍ୱକୁ ମିଶାଇ ପ୍ରାୟ ୯୩ ନିୟୁତ ଆଲୋକ ବର୍ଷ ପରିମିତ ଅଞ୍ଚଳକୁ ନିରିକ୍ଷଣ କରିପାରୁଛନ୍ତି। ଆମ ବିଜ୍ଞାନ ଆଜି ଏତେ ଅଗ୍ରଗତି କରିଛି ଯେ, ଆଗାମୀ ଦିନରେ ଅନ୍ୟ ଗ୍ରହରେ ଜୀବନର ସତ୍ତା ମଧ୍ୟ ଖୋଜି ପାଇବାରେ ସକ୍ଷମ ହେବେ ବୋଲି ମୋର ବିଶ୍ୱାସ।

ଚନ୍ଦ୍ରଯାନ-୨, ଗଗନଯାନ, ଆଦିତ୍ୟ-L-1 ପରି ଐତିହାସିକ ଘଟଣା ଆମ ବିଶ୍ୱାସକୁ ଦୃଢିଭୂତ କରିଛି। ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଯାନ ପହଞ୍ଚାଇବାରେ ବିଶ୍ୱର ପ୍ରଥମ ଦେଶ । ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୫ ସୁଦ୍ଧା ଭାରତର ନିଜସ୍ୱ Space Station ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ପ୍ରଥମ ଭାରତୀୟଙ୍କୁ ପଠାଇବା ପାଇଁ ଘୋଷଣା କରିଛନ୍ତି। ଏହି ଦୁଇ ପ୍ରକଳ୍ପରେ ବୈଜ୍ଞାନିକ ଭାବେ ସାମିଲ ହେବା ପାଇଁ ସେ ଉପସ୍ଥିତ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନରେ ଯିବେ। କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଉପସ୍ଥିତ ଯୁବ ପ୍ରତିଭାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରି ନିଜର ଅଭିଭାଷଣ ରଖିଥିଲେ। ଟାଟା ଷ୍ଟିଲ କଳିଙ୍ଗନଗରର ଅପରେସନ ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମର ଭାରପ୍ରାପ୍ତ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।