୧୭ତମ ପୋଲିସ କମିଶନରେଟ ସ୍ଥାପନା ଦିବସ - ୨୦୨୫ |

105

କଟକ (ଉତ୍କଳନ୍ୟୁଜ ) ୨୨-୦୫-୨୦୨୫ : କଟକ-ଭୁବନେଶ୍ୱରର ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ନିମନ୍ତେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବା ଇତ୍ୟାଦିରେ ଆମ କମିଶନରେଟ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରୁଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଟକ କମିଶନରେଟ ପୋଲିସର ୧୭ ତମ ସ୍ଥାପନା ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି । ଏହି ଉପଲକ୍ଷେ ଭୁବନେଶ୍ୱର ୭ ମ ବାଟାଲିଅନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶରେ ଥିବା ସମସ୍ତ କମିଶନରେଟ ପୋଲିସ ମଧ୍ୟରେ ଭୁବନେଶ୍ୱର-କଟକ କମିଶନରେଟ ଏକ ଦକ୍ଷ, ଉନ୍ନତ, ଦାୟିତ୍ୱବାନ୍‍ ଓ ସମ୍ବେଦନଶୀଳ ପୋଲିସ ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗତ ୧୧ ମାସ କମିଶନରେଟ ପୋଲିସ ପାଇଁ ଘଟଣା ବହୁଳ ଥିଲା । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ଅନେକ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ତୃଟିଶୂନ୍ୟ ଭାବେ ଏସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ଏବଂ ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ପୋଲିସବାହିନୀ ଅକ୍ଲାନ୍ତ ପରିଶ୍ରମ କରି ଓଡ଼ିଶାକୁ ଏକ ସୁଦକ୍ଷ ଓ ଆଦର୍ଶ ଆୟୋଜକର ମାନ୍ୟତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର, ଲୋକଙ୍କ ସରକାର । ପୋଲିସ ନିଜକୁ ଲୋକମାନଙ୍କ ବନ୍ଧୁ ଭାବେ ଭାବିବା ଉଚିତ । ଲୋକଙ୍କ ସୁବିଧା ଅସୁବିଧାରେ ରହି ସେମାନଙ୍କ ପାଇଁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଲୋକଙ୍କ ଧନ, ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ଦରକାର । ଆପଣମାନେ ଜନସାଧାରଣଙ୍କ ସମସ୍ତ ଅଭିଯୋଗ ଓ ଅସୁବିଧାକୁ ସମ୍ୱେଦନଶୀଳ ଭାବେ ବିବେଚନା କରି ନ୍ୟାୟ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମାଜର ସବୁ ସ୍ତରର, ସବୁ ବର୍ଗର ଲୋକଙ୍କୁ ଓ ସବୁ ଶ୍ରେଣୀର ଲୋକ ଯେପରି ପୋଲିସ ପାଖରୁ ଉପଯୁକ୍ତ ନ୍ୟାୟ ପାଇବେ ସେ ଦିଗରେ ପରାମର୍ଶ ଦେଇଥିଲେ । ସାଇବର ଅପରାଧକୁ ମୁକାବିଲା କରିବା ପାଇଁ Technical Gadgets, Equipment’s ଇତ୍ୟାଦି ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସବୁ ଜିଲ୍ଲାରେ ସାଇବର ପୋଲିସ ଷ୍ଟେସନ ସ୍ଥାପନା ହୋଇଛି । ଆଗାମୀ ଦିନରେ ଏ ଗୁଡ଼ିକୁ ଆହୁରି ସଶକ୍ତ ଓ ସୁଦକ୍ଷ କରାଯିବ । ବସ୍ତି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଉତ୍ତମ ପରିବେଶ ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ ଆହୁରି କହିଥିଲେ ଆମ ସରକାର ପୋଲିସ ବାହିନୀର ମାନବ ସମ୍ୱଳ, ଭିତ୍ତିଭୂମି ଇତ୍ୟାଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ପୋଲିସ modernization ନିମନ୍ତେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭିଜନ ‘Smart Policing’ ଉପରେ ଗୁରୁତ୍ୱ ଦେଇ Smart Police ଗଠନର ଉଦ୍ଦେଶ୍ୟକୁ ପୂରଣ କରିବା ନିମନ୍ତେ ଆମ ସରକାର ବଦ୍ଧପରିକର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ରିଜର୍ଭ ପୋଲିସ ଲାଇନର ନବନିର୍ମିତ ୮୪ଟି ଏଫ୍‍ ଟାଇପ୍‍ କ୍ୱାଟର୍ସ, ବଡ଼ଗଡ଼ ଥାନା ଅଞ୍ଚଳରେ ୨୮ଟି ଡି ଟାଇପ୍‍ କ୍ୱାଟର୍ସ ଉଦ୍‍ଘାଟନ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଓ ଦକ୍ଷତା ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ କହିଥିଲେ ଯେ, କମିଶନରେଟ ପୋଲିସର ଏହି ୧୭ ବର୍ଷ ଯାତ୍ରା ଭିତରେ ଅନେକ ଆହ୍ୱାନର ସଫଳତାର ସହ ମୁକାବିଲା କରି ଆଜି ଦେଶର ଅନ୍ୟତମ ଶ୍ରେଷ୍ଠ କମିଶନରେଟ ଭାବେ ଏହା ପ୍ରତିଷ୍ଠିତ ହୋଇଛି । ଅପରାଧ ନିରାକରଣ, ଅପରାଧର ଅନୁସନ୍ଧାନ ଏବଂ ଦୋଷୀକୁ ନ୍ୟାୟିକ ଦଣ୍ଡ ଦେବା ବ୍ୟବସ୍ଥାରେ କମିଶନରେଟ ପୋଲିସ ପ୍ରଂଶସା ଯୋଗ୍ୟ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ତଥା ଜନସାଧାରଣଙ୍କୁ ଉଚିତ ଏବଂ ଉନ୍ନତ ସେବା ଯୋଗାଇବାର ଆହ୍ୱାନକୁ ପାଳନ କରି ଆଜି ପୋଲିସ ନିଜର କାର୍ଯ୍ୟଦକ୍ଷତା ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହୋଇଛି । ନିକଟରେ ଏକ ଅନ୍ଧୁଣୀ ମା’କୋଳକୁ ଅପହରଣ ହୋଇଥିବା ତା’ର ଶିଶୁକୁ ଉଦ୍ଧାର କରି ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ପରେ ଜନସାଧାରଣ ଆଗରେ ପୋଲିସର ଭାବମୂର୍ତ୍ତି ଆହୁରି ଉଜ୍ୱଳ ହୋଇପାରିଛି । ଏକ ସୁରକ୍ଷିତ ସମାଜ ଏବଂ ପ୍ରେରଣାଦାୟୀ ପୋଲିସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସର ପ୍ରତ୍ୟେକ କର୍ମଚାରୀ ନିଃସ୍ୱାର୍ଥପର ଭାବେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକ ପୋଲିସ କମିଶନର ଡ. ଏସ୍‍. ଦେବଦତ୍ତ ସିଂ ସ୍ୱାଗତ ଭାଷଣ ଦେଇଥିଲେ । ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ବରିଷ୍ଠ ପୋଲିସ ଅଧିକାରୀଗଣ ଏବଂ ଅବସରପ୍ରାପ୍ତ ପୋଲିସ ଅଧିକାରୀଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।