ତଳଗୋପବିନ୍ଧାରେ ଭାଙ୍ଗିଲା ୬୦ ଫଟ୍‌ର ନାଳିଆ ଆଡିବନ୍ଧ |

34

କଟକ ( ଉତ୍କଳ ନ୍ୟୁଜ ) ୨୦-୦୮-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପବିନ୍ଧା ପଞ୍ଚାୟତ ଅଧିନ ମାତ୍ତଗଜପୁର ଗ୍ରାମ ନିକଟରେଥିବା ସାଳନ୍ଦୀ ନଦୀର ଶାଖା ନାଳିଆ ନଈରେ ଆଡିବନ୍ଧ ଭାଙ୍ଗି ଯାଇଛି । ଫଳରେ ନଈରେ ୬୦ଫୁଟ ଓସାରର ଘାଇ ସୃଷ୍ଟି ହୋଇ ବନ୍ୟାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପ୍ରବେଶ କରିଛି । ପ୍ରାୟ ୬ହଜାର ଲୋକ ପାଣି ଘେରରେ ରହିଥିବା ଜଣା ଯାଇଛି । ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାତିରେ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କିପରି ନଦୀର ସ୍ରୋତକୁ ରୋକି ହେବ ସେଦିଗରେ ଉଦ୍ୟମ କରିବାକୁ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କୁ ପରାମର୍ଶ ଦେଇଥିଲେ । ଯନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ବିଭାଗୀୟ ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ଘାଇରେ ସ୍ରୋତକୁ ବାଲିବସ୍ତା ସହାୟତାରେ ରୋକିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ନଦୀର ପ୍ରଖର ସ୍ରୋତରେ ବାଲିବସ୍ତା ଭାସି ଯିବାରୁ ନଈରେ ବନ୍ଧ ବାନ୍ଧିବାକୁ ସକ୍ଷମ ହୋଇ ପାରିନଥିଲେ । ବିଭାଗୀୟ ଯନ୍ତ୍ରୀମାନେ ସ୍ରୋତ କମିଲେ ଘାଇ ମରାମତି କରିବେ ବୋଲି କହିଥିଲେ । ନାଳିଆ ନଈରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବା ଫଳରେ ତଳଗୋପବିନ୍ଧା ପଞ୍ଚାୟତର ତଳଗୋପ, ହଟନଗର, ନିଶ୍ଚନ୍ତା, ମାତ୍ତଗଜପୁର, ନାଥପଡ଼ା, ନରସିଂହପୁର, ମାଙ୍କଡ଼କୋଲା, ମିରିପୁର, ପାଇକସାହି, ଖଟୁଆସାହି ପ୍ରମୁଖ ଗ୍ରାମ ଜଳମଗ୍ନ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |