କଟକ ( ଉତ୍କଳ ନ୍ୟୁଜ ). ୨୦-୦୮-୨୦୨୬ : ବନ୍ୟା ପାଣି ନିଷ୍କାସନର ବାଧକ ସାଜୁଛି ଧାମରା ରେଳପଥ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ । ଚଳିତ ବନ୍ୟାରେ ଲୋକେ ଅତିଷ୍ଟ ହୋଇଥିଲେ ଶେଷରେ ଧାମରା ବନ୍ଦରକୁ ଦାୟୀକରି କଲେ ରେଳପଥ ଅବରୋଧ । ଭଦ୍ରକ-ଧାମରା ରେଳପଥର ତିହିଡି଼ ବ୍ଲକ ରାଜନଗର ପଞ୍ଚାୟତ ଅଧୀନ ଗୁରୁଦାସପୁର ଠାରେ ବନ୍ୟା ଜଳ ନିଷ୍କାସନ ନ ହେବା ପ୍ରତିବାଦରେ ଗୁରୁବାର ୪ଘଣ୍ଟା କାଳ ରେଳପଥ ଅବରୋଧ କରାଯାଇଛି । ରେଳପଥରେ ବନ୍ୟା ପାଣି ନିଷ୍କାସିତ ହୋଇ ନ ପାରିବାରୁ ଗୁରୁଦାସପୁର ଗ୍ରାମବାସୀ ସକାଳ ୭ଟା ଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ରେଳପଥ ଅବରୋଧ କରିଥିଲେ । ପରେ ଧାମରା ବନ୍ଦର ପକ୍ଷରୁ ଆନନ୍ଦ ଶଙ୍କର ଦାସ ଆସି ଆନ୍ଦୋଳନ ସ୍ଥଳରେ ପହଂଚି ଅବରୋଧକାରୀଙ୍କୁ ବୁଝାଶୁଝା କରିବା ସହିତ ରେଳପଥରେ ବସିଥିବା ଶୋଠକୁ ଜେସିବି ସହାୟତାରେ ଉଠାଇ ଦିଆଯାଇଥିଲା । ଏବଂ ସେଠାରେ କଲଭର୍ଟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଗ୍ରାମବାସୀଙ୍କ ଦାବିକ୍ରମେ କମ୍ପାନୀ କର୍ତ୍ତର୍ୃପକ୍ଷ ବିପନ୍ନଙ୍କୁ ଚୁଡା, ଗୁଡ ଓ ବିସ୍କୁଟ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଭଦ୍ରକ -ଧାମରା ରେଳପଥରେ ଆବଶ୍ୟକ ସଂଖ୍ୟକ ପୋଲ ଓ କଲଭର୍ଟ ନାହିଁ ଥିଜମିରୁ ପାଣି ନିଷ୍କାସନ ପାଇଁ କେବଳ ଶୋଠ ବସା ଯାଇଛି । ମାତ୍ର ସେଥିରେ ବନ୍ୟା ପାଣି ନିଷ୍କାସିତ ହୋଇ ପାରୁନାହିଁ । ଜମିରେ ମାସେ ହେଲା ବନ୍ୟା ପାଣି ଜମି ରହିବା ଯୋଗୁଁ ଧାନଚାଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଛି । ଏପରିକି ଗୁରୁଦାସପୁର ଗ୍ରାମ ମଧ୍ୟ ବନ୍ୟା ପାଣି ଘେରରେ ରହିଥିବା ଗ୍ରାମବାସୀ ଦର୍ଶାଇଥିଲେ । ଆଲୋକ ପଲାଇ, ରାମଚନ୍ଦ୍ର ରାଉତ, ବୃନ୍ଦାବନ ବଳ, ଗଣେଶ ରାଉତ, ପାପୁନ ରାଉତ, ଅଣାକର ବଳ, ସୁବ୍ରତ ରାଉତଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ରେଳପଥ ଅବରୋଧରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |