ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି. |

25

କଟକ ( ଉତ୍କଳ ନ୍ୟୁଜ ) ୨୮-୦୭-୨୦୨୬: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ଭାରତର ଐତିହାସିକ ଛାତ୍ର-ଯୁବ ଆନ୍ଦୋଳନର ବିଜୟକୁ ଅଭିନନ୍ଦନ ଜଣାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସିପିଆଇ(ଏମ୍‌) ଏବଂ ଗଣ ସଙ୍ଗଠନମାନଙ୍କର ମଞ୍ଚର ମିଳିତ ଆହ୍ୱାନରେ ଏକ ମିଳିତ ପଟୁଆର ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବକ୍ତାମାନେ କହିଥିଲେ ଯେ, ଦେଶର ଜେନ୍‌-ଜେଡ୍ ଛାତ୍ର-ଯୁବ ସମାଜ ସେମାନଙ୍କର ଐକ୍ୟବଦ୍ଧ, ସାହସିକ ଓ ଅଦମ୍ୟ ସଂଗ୍ରାମ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରି ଆନ୍ଦୋଳନର ପ୍ରଥମ ବିଜୟ ହାସଲ କରିଛନ୍ତି । ଏହା କେବଳ ଆରମ୍ଭ । ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଭଳି ମନ୍ତ୍ରୀଙ୍କୁ ମଧ୍ୟ ଇସ୍ତଫା ଦେବାକୁ ବାଧ୍ୟ କରିବା ପର୍ଯ୍ୟନ୍ତ ବାମପନ୍ଥୀ ଛାତ୍ର-ଯୁବ ଆନ୍ଦୋଳନ ଜାରି ରହିବ । ଉକ୍ତ ବିକ୍ଷୋଭରେ ସିପିଆଇ, ସିପିଆଇ(ଏମ୍‌), ଏଆଇଏସଏଫ୍‌, ଏସଏଫଆଇ, ଏଆଇୱାଇଏଫ୍‌, ଡିୱାଇଏଫଆଇ, ଏଆଇଟିୟୁସି, ସିଆଇଟିୟୁ, ଏ ଆଇ କେ ଏସ, ଓଡ଼ିଶା କୃଷକ ସଭା, ବି କେ ଏମ୍ ୟୁ ଓ କେ ଏମ୍ ୟୁ, ଭଳି କୃଷକ ଏବଂ କ୍ଷେତ ମଜଦୁର ସଂଗଠନ, ଏଆଇଡବ୍ଲ୍ୟୁଏ ଏବଂ ଶିକ୍ଷକ ସଂଗଠନ ସମେତ ବିଭିନ୍ନ ଗଣସଂଗଠନର ନେତା ଓ କର୍ମୀମାନେ ଯୋଗଦେଇଥିଲେ । ସଭାରେ ନିମ୍ନଲିଖିତ ଦାବିଗୁଡ଼ିକୁ ଜୋରଦାର ଭାବେ ଉପସ୍ଥାପନ କରାଯାଇଥିଲା; ସାରା ଦେଶରେ ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ର-ଯୁବକଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର କରାଯାଉ, ପ୍ରଶ୍ନପତ୍ର ଲିକ୍ ଘଟଣା ଯୋଗୁଁ ପ୍ରତିଷ୍ଠାନଗତ ହତ୍ୟା ଯୋଗୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ଛାତ୍ରଙ୍କ ପରିବାରକୁ ଏକ କୋଟି କ୍ଷତିପୂରଣ ପ୍ରଦାନ କରାଯାଉ, ଜାତୀୟ ଶିକ୍ଷା ନୀତି-୨୦୨୦କୁ ପ୍ରତ୍ୟାହାର କରାଯାଉ, ପ୍ରଶ୍ନପତ୍ର ଲିକ୍‌ର କେନ୍ଦ୍ର ପାଲଟିଥିବା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିକୁ ବିଲୋପ କରାଯାଉ, କେଜିରୁ ପିଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା, ବୈଜ୍ଞାନିକ, ସର୍ବଜନୀନ ଓ ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଉ, ପାଠ୍ୟପୁସ୍ତକରେ ଇଚ୍ଛାକୃତ ତ୍ରୁଟି ପ୍ରକାଶ ପାଇଁ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ, ଓଡ଼ିଶାରେ ଅବିଳମ୍ବେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଖାଲି ପଦବୀ ପୂରଣ କରାଯାଉ, ଏବଂ ପ୍ରତ୍ୟେକ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ବେକାର ଭତ୍ତା ପ୍ରଦାନ କରାଯାଉ । ଏହି ସମାବେଶରେ ସିପିଆଇର ରାଜ୍ୟ ସମ୍ପାଦକ ଡଃ. ପ୍ରସନ୍ନ କୁମାର ମିଶ୍ର, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିଭିନ୍ନ ଗଣସଂଗଠନର ରାଜ୍ୟ ନେତୃବୃନ୍ଦ ଉଦ୍‌ବୋଧନ ଦେଇ ଯୁବ-ଛାତ୍ର ସମାଜର ଐତିହାସିକ ସଂଗ୍ରାମକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଜନସ୍ୱାର୍ଥରେ ଏପରି ଆନ୍ଦୋଳନକୁ ଆହୁରି ମଜବୁତ୍ ଓ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ । ବ୍ୟୁରୋ ରିପୋର୍ଟ