କଟକ ( ଉତ୍କଳ ନ୍ୟୁଜ ) ୨୫-୦୮-୨୦୨୬ : ଇସଲାମ ଏପରି ଏକ ଧର୍ମ, ଯାହା ଆରମ୍ଭରୁ ହିଁ ଜ୍ଞାନ ଓ ଶିକ୍ଷାକୁ ବିଶେଷ ଗୁରୁତ୍ଵ ଦେଇଆସିଛି। କୋରାନର ପ୍ରଥମ ପ୍ରକାଶିତ ବାଣୀ, "ଇକ୍ରା" ଅର୍ଥାତ୍ "ପଢ଼" ଶବ୍ଦରୁ ଆରମ୍ଭ ହୁଏ। ଏହା ଇସଲାମରେ ଜ୍ଞାନର ମୌଳିକ ଗୁରୁତ୍ବକୁ ସ୍ପଷ୍ଟ କରେ। କୋରାନରେ ପ୍ରଶ୍ନ କରାଯାଇଛି, "ଯେଉଁମାନେ ଜାଣନ୍ତି ଏବଂ ଯେଉଁମାନେ ଜାଣନ୍ତି ନାହିଁ, ସେମାନେ କଣ ସମାନ?" ଏହି ପ୍ରଶ୍ନ ଜ୍ଞାନର ମହତ୍ତ୍ବ ଓ ଜ୍ଞାନୀ ବ୍ୟକ୍ତିଙ୍କ ଉଚ୍ଚ ସ୍ଥାନକୁ ସ୍ପଷ୍ଟ ଭାବେ ଦର୍ଶାଏ I ସେହିପରି, ପୟଗମ୍ବର ମହମ୍ମଦ କହିଥିଲେ, "ଜ୍ଞାନ ଅନ୍ଵେଷଣ କରିବା ପ୍ରତ୍ୟେକ ମୁସଲମାନଙ୍କ କର୍ଭବ୍ୟା ।" ଏହା ସ୍ପଷ୍ଟ କରେ ଯେ ଇସଲାମରେ ଶିକ୍ଷା କେବଳ ପୁରୁଷମାନଙ୍କ ପାଇଁ ସୀମିତ ନୁହେଁ; ମହିଳାମାନଙ୍କ ପାଇଁ ମଧ୍ଯ ଜ୍ଞାନ ଅର୍ଜନ ସମାନ ଭାବରେ ଆବଶ୍ୟକ । ତେଣୁ ଶିକ୍ଷା ପ୍ରତି ଆଗ୍ରହ ଇସଲାମୀ ଜୀବନଦର୍ଶନର ଏକ ମୌଳିକ ଅଂଶ ଭାବେ ବିବେଚିତ ହୋଇଥାଏ | ଇସଲାମିକ ଇତିହାସ ଅନେକ ବିଦ୍ବାନ, ଚିନ୍ତକ ଓ ବୈଜ୍ଞାନିକଙ୍କ ଅବଦାନର ସାକ୍ଷୀ, ଯେଉଁମାନେ କେବଳ ମୁସଲିମ ସମାଜ ନୁହେଁ, ସମଗ୍ର ମାନବଜାତିର ଜ୍ଞାନଭଣ୍ଡାରକୁ ସମୃଦ୍ଧ କରିଥିଲେ । ଇମାମ ଅଲ-ଗଜାଲି ଦର୍ଶନ, ଇସଲାମିକ ନ୍ୟାୟଶାସ୍ତ୍ର ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଗଭୀରୁ ଅବଦାନ ରଖ୍ ମୁସଲମାନମାନଙ୍କୁ ବୌଦ୍ଧିକ ମାର୍ଗଦର୍ଶନ ଦେଇଥିଲେ। ଇବନ୍ ସିନା ଚିକିତ୍ସାବିଜ୍ଞାନରେ ଅମୂଲ୍ୟ ଅବଦାନ ରଖୁଥିଲେ ଏବଂ ତାଙ୍କ ରଚନା ଶତାବ୍ଦୀ ଧରି ୟୁରୋପୀୟ ଚିକିତ୍ସାଶିକ୍ଷାକୁ ପ୍ରଭାବିତ କରିଥିଲା। ଅଲ-ଖାରିଜମି ବୀଜଗଣିତର ବିକାଶରେ ମୌଳିକ ଭୂମିକା ନେଇଥିଲେ, ଯାହା ଆଧୁନିକ ଗଣିତର ଏକ ପ୍ରମୁଖ ଶାଖା। ସେହିପରି ଇବନ୍ ଖାଲଦୁନଙ୍କୁ ସମାଜଶାସ୍ତ୍ରର ଜଣେ ପ୍ରବର୍ତ୍ତକ ଭାବେ ଗଣାଯାଏ କାରଣ ସେ ସମାଜ, ସାମାଜିକ ବ୍ୟବସ୍ଥା ଓ ଇତିହାସକୁ ବୁଝିବା ପାଇଁ ଏକ ନୂତନ ଓ ବିଶ୍ଳେଷଣାତ୍ମକ ଦୃଷ୍ଟିକୋଣ ଦେଇଥିଲେ। ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ଅବଦାନ ପ୍ରମାଣ କରେ ଯେ ଜ୍ଞାନ ଅର୍ଜନ ଓ ଗବେଷଣା କ୍ଷେତ୍ରରେ ଇସଲାମିକ ସଭ୍ୟତାର ଭୂମିକା ମଧ୍ଯ ଗୁରୁତ୍ବପୂର୍ଣ୍ଣ ଥିଲା। ଜଣେ ଶିକ୍ଷିତ ମହିଳା କେବଳ ନିଜକୁ ସଚେତନ ଓ ସଶକ୍ତ କରନ୍ତି ନାହିଁ, ବରଂ ଏକ ଶିକ୍ଷିତ ପରିବାର ଓ ପ୍ରଗତିଶୀଳ ସମାଜର ମୂଳଦୁଆ ମଧ୍ଯ ସ୍ଥାପନ କରନ୍ତି | ଇସଲାମ ମହିଳାମାନଙ୍କୁ ଜ୍ଞାନ ଆହରଣର ଅଧିକାର ପ୍ରଦାନ କରିଛି I ତେଣୁ ମୁସଲିମ ସମାଜକୁ ନିଜ ଝିଅମାନଙ୍କ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ହେବ। ଶେଷରେ କହିବାକୁ ଗଲେ, ଶିକ୍ଷା ହେଉଛି ସେହି ଶକ୍ତି, ଯାହା ଭାରତୀୟ ମୁସଲିମ ସମାଜକୁ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇପାରିବ । ଯଦି ଆମେ ପ୍ରକୃତରେ ପ୍ରଗତି ଚାହୁଁ, ତେବେ ଶିକ୍ଷାକୁ ଆମର ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ । ଜ୍ଞାନ ବିନା ଆମେ ନିଜ ପରିଚୟକୁ ଦୃଢ଼ତାର ସହ ସୁରକ୍ଷିତ ରଖିବା ସହିତ ଦ୍ରୁତ ଗତିରେ ବଦଳୁଥୁବା ବିଶ୍ଵରେ ସଫଳତାର ସହ ପ୍ରତିଯୋଗିତା କରିପାରିବା ନାହିଁ। ତେଣୁ ବର୍ତ୍ତମାନ ସମୟର ଆହ୍ବାନ ହେଉଛି, ପ୍ରତ୍ୟେକ ମୁସଲମାନ, ପୁରୁଷ ହୁଅନ୍ତୁ କି ମହିଳା, ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ନ୍ତୁ, ନିଜ ସନ୍ତାନମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁଥୁବା ସୁନିଶ୍ଚିତ କରନ୍ତୁ ଏବଂ ଏକ ସଚେତନ, ସଶକ୍ତ, ସମୃଦ୍ଧ ଓ ପ୍ରଗତିଶୀଳ ସମାଜ ଗଠନରେ ନିଜର ଅବଦାନ ରଖନ୍ତୁ। ଶିକ୍ଷା ହିଁ ଏକମାତ୍ର ପଥ, ଯାହା ଭାରତୀୟ ମୁସଲିମ ସମାଜକୁ ମର୍ଯ୍ୟାଦା, ସଶକ୍ତିକରଣ ଓ ସ୍ଥାୟୀ ସଫଳତାର ଦିଗରେ ଆଗେଇ ନେଇପାରିବ। ସାହାବୁଦ୍ଦିନ ସାମାଜିକ ଚିନ୍ତକ