ଓଳିଏ ଖାଇ ଓଳିଏ ଉପାସରେ ରହୁଛନ୍ତି ବନ୍ୟା ବିପନ୍ନ, ପଶୁଙ୍କ କଥା ପଚାରେ କିଏ |

95

କଟକ ( ଉତ୍କଳ ନ୍ୟୁଜ ) ୨୨-୦୮-୨୦୨୬ : ଓଳିଏ ଖାଇ ଓଳିଏ ଉପାସରେ ରହୁଛନ୍ତି ବନ୍ୟା ବିପନ୍ନ, ପଶୁଙ୍କ କଥା ପଚାରେ କିଏ । ଏକଥା ଆମେ କହୁନୁ ବନ୍ୟା ବିପନ୍ନଙ୍କର ସଂପ୍ରତି ଏହା କରୁଣ କାହାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଏ ହେଉଛି ଦୁଃଖ କାହାଣୀ । ଚଳିତ ୨ୟ ବନ୍ୟା ବିଗତ ୩ ସପ୍ତାହ ଧରି ବନ୍ୟା ଲାଗି ରହିଛି । ପ୍ରଥମ ବନ୍ୟା ପରେ ଲୋକେ ସଳଖି ଚାଲିବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ଆସିଲା ୨ୟ ବନ୍ୟା । ଏହା ପ୍ରଥମ ବନ୍ୟାଠାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ତଳିଧାନ ଓ ରୁଆଧାନରେ ଛାତିଏ ପାଣି ଲହଡି ମାରୁଥିବା ବେଳେ ଗାଁ ମଧ୍ୟରେ ଆଣ୍ଠୁଏ ପାଣି । ଲୋକେ ଘରୁ ବାହାରିବା ବଡ ମୁସ୍କିଲ୍ ହୋଇ ପଡିଛି । ଉଚ୍ଚା ଘର ଛାଡିଦେଲେ ଅଧିକାଂଶ ଘରର ଚୂଲିରେ ପାଣି । ଜାଳେଣୀ ସବୁ ପାଣିରେ ବୁଡି ଯାଇଛି । ରୋଷେଇ କରିବା ଅବସମ୍ଭାବୀ ହୋଇ ପଡିଛି । ଏପରିସ୍ଥଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କେବଳ ମଧ୍ୟାହ୍ନରେ ଖାଦ୍ୟ ପ୍ରଦାନ କରାଯାଉଛି । ଛୋଟ ପିଲା ଏବଂ ବୃଦ୍ଧ/ବୃଦ୍ଧା ରାତିରେ ନଖାଇ ରହିବା କେତେ କଷ୍ଟ ହେଉଥିବା ତାହା ବେଶ ଅନୁମାନ କରାଯାଉଛି । ବନ୍ୟା ଆରମ୍ଭ ହେବା ବେଳେ ଚୂଡା ଓ ଗୁଡ ମିଳିଥିଲା ଯାହା ଏକ ଟିଫନ୍ ସଦୃଶ ହୋଇଥିଲା । ଡବଲ ଇଞ୍ଜିନ୍ ସରକାରର ଖୋଦ୍ ମୁଖ୍ୟମନ୍ତ୍ରୀ ତିହିଡି ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନରେ ଆସି ଜଳବନ୍ଦିଙ୍କ ଜୀବନ ଯାପନ ଦେଖିବା ସହିତ ଆବଶ୍ୟକ ମୁତାବକ ରିଲିଫ୍ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିପାଇଁ ବିପନ୍ନ ମାନେ ପ୍ରଶାସନକୁ ବାରମ୍ବାର ପ୍ରଶ୍ନ କରି ଆସୁଛନ୍ତି । ସେପଟେ ପ୍ରଶାସନ ନିରୁପାୟ । ଉଦ୍ଧାର କାର୍ଯ୍ୟ ସହ ଔଷଧ ଯୋଗାଇ ଦେବା କ୍ଷେତ୍ରରେ ବିିଳମ୍ବ ହେଉଥିବା ଜଣାଯାଇଛି । ଅନ୍ୟପଟେ ନିରୀହ ଗୃହପାଳିତ ପଶୁଙ୍କ ପାଇ ଯେଉଁ ଗୋଖାଦ୍ୟ ଦିଆଯାଉଛି ତାହା ସମୂଦ୍ରକୁ ଶଙ୍ଖେ ପରି ।

ବିଲବାଡିରେ ବନ୍ୟା ଜଳ କେଉଁଠୁ ସେମାନେ ଖାଦ୍ୟ ସଂଗ୍ରହ କରିବେ । ବିଚରା ପାଣି ପିଇ ଦିନ କଟାଉଛନ୍ତି । ସେହିପରି ବୁଲା ଷଣ୍ଢଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ । ବନ୍ୟା ଦାଉରେ ଶହସ୍ରାଧିକ ଷଣ୍ଢ ଭୋକ ମେଣ୍ଟାଇ ପାରୁନଥିବା ବେଳେ ଶତାଧିକ ମୃତ୍ୟୁ ବରଣ କଲେଣି ଯାହାର ହିସାବ ପ୍ରଶାସନ ନିକଟରେ ନାହିଁ । ଉଡ୍ରାପ୍ଟ ଓ ଏନଡିଆରଏଫ୍ ଟିମ୍ ସମେତ ପ୍ରଶାସନିକ ପଦାଧିକାରୀ ପଇଁତରା ମାରୁଛନ୍ତି ତଥାପି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି ବିନ୍ୟା ବିପନ୍ନ । ବିଷଧର ସାପ ସମେତ କୁମ୍ଭୀରର ଭୟ ରହୁଛି । ବୟାଙ୍ଗ ଅଞ୍ଚଳ ଭାବେ ପରିଚିତ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ସମସ୍ତ ଗାଁ ଜଳବନ୍ଦି । ବିପନ୍ନଙ୍କ ଜୀବନ ଯାପନ ଦୁର୍ବିସହ ହୋଇ ପଡିଛି । ବିନ୍ଧା ବଜାରରୁ ଲମ୍ବିଥିବା ମୁଖ୍ୟ ରାସ୍ତା କେଳାସାହି ଠାରୁ ବିଚ୍ଛିନ୍ନ ହୋଇ ପଡିଛି । କେଳାସାହି ଗାଁରେ ଚାରିଆଡି ପାଣି ଲହଡି ମାରୁଛି । ମୁଖ୍ୟ ରାସ୍ତାରେ ୩ ଫୁଟ୍‌ର ପାଣି ଜମି ରହିଛି । ପ୍ରଖର ସ୍ରୋତରେ ଲୋକେ ନଳକୂପରୁ ପାଣି ନେବା ଏବଂ ଯାତାୟତ କରିବା ଅବସମ୍ଭାବୀ ହୋଇ ପଡିଛି । ମୁଖ୍ୟ ରାସ୍ତାରୁ ଲମ୍ବିଥିବା ଅନ୍ୟ ଗାଁଗଣ୍ଡାକୁ ଲୋକେ ଡଙ୍ଗାର ସାହାଯ୍ୟ ନେଉଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ଉପର ମୁଣ୍ଡରୁ ପାଣି ଖସିଲା ପରେ ମଧ୍ୟ ଏହି ବୟାଙ୍ଗ ଅଞ୍ଚଳରେ ଜମି ରହିଛି । ଆଉ କେତେଦିନ ପାଣି ରହିବ ତାହାର କୌଣସି ଆକଳନ କରାଯିବ ସମ୍ଭବ ହେଉନି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ ରିଲିଫ୍ ପ୍ରଦାନ କରିବାକୁ ଦାବି ଜୋର ଧରିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |