ଅତ୍ୟାଧୁନିକ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର, ଏଟିଏସ ଓ ଏଡିଟିଏସ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ ଏନ୍. ବି. ଏସ୍. ରାଜପୁତ |

26

କଟକ ( ଉତ୍କଳ ନ୍ୟୁଜ ) ୧୩-୦୮-୨୦୨୬: ରାଜ୍ୟର ପରିବହନ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ପାରଦର୍ଶୀ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ଏହାର କାର୍ଯ୍ୟକାରିତା ସମୀକ୍ଷା କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏନ୍. ବି. ଏସ୍. ରାଜପୁତ ଆଜି ଭୁବନେଶ୍ୱରସ୍ଥିତ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର, ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍ (ATS) ଏବଂ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ୍ (ADTS) ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ ସମୟରେ ଶ୍ରୀ ରାଜପୁତ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (IEMS) ଏବଂ ଭେହିକଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) ଆଧାରିତ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଥିଲେ। ଯାନବାହନର ରିଅଲ୍-ଟାଇମ୍ ମନିଟରିଂ, ଏବଂ ଏନଫୋର୍ସମେଣ୍ଟ ବ୍ୟବସ୍ଥାର ବିଭିନ୍ନ ଦିଗ ସେ ସମୀକ୍ଷା କରିଥିଲେ। ପରିବହନ ବ୍ୟବସ୍ଥାରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରି ସ୍ୱଚ୍ଛତା, ପାରଦର୍ଶିତା ଓ ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ଶ୍ରୀ ରାଜପୁତ ଭୁବନେଶ୍ୱରସ୍ଥିତ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍ (ATS) ପରିଦର୍ଶନ କରି ମୋଟର ଯାନର ସ୍ୱୟଂଚାଳିତ ଫିଟନେସ୍ ପରୀକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରଯୁକ୍ତିଭିତ୍ତିକ ଏହି ବ୍ୟବସ୍ଥାରେ ଯାନବାହନର ଫିଟନେସ୍ ଯାଞ୍ଚ କିପରି କରାଯାଉଛି, ସେ ସମ୍ପର୍କରେ ସେ ବିସ୍ତୃତ ଭାବେ ଅବଗତ ହୋଇଥିଲେ। ଫିଟନେସ୍ ପରୀକ୍ଷଣ ପ୍ରକ୍ରିୟାରେ ମାନବୀୟ ହସ୍ତକ୍ଷେପକୁ ହ୍ରାସ କରି ପ୍ରଯୁକ୍ତି ଆଧାରିତ, ନିରପେକ୍ଷ ଓ ପାରଦର୍ଶୀ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବାକୁ ଓ ଯାନବାହନର ଯୋଗ୍ୟତା ନିର୍ଦ୍ଧାରଣରେ ସୁରକ୍ଷା ମାନଦଣ୍ଡକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଭୁବନେଶ୍ୱରସ୍ଥିତ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ୍ (ADTS) ପରିଦର୍ଶନ କରିଥିଲେ। ସେଠାରେ ଆଧୁନିକ ପ୍ରଯୁକ୍ତି ଓ ସେନ୍ସର ଆଧାରିତ ଟ୍ରାକ୍ ମାଧ୍ୟମରେ ଡ୍ରାଇଭିଂ କୌଶଳ ପରୀକ୍ଷା କରାଯାଉଥିବା ପ୍ରକ୍ରିୟାକୁ ସେ ଅନୁଧ୍ୟାନ କରିଥିଲେ। ଡ୍ରାଇଭିଂ ପରୀକ୍ଷଣକୁ ମଧ୍ୟ ନିରପେକ୍ଷ, ପାରଦର୍ଶୀ ଓ ପ୍ରଯୁକ୍ତିଭିତ୍ତିକ କରିବା ସହ କେବଳ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ସୁନିଶ୍ଚିତ କରିବାକୁ ଶ୍ରୀ ରାଜପୁତ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ସେ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ପରିବହନ ସେବାରେ ମାନବୀୟ ହସ୍ତକ୍ଷେପକୁ କମାଇବା, ପାରଦର୍ଶିତା ବୃଦ୍ଧି କରିବା ଏବଂ ନାଗରିକମାନଙ୍କୁ ଅଧିକ ସରଳ, ଦକ୍ଷ ଓ ନିରପେକ୍ଷ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ପରିଦର୍ଶନ ଓ ସମୀକ୍ଷା ସମୟରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।