ଓରିକ୍ଲିନ୍ କମ୍ପାନୀର ୨୧୪ ଶ୍ରମିକ ଛଟେଇ , ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା, ୧୪୪ ଧାରା ଜାରି. |

1295

କଟକ ( ଉତ୍କଳ ନ୍ୟୁଜ ) ୦୩-୦୯-୨୦୨୬ : କଟକ ଟାଙ୍ଗୀସ୍ଥିତ ଓରିକ୍ଲିନ୍ ଡିଟରଜେଣ୍ଟ ପାଉଡର କମ୍ପାନୀରେ କାର୍ଯ୍ୟରତ ୨୧୪ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରାଯାଇଥିବା ଅଭିଯୋଗ କରିଛି ଓରିକ୍ଲିନ୍ ଶ୍ରମିକ ସଂଘ। ଛଟେଇର ପ୍ରତିବାଦରେ ଶ୍ରମିକମାନେ କମ୍ପାନୀର ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ବେଳେ ଆଜି ଉକ୍ତ ସ୍ଥାନରେ ୧୪୪ ଧାରା ଜାରି ହୋଇଛି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓରିକ୍ଲିନ୍ ଶ୍ରମିକ ସଂଘ ପକ୍ଷରୁ ବରିଷ୍ଠ ଶ୍ରମିକ ନେତା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବକ୍ସିବଜାରସ୍ଥିତ ପାନ୍ଥନିବାସଠାରେ ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ, ଓରିକ୍ଲିନ୍ କମ୍ପାନୀରେ ୫ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୧୪ ଜଣ ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବେଆଇନ ଭାବେ ଛଟେଇ କରିଥିବା ସଂଘ ଅଭିଯୋଗ କରିଛି। ଏନେଇ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାରେ କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରୁଥିବା ସଂଘ କହିଛି। ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଥିବା ବେଳେ ସେଠାରେ ୧୪୪ ଧାରା ଜାରି କରାଯିବା ଘଟଣାକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି। ଏଥିସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦିଆନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି କମ୍ପାନୀ ବନ୍ଦ କରିବା ଭଳି କଠୋର ପଦକ୍ଷେପ ନିଆଯିବ ବୋଲି ସଂଘ ଘୋଷଣା କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓରିକ୍ଲିନ୍ ଶ୍ରମିକ ସଂଘର ସଭାପତି ଚିତ୍ତରଞ୍ଜନ ସାମଲ, ଉପସଭାପତି ଅଶୋକ ସ୍ବାଇଁ, ସମ୍ପାଦକ ଲକ୍ଷ୍ମୀଧର ନାୟକ, କଟକ ଜିଲ୍ଲା କୋଷାଧ୍ୟକ୍ଷ ସବିତା ସାହୁଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।