କଟକ ( ଉତ୍କଳ ନ୍ୟୁଜ ). ୦୪-୦୯-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାମାଜିକ ସଂଗଠନ ତିହିଡି଼ ଯୁବମଞ୍ଚ ପକ୍ଷରୁ ତିହିଡି ସଙ୍ଗୀତ ସ୍କୁଲ ପରିସରରେ ଶିଶୁମାନଙ୍କୁ ନେଇ ରାଧାକୃଷ୍ଣ ରୂପୋତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଶିଶୁମାନଙ୍କ ମଧ୍ୟରେ ସଂସ୍କୃତି ଓ ପରମ୍ପରାକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ କୁନି କୁନି ପିଲାମାନେ ରାଧା, କୃଷ୍ଣ, ଗୋପୀ ଓ ଗୋପାଳ ବେଶରେ ସଜ୍ଜିତ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସଂଗଠନର ଉପଦେଷ୍ଟା ସଚ୍ଚିକାନ୍ତ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ ନିରଞ୍ଜନ ବାରିକ ମୁଖ୍ୟ ପରିଚାଳନାରେ ଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ସୋମନାଥ ପାଢୀ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ପ୍ରାକ୍ତନ ତିହିଡି କଲେଜ ଅଧ୍ୟକ୍ଷ ସାହିତ୍ୟିକ ଡ. ଲକ୍ଷ୍ମୀଧର ତ୍ରିପାଠୀ, ସାଂସ୍କୃତିକ ସଂଯୋଜକ ତଥା ଆଇନଜୀବୀ ନୀଳମାଧବ ସେନାପତି, ମନୋଜ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ, ବିଚାରକ ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଜୟନ୍ତ ନାୟକ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ତିହିଡି ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ସଂଗଠନର ସଭାପତି କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ରାଜଲକ୍ଷ୍ମୀ ପଣ୍ଡା ପ୍ରଥମ, ଅନନ୍ୟା ପ୍ରିୟଦର୍ଶିନୀ ଦାସ ଦ୍ୱିତୀୟ, ଆୟୁଷୀ ବେହେରା ତୃତୀୟ, ସମୀକ୍ଷା ଦାସ ଚତୁର୍ଥ ଏବଂ କନିଷ୍ଠ ବିଭାଗରେ ସଂପୂର୍ଣ୍ଣା ନାୟକ ପ୍ରଥମ, ସାନଭି ତନୟା ଜେନା ଦ୍ୱିତୀୟ, ଅପସିତ ମଲ୍ଲିକ ତୃତୀୟ ଓ ଦୀପ୍ତୀରେଖା ମିଶ୍ର ସାନ୍ତ୍ୱନା ମୂଳକ ପୁରସ୍କାର ପାଇଥିବା ବେଳେ ମୋଟ ୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଓ ସମସ୍ତଙ୍କୁ ପ୍ରେରଣା ପତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବମଞ୍ଚର ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, ସଦସ୍ୟ ସନାତନ ସାହୁ, ଜିତେନ୍ଦ୍ର ନାୟକ, ସୟଦ ରଫିକ, ନୀଳାମ୍ବର ସେଠୀ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |