କଟକ ( ଉତ୍କଳ ନ୍ୟୁଜ ). ୨୦-୦୮-୨୦୨୬ : କ୍ଷମତା ପାଇଲେ ପ୍ରତିଶ୍ରୁତି ଭୁଲିଯାନ୍ତି। ବିରୋଧୀ ହେଲେ ଦରଦ ଦେଖାନ୍ତି। ରାଜନୀତିର ଏ ଚକ୍ରବ୍ୟୂହରେ ଆଜି ଶିକ୍ଷାଦାତା ପୁଣ ରାଜରାସ୍ତାରେ- ଏହି କ୍ଷୋଭ ଓ ଯନ୍ତ୍ରଣାଭରା ସ୍ୱର ଆଜି ରାଜଧାନୀର ରାଜରାସ୍ତାରେ ପ୍ରତିଧ୍ୱନିତ ହେଉଛି। ପ୍ରବଳ ବର୍ଷା ସତ୍ତ୍ୱେ ନିଜର ହକ୍ ପାଇଁ ରାଜଧାନୀର ଲୋୟର ପିଏମଜି ସ୍ଥିତ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ଅଗଷ୍ଟ ୧୬ ଦାବି ଦିବସ ଠାରୁ ଓଡ଼ିଶା ସ୍କୁଲ କଲେଜ ମିଳିତ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ତୀବ୍ର ରୂପ ଧାରଣ କରିଛି। ଜୀବନର ଅଧିକାଂଶ ସମୟ ଖାଲି ପେଟରେ ଶ୍ରେଣୀଗୃହରେ ଓ ପ୍ରାପ୍ୟ ପାଇଁ ରାଜରାସ୍ତାରେ କଟାଇ ବାର୍ଦ୍ଧକ୍ୟରେ ପହଞ୍ଚିଥିବା ଏହି ଶିକ୍ଷାଦାତାମାନେ ଏବେ ପୁଣି ଥରେ ସଂଗ୍ରାମ କରିବାକୁ ବାଧ୍ୟ ହୋଇଛନ୍ତି। ବ୍ଲକଗ୍ରାଣ୍ଟର ତିକ୍ତ ଅତୀତ ଏବଂ ବିଗତ ୨୪ ବର୍ଷର ଶାସନ କାଳରେ ଶିକ୍ଷକମାନେ ସହିଥିବା ଶାରୀରିକ, ମାନସିକ ତଥା ଆର୍ଥିକ ଶୋଷଣକୁ ଆଜି ମଧ୍ୟ କେହି ଭୁଲିନାହାନ୍ତି। ଯେଉଁ ନେତା ଓ ମନ୍ତ୍ରୀମାନେ କ୍ଷମତାରେ ଥିବା ବେଳେ ଶିକ୍ଷକଙ୍କ ଆନ୍ଦୋଳନକୁ ଅଣଦେଖା କରୁଥିଲେ, ଆଜି କ୍ଷମତାଚ୍ୟୁତ ହେବାପରେ ସେମାନେ ମଞ୍ଚକୁ ଆସି ଦରଦୀ ବନ୍ଧୁ ସାଜୁଛନ୍ତି।

ଏହାକୁ ନେଇ ଆନ୍ଦୋଳନକାରୀଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- "ସେତେବେଳେ ଶୁଣିଲେନି ଆମରି ଗୁହାରି। ଏବେ କାହିଁକି ନାଟକ ଦେଖାଉଛ ଭାରି?" ଆଜି ସରକାର ବଦଳିଲା, ହେଲେ ବଦଳିଲାନି ଶିକ୍ଷକ ଜାତିର ଭାଗ୍ୟ। ନିର୍ବାଚନ ପୂର୍ବରୁ ବିରୋଧୀ ଦଳରେ ଥାଇ ଆଜିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜରାସ୍ତାରେ ଆନ୍ଦୋଳନରତ ଶିକ୍ଷକଙ୍କ କାନ୍ଧରେ ହାତ ରଖି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ସରକାର ଆସିଲେ ମାତ୍ର ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ଏବଂ ଅନ୍ୟ ବିଜେପି ଶାସିତ ରାଜ୍ୟ ଭଳି ପୁରୁଣା ପେନସନ୍ ଲାଗୁ କରାଯିବ ବୋଲି ଆଶ୍ୱାସନା ମିଳିଥିଲା। ସେହି ବିଶ୍ୱାସରେ ଶିକ୍ଷକ ସମାଜ ପରିବର୍ତ୍ତନର ସ୍ୱର ଉତ୍ତୋଳନ କରିଥିଲା। କିନ୍ତୁ ସରକାର ଗଠନ ପରେ ମଧ୍ୟ ସ୍ଥିତି ଯେଉଁ ତିମିରେକୁ ସେହି ତିମିରେ ରହିଛି। ଶିକ୍ଷକମାନେ ଏବେ କ୍ଷୋଭର ସହ ପଚାରୁଛନ୍ତି- "ବିରୋଧୀ ବେଳେ ରାଜରାସ୍ତାରେ ଗର୍ଜନ। ସରକାର ଆସିଲା ପରେ କାହିଁକି ଅଛ ମୌନ?" ପୁରୁଣା ପେନସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ, ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ସେବା ସର୍ତ୍ତାବଳୀ ଓ ଚାକିରି ନିୟମିତକରଣ, ଅବସରକାଳୀନ ସୁବିଧା ଓ ସାମାଜିକ ସୁରକ୍ଷା ନିଶ୍ଚିତ କରିବା ନେଇ ଆକାଶରୁ ଝରୁଥିବା ଅବିଶ୍ରାନ୍ତ ବର୍ଷା ଓ ପ୍ରଶାସନର

ନୀରବତା ଭିତରେ ଗାନ୍ଧୀମାର୍ଗରେ ବସିରହିଥିବା ଶିକ୍ଷାଦାତାମାନେ ଏକ ସ୍ୱରରେ ଚେତାବନୀ ଦେଇଛନ୍ତି- ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଅଟକିବ ନାହିଁ। ଶାସନ ବଦଳିଲେ ବି ଶିକ୍ଷାଦାତାଙ୍କ ଭାଗ୍ୟ ନବଦଳିବା ଗଣତନ୍ତ୍ର ପାଇଁ ଏକ ଦୁର୍ଭାଗ୍ୟଜନକ ଚିତ୍ର। ନେତାଙ୍କ ଦୋମୁହାଁ ନୀତି ଓ ରାଜନୈତିକ ମାୟାଜାଲରୁ ମୁକ୍ତ ହୋଇ ସରକାର ତୁରନ୍ତ ନିଜ ପ୍ରତିଶ୍ରୁତି ପାଳନ କରିବା ଉଚିତ। ସମାଜ ଗଠନ କରୁଥିବା ଶିକ୍ଷକଙ୍କୁ ରାଜରାସ୍ତାରୁ ସସମ୍ମାନେ ଶ୍ରେଣୀଗୃହକୁ ଫେରାଇ ଆଣିବା ହିଁ ବର୍ତ୍ତମାନ ସରକାରଙ୍କ ସବୁଠୁ ବଡ଼ ଦାୟିତ୍ଵ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ।