କଟକ, ( ଉତ୍କଳ ନ୍ୟୁଜ ) ୦୨-୦୯-୨୬ : ଗ୍ରାମବାସୀ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ତିଗିରିଆ ତହସିଲ ଓ ବ୍ଲକ ଅଞ୍ଚଳର ଦୁଇଟି ପ୍ରମୁଖ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।ଜମାଦେଇପୁରରୁ ଭେଜିଆ ଆର୍ଆଣ୍ଡ୍ବି ରୋଡ୍ ଏବଂ ଗୋକର୍ଣ୍ଣଖାଲରୁ ଭେଜିଆ ପର୍ଯ୍ୟନ୍ତ ରାସ୍ତାରେ ପଥର, ଚିପ୍ସ, ବୋଲ୍ଡର, ମେଟାଲ ଆଦି ନେଇ ଯାଉଥିବା ଟ୍ରକ୍, ହାଇୱା, ଜେସିବି ଓ ଅନ୍ୟାନ୍ୟ ଭାରୀଯାନର ଚଳାଚଳକୁ ନିଷିଦ୍ଧ କରାଯାଇଛି। ଭେଜିଆ, ବଡ଼ଭେଜିଆ, ମରିଚିଆ, ଖଜୁରିପଦା, ନୂଆସାହି, ଗୋକର୍ଣ୍ଣଖାଲ, ଶବରସାହି ଓ କୁଡ଼ିଆ ଆଦି ଗ୍ରାମ ଦେଇ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିଲା। ଏହା ସହିତ ସ୍ଥାନୀୟ ଲୋକଙ୍କ ଯାତାୟାତ, ସ୍କୁଲ ଛାତ୍ରଛାତ୍ରୀଙ୍କ ଗମନାଗମନ ଏବଂ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ହସ୍ପିଟାଲ ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବାରୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ନିଷେଧାଦେଶ ଜାରି କରିଛନ୍ତି। ଏହି କଟକଣା ୧ ସେପ୍ଟେମ୍ବର ୨୦୨୬ ଠାରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଲାଗୁ ରହିବ। ତେବେ ଜରୁରୀ ସେବା ସହିତ ସ୍ଥାନୀୟ ଅଞ୍ଚଳର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟରେ ନିୟୋଜିତ ଭାରୀଯାନଗୁଡ଼ିକ ଏହି କଟକଣାରୁ ବାଦ ପଡ଼ିବେ।