ବାରସରରେ ପଲିଥିନ ପାଇଁ ବିପନ୍ନ ଠାରୁ ୨୦ ଟଙ୍କା ଆଦାୟ ଅଭିଯୋଗ, ପ୍ରତିବାଦରେ ଶାସକ ଦଳର କର୍ମୀଙ୍କ ଆକ୍ରମଣରେ ଜଣେ ଗୁରୁତ୍ତର।

98

କଟକ ( ଉତ୍କଳ ନ୍ୟୁଜ ) ୨୮-୦୮-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ପାଇଁ ଉଦ୍ଦିଷ୍ଟ ପଲିଥିନ ପାଇଁ ଟଙ୍କା ଆଦାୟ ଅଭିଯୋଗ, ପ୍ରତିବାଦରେ ଶାସକ ଦଳର ଆକ୍ରମଣରେ ଜଣେ ଗୁରୁତ୍ତର ହୋଇଥିବା ଅଭିଯୋଗ ହୋଇଛି।ଘଟଣାକୁ ନେଇ ପ୍ରଥମେ ବାକ୍ ବିତଣ୍ଡା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଏହି ମାରପିଟ୍‌ରେ ଜଣେ ବ୍ୟକ୍ତି ଗୁରୁତ୍ତର ଆହତ ହୋଇ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ହା ସଂକଟାପନ୍ନ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଛି। ଅଭିଯୋଗ ମୁତାବକ, ପଞ୍ଚାୟତରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ୍ ଯୋଗାଇ ଦିଆ ଯାଉଥିଲା। ପଲିଥିନ୍ ଦେବା ନାଁରେ ପରିବାର ପିଛା ୨୦ ଟଙ୍କା ଓ ଆଧାର କାର୍ଡ ସଂଗ୍ରହ କରା ଯାଉଥିଲା। ଏହାର ପ୍ରତିବାଦ କରିବାରୁ ଶାସକ ଦଳର ଦୁଇ ଜଣ ବ୍ୟକ୍ତି ପ୍ରଥମେ ମନୋଜ ବଳ ପରେ ଅଭିମନ୍ୟୁ ରାଉତଙ୍କୁ ସର୍ବ ସମ୍ମୂଖରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିମନ୍ୟୁ ଗୁରୁତ୍ତର ଆହତ ହୋଇ ସଂପ୍ରତି ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି। ଅଭିମନ୍ୟୁ ରାଉତଙ୍କ ଏତଲା କ୍ରମେ ପୀରହାଟ ଥାନାରେ ତିଆଡ଼ିସାହି ଗାଁର ରାଜାରାମ ମହାକୁଡ଼ ଓ ନୂଆବନ୍ଧ ଗାଁର ପ୍ରଶାନ୍ତ ବଳଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ୨୦୫/୨୬ ରୁଜୁ ହୋଇଛି। ଘଟଣାକୁ ନେଇ ପଞ୍ଚାୟତରେ ଦଳୀୟ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ଜୋର ଧରିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।