ନୂଆସାହି ବନ୍ୟା ବିପନ୍ନଙ୍କୁ ପ୍ରଶାସନର ଉପହାସ, ୧୩ ଶହ ଲୋକଙ୍କୁ ୨ କ୍ୱିଣ୍ଟାଲ ଚୂଡା।

137

କଟକ ( ଉତ୍କଳ ନ୍ୟୁଜ ) ୨୦-୦୮-୨୦୨୬ : ବନ୍ୟା ବିପନ୍ନଙ୍କୁ ପ୍ରଶାସନର ଉପହାସ । ୧୩ ଶହ ବିପନ୍ନଙ୍କୁ ୨ କ୍ୱିଣ୍ଟାଲ ଚୂଡା ଦିଆ ଯାଇଛି । ଯାହା ସମୂଦ୍ରକୁ ଶଙ୍ଖେ ସଦୃଶ ହୋଇଥିବା ଅଭିଯୋଗ ହୋଇଛି । ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଛି । ଏହାରି ମଧ୍ୟରେ ୩ ଦିନ ଧରି ଜଳବନ୍ଦି ହୋଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ନୂଆସାହି ଗାଁ । କେବଳ ସେତିକି ନୁହେଁ ବରଂ କମାରିଆ ତାରିଣୀ ଛକରୁ ଲମ୍ବିଥିବା ମୁଖ୍ୟ ରାସ୍ତାର କିଛି ବାଟ ପରେ ରାସ୍ତାରେ ବନ୍ୟା ଜଳ ଲହଡି ମାରୁଛି । ବନ୍ୟା ଆଶ୍ରୟ ସ୍ଥଳିରେ କେତେକ ପରିବାର ମୁଣ୍ଡ ଗୁଞ୍ଜିଥିବା ବେଳେ ଆଉ କେତେକ ପଡୋଶୀଙ୍କ ଘରେ ରହୁଛନ୍ତି । ଅଧିକାଂଶ ବିପନ୍ନଙ୍କ ଘର ପାଣିରେ ବୁଡି ରହିଥିବା ବେଳେ କେତେକଙ୍କର ଚୂଲିରେ ପାଣି । ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ବେଳେ ମଙ୍ଗଳବାର ପଞ୍ଚାୟତ ମାଧ୍ୟମରେ ବ୍ଲକ ପ୍ରଶାସନ ଯୋଗାଇଛି ମାତ୍ର ୨ କ୍ୱିଣ୍ଟା ଚୂଡା । ରନ୍ଧା ଖାଦ୍ୟର ଦର୍ଶନ ନାହିଁ । ଉଳିଏକି ନିଅଣ୍ଟ ରିଲିଫ୍ ଚୂଡା କେତେ ପରିମାଣରେ ଭୋକ ମେଣ୍ଟାଇବ ସେନେଇ ଉଠୁଛି ପ୍ରଶ୍ନ । ସେପଟେ ଗୃହପାଳିତ ପଶୁଙ୍କ ପାଇଁ କୌଣସି ଖାଦ୍ୟର ବ୍ୟବସ୍ଥା କରା ଯାଇନାହିଁ । ବିଲବାଡି ତଥା ରାସ୍ତାଘାଟରେ ବନ୍ୟାଜଳ ଲହଡି ମାରୁଥିବା ବେଳେ ମହଜୁଦ୍ ଥିବା କୁଟାଛଅଣ ମଧ୍ୟ ପାଣିରେ ବୁଡି ରହିଛି । ପ୍ରଶାସନର ଦୂରଦୃଷ୍ଟିର ଅଭାବ କି ଜାଣି ଅଜଣାର ଅଭିନୟ କରାଯାଉଛି ତାହାର ଉତ୍ତର କାହାରି ପାଖରୁ ମିଳୁନାହିଁ । ପ୍ରଥମ ବନ୍ୟାରେ ଧାନତଳି ଓ ରୁଆଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ତଥାପି ପୁଣିଥରେ ଚାଷୀବାପୁଡା ଧାନତଳି ପ୍ରସ୍ତୁତ କରିବାକୁ ମନସ୍ତ କରୁଥିବା ବେଳେ ଆସିଲା ୨ୟ ବନ୍ୟା । ଚାଷୀର ମେରଦଣ୍ଡ ଭାଙ୍ଗି ଯାଇଛି । ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ରିଲିଫ୍ ପ୍ରଦାନରେ ଅବହେଳା କେତେଦୂର ଗ୍ରହଣଯୋଗ୍ୟ! ପାଣିପାଗ ସୂଚନା ଅନୁଯାଇ ବନ୍ୟା ଜଳ ବୃଦ୍ଧି ପାଇବ ଏବଂ ବର୍ଷା ମଧ୍ୟ ଲାଗି ରହିବ । ଏଭଳି ପରିସ୍ଥିତିରେ ସରକାର ଯଦି ଆବଶ୍ୟକ ମୁତାବକ ରିଲିଫ୍ ପ୍ରଦାନ ନକରନ୍ତି ତେବେ ପରିସ୍ଥିତି ଭୟାବହ ହେବାର ସମ୍ଭାବନାକୁ ଏଡେଇ ଦିଆ ଯାଇନପାରେ । ଏଠାରେ ସୂଚନା ଥାଉକି, ତିହିଡି ବ୍ଲକ ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବନ୍ୟା ପରିସ୍ଥିତି ପରଖିବା ଲାଗି ସୋମବାର ମୁଖ୍ୟମନ୍ତ୍ରୀ ଆସିଥିଲେ । ବିପନ୍ନଙ୍କୁ ଭେଟି ମିଳୁଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । କ୍ଷୟକ୍ଷତିର ଆକଳନ କରାଯାଇ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ସାଂପ୍ରତିକ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିବ ଓ ଆବଶ୍ୟକୀୟ ରିଲିଫ୍ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ । ମାତ୍ର ତିହିଡି ବ୍ଲକ ପ୍ରଶାସନ ବିପନ୍ନଙ୍କୁ ସମୂଦ୍ରକୁ ଶଙ୍ଖେ ସହାୟତା ପ୍ରଦାନ କରି ହାତବାନ୍ଧି ବସିଥିବା ବୁଦ୍ଧିଜୀବି ମହଲରେ ବେଶ ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏନେଇ ତଦନ୍ତ କରିବା ସହ ବିପନ୍ନଙ୍କୁ ମୁହଁରେ ଆହାର ଦେବାକୁ ସାଧାରଣରେ ଦାବୀ ଜୋର ଧରିଛି । ଏଠାରେ ସୂଚନା ଥାଉକି, ପ୍ରଥମ ବନ୍ୟାରେ ତିହିଡି ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବିପନ୍ନମାନେ ସଳଖି ଚାଲିବାକୁ ଉଦ୍ୟମ କରୁଥିବା ବେଳେ ଆସିଲା ୨ୟ ବନ୍ୟା । ବୈତରଣୀ ଓ ସାଳନ୍ଦି ନଦୀର ଉଚ୍ଛୁଳା ଜଳ ସଂପ୍ରତି ଛାରଖାର କରି ଦେଇଛି । ତଳଗୋପବିନ୍ଧା, ବୋଡକ, ବାରୋ, କାଁପଦା, ଶ୍ୟାମସୁନ୍ଦରପୁର, ବାରସର ଓ ଗୋବିନ୍ଦପୁର ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦି ହୋଇଥିବା ବେଳେ ସିନ୍ଦୋଳ ସମେତ ଅନ୍ୟ କେତେକ ପଞ୍ଚାୟତରେ ଆଂଶିକ ବନ୍ୟା ଜଳ ପ୍ରବେଶ କରିଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାପ୍ଟ ଟିମ୍ ସଜାଗ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଟିକ୍‌ନିକ୍ ହିସାବ ନିଆ ଯାଉଛି । ଜିରୋ କାଜୁଆଲିଟ୍ ଲକ୍ଷ୍ୟରେ ସୂଚାରୁରୂପେ ସମସ୍ତ କାର୍ଯ୍ୟ କରା ଯାଉଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |