ତିହିଡିରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ଗଣମାଧ୍ୟମକୁ ଦୂରେଇ ରଖିଲା ଜିଲ୍ଲା ପ୍ରଶାସନ |

152

ତିହିଡି, ୧୭.୦୮ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବନ୍ୟା ପରିସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଅପରାହ୍ନରେ ବୋଡକ ଓ ଶ୍ୟାମସୁନ୍ଦରପୁର ଞ୍ଚପଞ୍ଚାୟତର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଓରାଳି ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ବୋଟ୍ ଯୋଗେ ରେବ ନଦୀରେ ପ୍ରାୟ ୨ କିଲୋମିଟର ଯାତ୍ରା କରି ଈଶ୍ୱରପୁରସ୍ଥିତ ବନ୍ୟା ଆଶ୍ରୟସ୍ଥଳିରେ ରହୁଥିବା ବିପନ୍ନମାନଙ୍କୁ ଭେଟି ସେମାନଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀ ଓ ନେତୃବୃନ୍ଦମାନଙ୍କ ସହ ଆଲୋଚନା ଓ ସମିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ଲିକୁ ସାହୁ ଓ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ସେହିପରି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସପି ମନୋଜ କୁମାର ରାଉତ, ତହସିଲଦାର ସୁବାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ଜିଲ୍ଲା ତଥା ବ୍ଲକ ସ୍ତରୀୟ ନେତୃବୃ୍‌ଦ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବନ୍ୟା ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦୂରେଇ ରଖା ଯାଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିସହ ସାମ୍ବାଦିକମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ନମିଳିବାରୁ ସେମାନଙ୍କୁ ହିନସ୍ଥା ହେବାକୁ ପଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଯାଉଥିବା ସ୍ୱତନ୍ତ୍ର ବୋଟ୍‌ରେ ମଧ୍ୟ ଘଟିଥିଲା ଏକ ଅପ୍ରତ୍ୟାଶିତ ଘଟଣା । କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ଧର୍ମଶାଳା ବିଧାୟକ ଲିକୁ ସାହୁ ଯାଉଥିବା ବୋଟ୍‌ର ଇଞ୍ଜିନ୍ ଖରାପ ହୋଇ ଯିବାରୁ ରେବ ନଦୀ ମଝିରେ କିଛି ସମୟ ପାଇଁ ଅଟକି ରହିଥିଲା । ବନ୍ୟାର ଉଗ୍ରରୂପ ମଧ୍ୟରେ ନଦୀ ଉପରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଯେତିକି ଚର୍ଚ୍ଚାରେ ରହିଛି ସେତିକି ଚର୍ଚ୍ଚାରେ ରହିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଦୂରେଇ ରଖିବା ଓ ବୋଟ୍ ଇଞ୍ଜିନ୍ ଖରାପ ହେବା ଘଟଣା । ଉଦ୍ଧାର ସହ ରିଲିଫ୍ କାର୍ଯ୍ୟ ଚାଲୁ ରହିବ ଏବଂ ବନ୍ୟା ପରେ କ୍ଷୟକ୍ଷତିର ଚିଠା ପ୍ରସ୍ତୁତ କରାଯିବ ବୋଲି ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । ଏବେବି ବନ୍ୟାରେ ବୁଡ଼ି ରହିଛି ବହୁ ଗାଁ । ଜଳବନ୍ଦୀ ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ସେମାନଙ୍କ ଜୀବନ । ଚାଷୀକୂଳ ହତାଶ, ଧାନତଳି ଓ ରୁଆଧାନ ପାଣିରେ ପଚି ମାଟିରେ ମିଶିଲାଣି । ବନ୍ୟା ବିପନ୍ନଙ୍କ ଦୁଃଖକୁ ସରକାର କେତେ ଗମ୍ଭୀରତାର ସହ ନେଉଛନ୍ତି ତାହାକୁ ଅନେଇ ବସିଛନ୍ତି ବିପନ୍ନ ଓ ତିହିଡିବାସୀ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।