ନାବାଳକ ଠାରୁ ଚୋରୀ ଅଳଙ୍କାର କିଣିବା ପଡିଲା ମହଙ୍ଗା, ସୁନା ଦୋକାନୀ ଗିରଫ୍।

441

କଟକ (ଉତ୍କଳ ନ୍ୟୁଜ ) ୩୧-୧୦-୨୦୨୫ : ନାବାଳକ ଠାରୁ ଚୋରୀ ଅଳଙ୍କାର କିଣିବା ପଡିଲା ମହଙ୍ଗା, ସୁନା ଦୋକାନୀ ଗିରଫ୍। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଞ୍ଚଳରେ ଘଟିଛି ଏପରି ଅଘଟଣ। ପୋଲିସ ଏନେଇ ଚୋରୀରେ ସଂପୃକ୍ତ ତଥା ମାଷ୍ଟରମାଇଣ୍ଡ ସିନ୍ଦୋଳ ଗ୍ରାମର ଜନୈକ ନାବାଳକକୁ ଅନଗୁଳସ୍ଥିତ ସୁଧାର ଗୃହରେ ଛାଡିଥିବା ବେଳେ ଅଳଙ୍କାର କଣିଥିବା ପୀରହାଟ ବଜାରସ୍ଥିତ ସୁନା ଦୋକାନୀ ତଥା ଦୌଲତପୁର ଗ୍ରାମର ବାସିନ୍ଦା ମହେଶ୍ବର ସାହୁଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସିନ୍ଦୋଳ ପଞ୍ଚାୟତ ଘାଟିଆସାହି ଗ୍ରାମର ତ୍ରିନାଥ ଦାସଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିଲା। ତାଙ୍କ ଏତଲା ମୂଳେ ପୋଲିସ ତଦନ୍ତ ଚଳାଇ ତାଙ୍କ ସମ୍ପର୍କିୟ ଜଣେ ନାବାଳକର ସଂପୃକ୍ତି ଜାଣିବାକୁ ପାଇଥିଲା। ସୁନା ଅଳଙ୍କାର ବିକି ନାବାଳକ ଜଣକ ଅଭିଯୁକ୍ତ ମହେଶ୍ବରଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା। ଶେଷରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ପୀରହାଟ ଆଇଆଇସି ରୋଜାଲିନ୍ ବେହେରାଙ୍କ ଠାରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |