କଟକ (ଉତ୍କଳ ନ୍ୟୁଜ ) ୭-୧୧-୨୦୨୫ : ଦୁଇ ହଜାର ବର୍ଷରୁ ଉର୍ଦ୍ଧ ଏକ ଐତିହାସିକ ପୃଷ୍ଠଭୂମିରେ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ସଂଗଠନର ରୌପ୍ଯ ଜୟନ୍ତୀ ଉତ୍ସବ ପରିପ୍ରେକ୍ଷୀରେ ସାଧବ ପୁଅ ମାନଙ୍କୁ ନେଇ ଏକ ବର୍ଣ୍ଣାଢ୍ଯ ସାଂସ୍କୃତିକ ଶୋଭାଯାତ୍ରା ଧାମରା ବନ୍ଦରରୁ ବାହାରି ମା ଧାମରାଇ ମନ୍ଦିର ନିକଟରେ ପହଞ୍ଚିଥିଲା । ପ୍ରାୟ ୫ ହଜାରରୁ ଉର୍ଦ୍ଧ ସାଧାରଣ ଜନତା ସେଠାରେ ସାଧବ ପୁଅ ମାନଙ୍କୁ ମେଲାଣି ଦେଲାପରେ ଏକ ଶୁଶୋଭିତ ବୋଟରେ ବୈତରଣୀ ନଦୀରେ ଜଳପଥ ଦେଇ ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲା । ଅତୀତରେ କାର୍ତିକ ମାସରେ ଧାମରା ଓ ଚାନ୍ଦବାଲି ସ୍ଥିତ ବଙ୍ଗୋପସାଗର ମୁହାଣରୁ ସାଧବ ବୋହୁ ମାନଙ୍କ ଠାରୁ ମେଲାଣୀ ନେଇ ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ କନିକା ଓ ଧାମରା ଅଞ୍ଚଳର ସାଧବ ପୁଅ ମାନେ ଯାଉଥିଲେ। ସୁନା, ରୂପା, କଳା ହୀରା, ଲବଙ୍ଗ, ଚା, କଫି ଆଦି ସାମଗ୍ରୀ ଧରି ଫେରୁଥିଲେ। ଏହି ଐତିହାସିକ ଗାଥାର ସ୍ମୃତିରେ ସାଧବ ପୁଅ ନିକୁଞ୍ଜ ଦାସ, ବିଜୟ ନାୟକ, କାଳନ୍ଦୀ ବେହେରା, ଘୁଣ୍ଡୁରା ମାଝି, ଜୁଲନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ସାଧବ ବୋହୁ ସିନୁ ଦାସ, ମିନାରାଣୀ ଦାସ, ମାମା ଦାସ, ରଶ୍ମିତା ମାଝୀ ପ୍ରମୁଖ ବନ୍ଦାପନା କରିଥିଲେ।

ପାନଗୁଆ, ହଳଦୀ, ସିନ୍ଦୁର ଓ ଶଙ୍ଖ ହୁଳହୁଳିରେ ଧାମରା ମାଟି ଫାଟି ପଡିଥିଲା । ବରିଷ୍ଠ ବିଜେଡି ନେତା ବଳଭଦ୍ର ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ସେଠୀ, ସିପିଆଇଏମ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାଷୀ ନେତା କାର୍ତ୍ତିକ ଖିଲାର, ଶରତ ବେହେରା, କଂଗ୍ରେସ ନେତା ତାରାକାନ୍ତ ସେଠୀ, ଯୁବନେତା ବିଜୟ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ସାଧାରଣ ଜନତା ଏକଜୁଟ ହୋଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |