
କଟକ (ଉତ୍କଳ ନ୍ୟୁଜ ) ୧୮-୧୨-୨୦୨୫ : ଚୌଦ୍ୱାର ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀ ଦ୍ୱାରା ଆପାତକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ପୂର୍ଣ୍ଣ ଆପାତକାଳୀନ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଅଛି। କାରଖାନା ଭିତରେ ଦୈନନ୍ଦିନ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଯଦି କୌଣସି ପ୍ରକାର ଆପାତକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତାହାର ସୁପରିଚାଳନା କରି ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ କେଉଁ ବିଭାଗ କଣ କାର୍ଯ୍ୟ କରିବେ ତାହାର ଏକ ସାମୂହିକ ଅଭ୍ୟାସ (ମକ ଡ୍ରିଲ) ପ୍ରଦର୍ଶନ କରଯାଇଥିଲା ଏବଂ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ ତାହା ଉପରେ ଗୁରୁରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଶିଳ୍ପଗୋଷ୍ଠୀରୁ ପାରସ୍ପରିକ ସହାୟତା ସାଥି ଭାବରେ ଆରତୀ ଷ୍ଟିଲ, ଜେକେ ଲଷ୍ମୀ ସିମେଣ୍ଟ, ସତ୍ୟମ କାଷ୍ଟିଂ ଏବଂ ଡାଲମିଆ ଭାରତ ସିମେଣ୍ଟ ପକ୍ଷରୁ ଆସିଥିବା ଅଧିକାରୀଗଣ ସେମାନଙ୍କ ମତାମତ ଏହି ଆପାତକାଳୀନ ଅଭ୍ୟାସ ବିଷୟରେ ଦେବା ସହ ଇମ୍ଫା ଦ୍ୱାରା ଆୟୋଜିତ ଏହି ପୂର୍ଣ୍ଣ ଆପାତକାଳୀନ ଅଭ୍ୟାସକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ କଟକ ଶାଖାର ଅତିରିକ୍ତ ନିର୍ଦେଶକ ଶ୍ରୀ ସୁଧାଂଶୁ ଶେଖର ସାହୁ, ଚୌଦ୍ୱାର ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଦାସ, ଏନ.ଡି.ଆର.ଏଫର ଅଧିକାରୀ ଶ୍ରୀ ରାଜୀବ ଲୋଚନ ଆଚାର୍ଯ୍ୟ, ରାଜ୍ୟ ବୀମା ଚିକିତ୍ସାଳୟ ଚୌଦ୍ୱାରରୁ ଡାକ୍ତର ବରୁଣ ଅଗ୍ରୱାଲା, ଇମ୍ଫା ଚୌଦ୍ୱାରର ଉପସଭାପତି ଶ୍ରୀ ବିନୟ ଅଗ୍ରୱାଲା ପ୍ରମୁଖ ଯୋଗ ଦେଇ ତାଙ୍କର ମତାମତ ଦେବା ସହ ଶିଳ୍ପ କାରଖାନାରେ ସୁରକ୍ଷା ପ୍ରତି ଗୁରୁରୋପ କରିବା ସହ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସର୍ବ ଶେଷରେ ଇମ୍ଫାର ମାନବ ସମ୍ବଳ ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ।