କଟକ ଜିଲ୍ଲାସ୍ତରୀୟ HPV ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ |

271

କଟକ,( ଉତ୍କଳ ନ୍ୟୁଜ ) ୦୨-୦୩-୨୦୨୬ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିଟି ହସ୍ପିଟାଲ ଠାରେ (DHH), ଆଜି HPV (ହ୍ୟୁମାନ ପାପିଲୋମା ଭାଇରସ) ଜିଲ୍ଲାସ୍ତରୀୟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ,ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଦ୍ୱାରା କରାଯାଇଅଛି। ଏହି କାର୍ଯ୍ୟକ୍ରମ ଗର୍ଭାଶୟ କ୍ୟାନ୍ସର ପ୍ରତିରୋଧ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୧୪ ବର୍ଷ ବୟସ୍କା କନ୍ୟାଶିଶୁମାନଙ୍କୁ ପ୍ରତୀକାତ୍ମକ ଭାବେ HPV ଟିକା ପ୍ରଦାନ କରାଯାଇଥିଲା। ଏହି ଟୀକାକରଣ ମାଧ୍ୟମରେ ଭବିଷ୍ୟରେ ଗର୍ଭାଶୟ କ୍ୟାନ୍ସର ରୋକାଯିବାରେ ଏକ ଦୃଢ଼ ପଦକ୍ଷେପ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏହି ଟୀକାକରଣ ଅଭିଯାନ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲିବ ଏବଂ ନିର୍ଦ୍ଧାରିତ ସରକାରୀ ଚିକିତ୍ସାଳୟମାନଙ୍କରେ ଟୀକାପ୍ରଦାନ କରାଯିବ। ଯାହାକି ସମସ୍ତ ବ୍ଲକମାନଙ୍କର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ କଟକ ସହରରେ ସିଟି ହସ୍ପିଟାଲ ଓ ଉଭୟ ଚାଉଳିଆଗଞ୍ଜ ଓ ସିଡିଏ ସେକ୍ଟର-୭ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ବାଙ୍କୀ ଓ ଆଠଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଲୟମାନଙ୍କରେ ଏହି ଟୀକା ପ୍ରଦାନ କରାଯିବ।

୧୪ ବର୍ଷରୁ ୧୫ ବର୍ଷ ବୟସ୍କା ମଧ୍ୟରେ କନ୍ୟାସନ୍ତାନମାନଙ୍କୁ ନିଶୁଳ୍କ ଭାବେ ରାଜ୍ୟସରକାରଙ୍କ ପକ୍ଷରୁ ଏହି ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବା ସହ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି ଯେ, ସେମାନେ ନିଜ କନ୍ୟାସନ୍ତାନଙ୍କୁ ନିକଟସ୍ଥ ନିର୍ଦ୍ଧାରିତ ସରକାରୀ ଚିକିତ୍ସାଳୟକୁ ନେଇ ଟୀକାକରଣ କରାଇ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରାନ୍ତୁ। ଏଠାରେ ସୂଚନାଯୋଗ୍ଯେ ଯେ ଭାରତ ସରକାରଙ୍କ U-WIN ପୋର୍ଟାଲ ରେ ଘରେ ବସି ମଧ୍ୟ ପଞ୍ଜିକରଣ କରିବାର ସୁବିଧା ଉପଲବ୍ଧ ଅଛି।ଏହି ପୋର୍ଟାଲରେ ପଞ୍ଜିକରଣ କରାଇ ନିକଟସ୍ଥ ନିର୍ଦ୍ଧାରିତ ଚିକିତ୍ସାଳୟ ମାନଙ୍କରେ ଟୀକା ଗ୍ରହଣ କରିପାରିବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରଶାନ୍ତ କୁମାର ହୋତା ଉପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ)ଡ଼ା ଚିନ୍ତାମଣି ମିଶ୍ର , ଅତିରିକ୍ତ ଚିକିତ୍ସା ଅଧିକାରୀ (ମେଡିକାଲ) ଡ଼ା ଚନ୍ଦନ ଗଡ଼ ନାୟକ ଏବଂ ଏନଏଚଏମ (NHM) ଷ୍ଟାଫ ଓ ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ଆୟୋଜନ ଓ ସହଯୋଗ କରିଥିଲେ।