କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ୍ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୯୩ଟି ଅଭିଯୋଗ ହସ୍ତଗତ ହୋଇଥିଲା । ତନ୍ମଧ୍ୟରେ ଟି ୯୧ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୩ଟି ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାଳରେ ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, କଟକ ସଦର ଉପଜିଲ୍ଳାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଶାନ୍ତ କୁମାର ହୋତାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଭତ୍ତା ତଥା ଶିକ୍ଷା ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୨୩ ତାରିଖରେ ଡମପଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।