ଜମିବାଡି ବିବାଦକୁ ନେଇ ଅଣ୍ଡରେଇରେ ଗଣ୍ଡଗୋଳ, ଜଣେ କୋମାରେ |

248

କଟକ (ଉତ୍କଳ ନ୍ୟୁଜ ) ୦୨-୦୭-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତ ଅଧିନ ଅଣ୍ଡରେଇ ଗାଁରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ସଂପ୍ରତି ଭିନ୍ନ ମୋଡ୍ ନେବାକୁ ଯାଉଛି । ଏହି ଘଟଣାରେ ଜଣେ ଯୁବକ କୋମା(ବ୍ରେନ୍ ଡେଡ୍‌)ରେ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତ ପରେ ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ସୂଚନା ମୁତାବକ, ଏହି ଗାଁରେ ଶିବପ୍ରସାଦ ଜେନା ଓ ଦେବ ଜେନା ଦୁଇ ଭାଇଙ୍କ ମଧ୍ୟରେ ବିଗତ କିଛି ବର୍ଷ ହେଲା ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା । ୩ ଦିନ ତଳେ ଗଛରୁ ନଡିଆ ବିଛାକୁ ନେଇ ଉଭୟ ପରିବାର ଝଗଡା ମଧ୍ୟ ହୋଇଥିଲା । ଗତ ୩୦ ତାରିଖ ଅପରାହ୍ନରେ ଏହା ଉଗ୍ରରୂପ ନେଇଥିଲା । ପ୍ରଥମେ ବାକ୍‌ବିତଣ୍ଡା ପରେ ଗଣ୍ଡଗୋଳ ହୋଇଥିଲା । ଦେବ ଜେନାଙ୍କ ପକ୍ଷରୁ ଶିବ ପ୍ରସାଦଙ୍କ ଆକ୍ରମଣ କରାଯାଇଥିଲା । ସେଥିରେ ତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପୁଅ ଶ୍ରୀଧର ଜେନା ଏହାର ପ୍ରତିବାଦ କରିଥିଲେ । ଅପରପକ୍ଷ ଉତ୍‌କ୍ଷିପ୍ତ ହୋଇ ଶ୍ରୀଧରଙ୍କୁ ଶାବଳ ଓ ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଶ୍ରୀଧରଙ୍କ ମୁଣ୍ଡ ପଛପାଖ କ୍ଷତାକ୍ତ ଓ ରକ୍ତାକ୍ତ ହୋଇଥିଲା । ମୂମୁର୍ଷ ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଅଧିକ ଗୁରୁତର ହେବାରୁ ରାତିରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବ୍ରେନ୍ ଡେଡ୍ ହୋଇଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି । ତେବେ ୧ ତାରିଖରେ ପୋଲିସ ପକ୍ଷରୁ ଶ୍ରୀଧରଙ୍କ ବୟାନ୍ ରେକର୍ଡ କରିବାକୁ କଟକ ଯାଇଥିଲେ ମାତ୍ର ତାଙ୍କର ପରିସ୍ଥିତି ଭଲ ନଥିବାରୁ ବିଫଳ ହୋଇ ଫେରିବାକୁ ପଡିଥିଲା । ଏହି ଘଟଣାକୁ ନେଇ ପୋଲିସ ଆଜି ଅପରପକ୍ଷରୁ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଏଠାରେ ସୂଚନା ଥାଉକି, ଦୁଇ ଭାଇଙ୍କ ବିବାଦ ଓ ଗଣ୍ଡଗୋଳକୁ କେନ୍ଦ୍ରକରି ଉଭୟ ପକ୍ଷଙ୍କ ଏତଲା ମୂଳେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ଶିବପ୍ରସାଦ ଜେନାଙ୍କ ଏତଲା ମୂଳେ ସଂଗୀନ ଦଫାରେ ଥାନାରେ ଏକ ମାମଲ ୩୧୨/୨୪ ରୁଜୁ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |