କଟକ (ଉତ୍କଳ ନ୍ୟୁଜ ) ୦୨-୧୨-୨୦୨୪ : କୋଇଲା ଚୋରୀରେ ସଂପୃକ୍ତ ଅଭିଯୋଗରେ ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ମଙ୍ଗଳପୁର ଗାଁରୁ ୪ ଜଣ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ରାକେଶ କୁମାର ମହାଳିକ ଓରଫ ରବି, ସନ୍ତୋଷ କୁମାର ମହାଳିକ ଓରଫ ମାନସ, ରମେଶ ମଳିକ ଏବଂ ଧର୍ମାନନ୍ଦ ବେହେରା ଓରଫ ନନ୍ଦି ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନର୍ଦ୍ଦେଶକ୍ରମେ ଚୋରା କୋଇଲା ଚାଲାଣ ଉପରେ ପୋଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି । ଏହି ମର୍ମରେ ଚୋରା କୋଇଲା ଓ ବେଆଇନ୍ ଗୋରୁ ଚାଲାଣକାରୀଙ୍କ ନିଦ ହଜି ଯାଇଛି । ଥାନା ପୋଲିସ ଉପରେ ସମ୍ପୂର୍ଣ୍ଣ ଭରଷା ନକରି ଜିଲ୍ଲା ଆରକ୍ଷୀ ମଧ୍ୟ ରାତିଅଧିଆ ଚଢାଉ କରୁଛନ୍ତି । ଗତ ନଭେମ୍ବର ମାସ ୧୮ ତାରିଖ ରାତିରେ ଖୋଦ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ମଙ୍ଗଳପୁର ଗାଁରେ ଚଢାଉ କରିଥିଲେ । ସେହି ସମୟରେ ବସ୍ତା ବସ୍ତା ଚୋରା କୋଇଲା ବାହାରକୁ ଚାଲାଣ ହେବାଲାଗି ପଡି ରହିଥିବା ଦେଖି ସେଗୁଡିକୁ ଜବତ୍ କରିବା ଲାଗି ଉଭୟ ତିହିଡି ଓ ପୀରହାଟ ପୋଲିସ ନିର୍ଦ୍ଦେଶ ଦେଇଥିଲେ । ପରଦିନ ସଂପୃକ୍ତ ଗାଁ ରାସ୍ତା ପାଶ୍ୱର୍ରେ ରଖା ଯାଇଥିବା ୩୫୪ କ୍ୱିଣ୍ଟାଲ ଚୋରା କୋଇଲା ଜବତ କରା ଯାଇଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଚଳାଉଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |