କଟକ (ଉତ୍କଳ ନ୍ୟୁଜ ) ୦୭-୦୨-୨୦୨୫ : ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନ ରେ ଜିଲ୍ଲା ସ୍ୱାସ୍ଥ୍ୟ ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା ଜଣାଇଥିଲେ ଯେ, ଚଳିତ ବର୍ଷ କଟକ ଜିଲ୍ଲାର ମୋଟ ୭, ୩୧, ୮୮୨(୧-୧୯ ବର୍ଷ ) ପିଲାଙ୍କୁ ଓ ମୋଟ ୧, ୨୯, ୮୭୨ ମହିଳାଙ୍କୁ (୨୦-୨୪ ବର୍ଷର ଯେଉଁମାନେ ଗର୍ଭବତୀ ଓ ସ୍ଥାନ୍ୟପାନ କରାଉନଥିବେ ) କୃମି ବାଟିକା ଦିଆଯିବାକୁ ଧାର୍ଯ୍ୟ କରାଯାଉଛି । ଜିଲ୍ଲାର ସମସ୍ତ ୨୨୩୪ ସରକାରୀ ଓ ୫୨୨ ବେସରକାରୀ ବିଦ୍ୟାଳୟ ସହିତ ୩୩୪୩ ଅଙ୍ଗନବାଡି ସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦ୍ୱାରା କୃମି ବାଟିକା ଦିଆଯିବ । ଯେଉଁ ପିଲାମାନେ ୧୦ ଫେବୃଆରୀରେ ଔଷଧ ଖାଇ ନ ଥିବେ ସେମାନଙ୍କୁ ୧୭ ଫେବୃଆରୀ ରେ ଔଷଧ ଖୁଆଯିବ । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ତ୍ବରାନ୍ୱିତ କରିବା ପାଇଁ ୫୨୨ସ୍ୱାସ୍ଥ୍ୟ କର୍ମୀ, ୨୨୧୫ଆଶା କର୍ମୀ ଓ ୩୩୪୩ ଅଙ୍ଗନବାଡି କର୍ମୀ, ୨୬୦ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ସେହିପରି ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଫେବୃଆରୀ ରୁ ୧୯ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସାଲେପୁର, ଆଠଗଡ, ତିଗିରିଆ, ବଡମ୍ବା, ସୁବର୍ଣପୁର ( ବାଙ୍କି) ବ୍ଲକରେ ଅନୁଷ୍ଠିତ ହେବ । ଏହାଦ୍ୱାରା ସର୍ବମୋଟ ୭,୩୯,୮୭୧ ହିତାକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ୨୯୫୭ ଔଷଧ ସେବନକର୍ମୀ (ଆଶା/ ଅଙ୍ଗନବାଡି ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ) ଘରକୁ ଘର, ସମସ୍ତ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ କୁ ଯାଇ ସମସ୍ତଙ୍କୁ ବୟସ ଅନୁପାତରେ ( ଡି.ଈ.ସି ଓ ଆଲବେଣ୍ଡାଜୋଲ) ବଟିକା ଖୁଆଈବେ । ଏଥିରେ ୨୯୬ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଏହି ଔଷଧ ଗର୍ଭବତୀ ମା, ଦୁଇ ବର୍ଷରୁ କମ୍ ଶିଶୁ ଓ ଗୁରୁତର ଅସୁସ୍ଥ ଲୋକ ଖାଇବେ ନାହିଁ । ଗ୍ରାମର ବୁଦ୍ଧିଜୀବୀ, ଗାଁ କଲ୍ୟାଣ ସମିତି, ଯୁବକ ସଂଘ, ମହିଳା ସଂଘ, ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ସମାଜର ବିଭିନ୍ନବର୍ଗର ଲୋକଙ୍କୁ ସାମିଲ କରି ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହେବାକୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଡା. ଲୋକନାଥ ପାତ୍ର, ଡି.ପି.ଏଚ.ଓ, ଡା. ଚିନ୍ତାମଣି ମିଶ୍ର, ଏ.ଡି.ପି.ଏଚ.ଓ (ପରିବାର କଲ୍ୟାଣ), ଡା. ରଞ୍ଜନ କୁମାର ସିଂ, ଏ.ଡି.ପି.ଏଚ.ଓ (ଭି.ବି.ଡି), ଡା. ଦିପା ପଟ୍ଟନାୟକ, ଏ.ଡି.ପି.ଏଚ.ଓ ( ଲେପ୍ରସି ), ତୃପ୍ତିରାଣୀ ନାୟକ, ଭି.ବି.ଡି.ସି ଙ୍କ ସମେତ ଡିପିଏଚସିଓ, ଡିପିଏମ, ଡ଼ିଏମଆରସିଏଚ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମନେ ଉପସ୍ଥିତ ଥିଲେ ।