କଙ୍ଗାରୁ କୋର୍ଟର ନିଷ୍ପତି, ଚୋରିରେ ସଂପୃକ୍ତ ୨ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ, ୩ ଦିନ ପରେ ଉଦ୍ଧାର କଲା ପୋଲିସ।

259

କଟକ (ଉତ୍କଳ ନ୍ୟୁଜ ) ୦୧-୦୩-୨୦୨୫ : କଙ୍ଗାରୁ କୋର୍ଟର ନିଷ୍ପତି, ଚୋରିରେ ସଂପୃକ୍ତ ୨ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ, ୩ ଦିନ ପରେ ଉଦ୍ଧାର କଲା ପୋଲିସ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭୂଇଁବୃତ୍ତି ପଞ୍ଚାୟତ ଅଧିନ ରାମସେରପୁର କରାଣ୍ଡିମାଳ ଗାଁରୁ ଆସିଛି। ତିନିଦିନ ତଳେ କୌଣସି ଏକ ଚୋରି ଘଟଣାରେ ସେହି ଗାଁର ରବିନ୍ଦ୍ର ପରିଡ଼ାଙ୍କ ପୁଅ ସୌମ୍ୟରଞ୍ଜନ ପରିଡ଼ା ଏବଂ ଦଶରଥ ଦଳେଇଙ୍କ ପୁଅ ମଣିଆ ଦଳେଇଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବାନ୍ଧି ରଖିବା ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଥମେ ଏକ ଗଛରେ ବାନ୍ଧି ରଖିଥିଲେ। ପରେ ଏକ ନିର୍ମାଣଧିନ ଅଙ୍ଗନବାଡ଼ି କେନ୍ଦ୍ରରେ ବାନ୍ଧି ରଖିଥିବା ପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦୁଇ ଯୁବକଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି। ତିନି ଦିନ ଧରି ବାନ୍ଧିବା ଘଟଣାରେ କାହିଁକି ଏମିତି ଗାଁ ଲୋକେ କଙ୍ଗାରୁ କୋର୍ଟ ବସାଇ ଥିଲେ ଏଯାଏଁ କିଛି କାରଣ ମିଳି ପାରିନାହିଁ। ତେବେ ବନ୍ଧା ହୋଇଥିବା ଦୁଇ ଯୁବକଙ୍କ ବାପା କୌଣସି ଚାପ ଏବଂ ଭୟଭୀତ ହୋଇ ସେମାନଙ୍କୁ ଉଦ୍ଧାର କରି ପାରି ନଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଚୋରି ଘଟଣାରେ ପୋଲିସ ତଦନ୍ତ କରି ଦଣ୍ଡ ଦେବାପାଇଁ ଆଇନ୍ ରହିଥିବା ବେଳେ ଗାଁ ଲୋକେ କାହିଁକି ନିଜ ହାତକୁ ଏପରି ନେଇଥିଲେ ତାହା ଅସ୍ପଷ୍ଟ। ପୋଲିସର ଜିମା ଦେବା ପରିବର୍ତ୍ତେ ଗାଁରେ ଲୋକମାନେ ଗାଈଗୋରୁଙ୍କୁ ବାନ୍ଧି ରଖିବା ଭଳି ଏହି ଘଟଣାରେ ଉପଯୁକ୍ତ ନ୍ୟାୟ ପାଇଁଁ ଦାବି କରିଛନ୍ତି ଯୁବକଙ୍କ ପରିବାର। ଏବେ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରି ପୋଲିସ ଥାନାରେ ଅଟକ ରଖିଥିବା ଜଣା ଯାଇଛି। ତେବେ ବାନ୍ଧି ରଖିଥିବା ଲୋକଙ୍କ ବିରୋଧରେ ପୋଲିସ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |