କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୫ : ସୂଚନା ଅଧିକାର ଆଇନ୍-୨୦୦୫କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି । ସାଧାରଣ ଜନତା ଏହି ଆଇନକୁ ସରଳ ଓ ସୁବିଧାଜନକ ଭାବେ ବ୍ୟବହାର କରି ବିଭିନ୍ନ ବିଭାଗର ତଥ୍ୟ ଉପଲବଧ କରିବା ପାଇଁ ବିଭାଗୀୟ ଦପ୍ତରଗୁଡିକୁ ନିଜର ସାଧାରଣ ତଥ୍ୟଗୁଡିକୁ ସୂଚନା ଅଧିକାର ପୋର୍ଟାଲରେ ନିଜ ଆଡୁ ସାର୍ବଜନୀନ କରି ପ୍ରକାଶ କରିବାର ବିଧି ରହିଛି । ସରକାର ଉକ୍ତ ତଥ୍ୟକୁ ଇଂରାଜୀ ସହ ଓଡ଼ିଆରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଜନ ସୂଚନା ଅଧିକାରୀମାନେ ନିର୍ଭୁଲ ଭାବେ ଅବିଳମ୍ବେ ଏହି କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସେମାନଙ୍କୁ ବିଶେଷ ପ୍ରଶିକ୍ଷଣର ଆବଶ୍ୟକତାକୁ ଉପଲବ୍ଧି କରି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଅଧିକାର ଆଇନ୍-୨୦୦୫ ଅନ୍ତର୍ଗତ ଏକ ସଚେତନତା କର୍ମଶାଳା ଆଜି କଟକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି କର୍ମଶାଳାରେ ଯୋଗଦେଇ ଜନ ସୂଚନା ଅଧିକାରୀମାନେ ସୂଚନା ଅଧିକାର ଆଇନ୍-୨୦୦୫ର ଧାରା ୪(୧)(ଖ) ଅନୁଯାୟୀ ନିଜ ବିଭାଗର ସମସ୍ତ ତଥ୍ୟ ସୂଚନା ଅଧିକାର ୱେବସାଇଟରେ ଉଭୟ ଓଡ଼ିଆ ଓ ଇଂରାଜୀରେ ଅପଲୋଡ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ବିଭିନ୍ନ ବିଭାଗ ଅଧିକ କ୍ରିୟାଶୀଳ ଏବଂ ସଚେତନ ହୋଇ ସୂଚନା ଅଧିକାର ସମ୍ପର୍କିତ ଆସୁଥିବା ସମସ୍ତ ଆବେଦନଗୁଡିକର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ ବିଭାଗର ଜନ ସୂଚନା ଅଧିକାରୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିôଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବିଷୟ ବିଶାରଦ ଭାବେ ଲୁମିନସ୍ ଇନଫୋସିସର ମାଷ୍ଟର ଟ୍ରେନର ସଂଗ୍ରାମ କୁମାର ପୃଷ୍ଟି ଯୋଗଦେଇ ସୂଚନା ଅଧିକାର ଆଇନର ଧାରା ୪(୧) (ଖ) ମୁତାବକ ୧୭ସ୍ତରୀୟ ତଥ୍ୟ ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜ ସୂଚନା ଅଧିକାର ପୋର୍ଟାଲରେ ଅଦ୍ୟତନ କରିବା ଉପରେ ତାଲିମ ପ୍ରଦାନ କରିଥିଲେ । ମଗାଯାଉଥିବା ତଥ୍ୟଗୁଡିକୁ ଠିକ୍ ସମୟରେ ପ୍ରଦାନ ସହ ନିଜ ବିଭାଗର ତଥ୍ୟଗୁଡିକୁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସାର୍ବଜନିନ କରିବା ନିମନ୍ତେ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନରେ ଏ ସମ୍ପର୍କିତ ଦ୍ୱନ୍ଦକୁ ସେ ଦୂର କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତେ ନିଜ ନିଜ ବିଭାଗ ବା କାର୍ଯ୍ୟାଳୟର ସୂଚନା ଅଧିକାର ପୋର୍ଟାଲରେ ଉଭୟ ଓଡିଆ ଓ ଇଂରାଜୀରେ ତଥ୍ୟ ଅପଲୋଡ କରିବାକୁ ପରାମର୍ଶ ଦେଇଥିଲେ ।