କଟକ (ଉତ୍କଳ ନ୍ୟୁଜ ) ୧୬-୦୩-୨୦୨୫: ଚୌଦ୍ୱାର ମଙ୍ଗରାଜପୁରସ୍ଥିତ ନେକ୍ଟାର ଅମୃତାଳୟ ଜରା ନିବାସ ପରିସରରେ ମଧୁମେହ ରୋଗ ସଂପର୍କୀତ ଏକ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଭେଷଜ ଓ ଅନ୍ତଶ୍ରାବୀରୋଗ ବିଶେଷଜ୍ଞ ପ୍ରଫେସର ପ୍ରସନ୍ନ କୁମାର ରାଠୋର ଉପସ୍ଥିତ ବୟସ୍କ ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷାକରି ମଧୁମେହରେ ପିଡିତ ରୋଗୀମାନଙ୍କୁ ପରାମର୍ଶ ଦେବା ସହିତ ମାଗଣା ଔଷଧ ବଣ୍ଟନ କରିଥିଲେ । ଶଲ୍ୟ ଚିକିତ୍ସକ ଡାକ୍ତର ବାବାଜୀ ଚରଣ ଦାଶ ଔଷଧ ପ୍ରଦାନ କରିବା ସହିତ ସହାୟତା କରିଥିଲେ । ସ୍ଥାନୀୟ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ସ୍ଥାନୀୟ ସରପଂଚ ଦେବେନ୍ଦ୍ର କୁମାର ପାଣ୍ଡବ,ଗ୍ରାମ ସଭାପତି ରବୀନ୍ଦ୍ରନାଥ ନାୟକ ଅଧ୍ୟାପିକା ଡକ୍ଟର ଅବନ୍ତିକା କର, ଆଶ୍ରମର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀନାରାୟଣ ପଣ୍ଡା, ଗ୍ରାମ ଉପଦେଷ୍ଟା ବିନୋଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭ୍ୟମାନଙ୍କ ମଧ୍ୟରେ ଡକ୍ଟର ସ୍ବାତୀ ପଟ୍ଟନାୟକ, ମୋନାଲିସା ପାଢୀ, ଶିବନାରାୟଣ ପଣ୍ଡା,ଆଲୋକ କୁମାର ଭୂଜବଳ ଏବଂ ତପନ କୁମାର ବରାଳ ପ୍ରମୁଖ ଶିବିରଟିକୁ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଉକ୍ତ ବୃଦ୍ଧାଶ୍ରମରେ ପଚାଶଜଣ ନିରାଶ୍ରିତ ବୃଦ୍ଧବୃଦ୍ଧାଙ୍କର ଆଶ୍ରୟ ନିମିତ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଅଧ୍ୟକ୍ଷ ଡକ୍ଟର ପଣ୍ଡା ପ୍ରକାଶ କରିଛନ୍ତି ।