କଟକ ଜିଲ୍ଲା ରେଡ଼କ୍ରସ ଶାଖା ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ।

132

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୫ : ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡ଼କ୍ରସ ଶାଖାର ବାର୍ଷିକ ସାଧାରଣ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି।ସୂଚନା ଅନୁଯାୟୀ ଗତବର୍ଷ ଏହି ବୈଠକ ଅନୁଷ୍ଠିତ ହୋଇନଥିବା ବେଳେ ଜିଲ୍ଲାପାଳଙ୍କ ଆହ୍ବାନ କ୍ରମେ ଏହି ବୈଠକ ଡକାଯାଇ ଜିଲ୍ଲା ରେଡ଼କ୍ରସ ଶାଖାର ସୁପରିଚାଳନା ତଥା ଅଭାବି ଲୋକଙ୍କୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରାଯିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏଥିପାଇଁ ରେଡକ୍ରସ୍ ପାଣ୍ଠିରେ ଅଭିବୃଦ୍ଧି କରାଯିବା ନେଇ ଜିଲ୍ଲାପାଳ ଗୁରୁତ୍ଵାରୋପ କରିବା ସହ ଉକ୍ତ ପାଣ୍ଠିକୁ ନିର୍ଦ୍ଧିଷ୍ଟ ମାତ୍ରା ପ୍ରଦାନ କରିବାପାଇଁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ବିଭିନ୍ନ ସମୟରେ ଆବଶ୍ୟକତା ଅନୁଯାୟୀ ସମାଜରେ ଅବହେଳିତ ବିଶେଷକରି ସ୍ଵାସ୍ଥ୍ୟସେବା, ଦୁର୍ଘଟଣା, ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ଶିକ୍ଷା, ଜରୁରୀ ସେବା ଏଵଂ ଅଭାବୀ ଆଦି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରାଯାଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ରେଡ଼କ୍ରସ୍ ପାଣ୍ଠିର ଆର୍ଥିକ ଅଭିବୃଦ୍ଧି ଘଟାଯାଇ ବିଭିନ୍ନ ସହାୟତା ରାଶିର ପରିମାଣ ବୃଦ୍ଧି କରାଯିବ ବୋଲି ଏହି ବୈଠକରେ ନିର୍ଦ୍ଦେଶ ଦେଇଥିଲେ।

ଏସ ସିବି, ଆଚାର୍ଯ୍ୟ ହରିହର,ଶିଶୁଭବନ, ସିଟି ହସ୍ପିଟାଲ ମାନଙ୍କରେ ଜିଲ୍ଲା ରେଡକ୍ରସ ପକ୍ଷରୁ ସାଧାରଣ ଲୋକଙ୍କ ନିମନ୍ତେ ସ୍ଵେଚ୍ଛାକୃତ ସେବା ଯୋଗାଇ ଦିଆଯାଉଛି ବୋଲି ଏହି ବୈଠକରେ ସୂଚନା ପ୍ରଦାନ କରିବା ସହ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟାଲୋଚନ ମହାନ୍ତ ବୈଠକର ବିବରଣୀ ଓ ଜିଲ୍ଲା ରେଡକ୍ରସ ଶାଖାର କାର୍ଯ୍ୟାଶୈଳି, ସ୍ଥିତି ଓ ଆବଶ୍ୟକତା ଆର୍ଥିକ ଅଭିବୃଦ୍ଧି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଆଜିର ଏହି ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣଶର୍ମା,କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ଡେପୁଟି କଲେକ୍ଟର (ଜରୁରୀ),ନିଷ୍ଠା ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ତହସିଲଦାର,ବି ଡି ଓ ପ୍ରମୁଖ ଯୋଗଦେଇଥିଲେ।