ଭାରତୀୟ ସେୟାର ବଜ଼ାରରେ ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ |

69

କଟକ ,(ଉତ୍କଳ ନ୍ୟୁଜ) ୨୭.୫.୨୦୨୫ ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ମଙ୍ଗଳବାର ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଦ୍ବିତୀୟ କାର୍ଯ୍ୟ ଦିନ ମଙ୍ଗଳବାର ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଛି।ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନସେକ୍ସ ୭୫୨ ପଏଣ୍ଟ୍‌ ହ୍ରାସ ପାଇ ୮୧,୪୨୪ରେ ପହଞ୍ଚିଛି। ଯେତେବେଳେ କି ନେସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ ନିଫ୍‌ଟି) ୫୦ ବି ରେଡ୍‌ ଜୋନ୍‌କୁ ଯାଇଥିବାର ଦେଖିବାକୁ ମିଳିଛି। ଏହା ୨୦୯ ପଏଣ୍ଟ୍‌ ହ୍ରାସ ପାଇବା ପରେ ୨୪,୭୯୨ରେ ପହଞ୍ଚିଛି।ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଇକ୍ୱିଟି ବେଞ୍ଚମାର୍କଗୁଡ଼ିକ ଦ୍ରୁତ ଭାବରେ ହ୍ରାସ ପାଇଥିଲା, ଯାହା ପୂର୍ବ ସେସନର ଲାଭକୁ ବି ବୁଡ଼ାଇ ଦେଇଛି। କାରଣ ବିଶ୍ୱ ଅନିଶ୍ଚିତତା ଏବଂ ଲାଭ ବୁକିଂ ମଧ୍ୟରେ ନିବେଶକମାନେ ସତର୍କ ହୋଇଯାଇଥିଲେ।ଉଲ୍ଲେଖ‌େଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଗତ କିଛି ଦିନ ହେବ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍‌ ବଦଳୁଥିବା ନଜର ଆସିଥିଲା। ଗତ କିଛି ଦିନ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍‌ ଜୋନ୍‌)ରେ ବଜାର ରହିଥିବା ବେଳେ ଆଜି ପୁଣି ଟ୍ରେଣ୍ଡ୍‌ ବଦଳିଛି।