ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା |

102

କଟକ,(ଉତ୍କଳ ନ୍ୟୁଜ) ୭.୬.୨୦୨୫ : ଆସନ୍ତା ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ଏଥିଲାଗି ସୁପ୍ରିମକୋର୍ଟ ଏନବିଇର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।ଆଜିର ଶୁଣାଣି ସମୟରେ ଏନଇବି ଓକିଲ କହିଥିଲେ ଯେ ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା କରିବା ଯୋଗୁଁ ତାରିଖ ବୃଦ୍ଧି କରିବାକୁ ପଡିବ। ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ ଯେ ଆପଣ ଏତେ ସମୟ କାହିଁକି ନେଉଛନ୍ତି? ଏହା ବହୁତ ଲମ୍ବା ସମୟ ଓ ଏହା ଦ୍ବାରା ସମଗ୍ର ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହାର ଜବାବରେ ଏନଇବି କହିଥିଲା ଯେ ମୋଟ ପ୍ରାୟ ୨ ଲକ୍ଷ ୫୦ ହଜାର ପ୍ରାର୍ଥୀ ଅଛନ୍ତି। ପୂର୍ବରୁ ପ୍ରାୟ ୪୫୦ କେନ୍ଦ୍ର ଥିଲା। ଯେହେତୁ ଆମକୁ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ପଡିବ, ତେଣୁ ଆମକୁ ଅତି କମରେ ୫୦୦ କେନ୍ଦ୍ର ଆବଶ୍ୟକ। ଏହାଛଡ଼ା ଚିହ୍ନଟ, ନିରାପତ୍ତା ଆଦି ସୁନିଶ୍ଚିତ କରିବାକୁ ସମୟ ଅବଶ୍ୟକ । ପରେ ଏନଇବିର ଏହି ଅନୁରୋଧରେ ସୁପ୍ରିମକୋର୍ଟ ରାଜି ହୋଇଥିଲେ । ପୂର୍ବରୁ ନିଟ୍ ପିଜି ୨୦୨୫ ପରୀକ୍ଷା ଜୁନ ୧୫ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହି ପରୀକ୍ଷା ୨ଟି ସିଫ୍ଟରେ ହେବାକୁ ଥିବାରୁ ତାହାର ସ୍ବଚ୍ଛତା ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । ଏହା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।