କଟକ,(ଉତ୍କଳ ନ୍ୟୁଜ),୨୫.୬.୨୦୨୫ : ଯକ୍ଷ୍ମା ବିରୋଧୀ ଲଢେଇରେ ସାମୁହିକ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି | ଚଳିତ ଜୁନ ୨୪ ତାରିଖ ଦିନ ରାଜଭବନରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପ୍ରଗତି ସମ୍ପର୍କରେ ସମୀକ୍ଷା ଅବସରରେ ରାଜ୍ୟପାଳ ଏହା କହିଛନ୍ତି |ଯକ୍ଷ୍ମା ନିରାକରଣ ଦିଗରେ ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଗୋଷ୍ଠି ସମ୍ପୃକ୍ତି ଏବଂ ସାମାଜିକ ଦାୟିତ୍ୱବୋଧ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ |ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଏବଂ ସେମାନଙ୍କର ପୁଷ୍ଟିକର ଆବଶ୍ୟକତା ପୁରାଣ ପାଇଁ ଆର୍ଥିକ ଯୋଗଦାନ ଦେବାକୁ ନାଗରିକମାନଙ୍କୁ ରାଜ୍ୟପାଳ ଅନୁରୋଧ କରିଛନ୍ତି | ଏହି ଅଭିଯାନରେ ବ୍ୟାପକ ଜନ ଅଂଶଗ୍ରହଣଙ୍କୁ ପ୍ରୋତ୍ସାହିତ କରିବା ତଥା ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ସ୍ୱରୂପ ରାଜଭବନ ପକ୍ଷରୁ ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ ପ୍ରଦାନ କରାଯିବ ବୋଲି କହିଥିଲେ | ଏ ଦିଗରେ ଉଦାହରଣ ଭାବରେ ନେତୃତ୍ୱ ନେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି | ଏପରି ମହତ ଉଦ୍ଦେଶ୍ୟ ନିମନ୍ତେ ସମର୍ଥନ, ସହଯୋଗ ଏବଂ ସଚେତନତାକୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଚିଠି ଲେଖି ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା, ପୁଷ୍ଟିକର କିଟ ଯୋଗାଇ ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିବେ ବୋଲି ରାଜ୍ୟପାଳ କହିଛନ୍ତି | ଏତତବ୍ୟତୀତ ବିଶ୍ୱବିଦ୍ୟାଳୟର ଭାଇସ-ଚାନସେଲର ,ଅଧ୍ୟାପକ ,ସାମାଜିକ ସଂଗଠନ ଏବଂ ଜନହିତୌଷୀ ଅନୁଷ୍ଠାନ ମାନେ ଯକ୍ଷ୍ମା ରୋଗୀଙ୍କୁ ଗ୍ରହଣ କରିବା ସହିତ ପୁଷ୍ଟିକର କିଟ ଯୋଗାଇବା ନିମନ୍ତେ ଅନୁରୋଧ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି | ଯକ୍ଷ୍ମା ନିରାକରଣ ପାଇଁ କେବଳ ସରକାରଙ୍କ ପ୍ରୟାସ ନୁହେଁ, ବରଂ ପ୍ରତ୍ୟକ ସ୍ତରରେ ବ୍ୟକ୍ତି, ଅନୁଷ୍ଠାନ ଏବଂ ନାଗରିକ ସମାଜକୁ ନେଇ ଏକ ସାମୁହିକ ସାମାଜିକ ଆନ୍ଦୋଳନ ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି |ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନରେ ଯକ୍ଷ୍ମା ରୋଗୀ ଚିହ୍ନଟ ,ଚିକତ୍ସା ଏବଂ ଜନସାଧାରଣଙ୍କ ସହଭାଗିତାରେ ରାଜ୍ୟର ଅଗ୍ରଗତି ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ ରାଜପୁତ,ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ.ଏଚ .ଏମ )ଓଡ଼ିଶାର ମିଶନ ନିର୍ଦେଶକ ଡାକ୍ତର ବୃନ୍ଧା ଡି ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ |