ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ରୁଷ |

74

କଟକ,(ଉତ୍କଳ ନ୍ୟୁଜ),୩୦.୬.୨୦୨୫ : ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ | ଗତରାତିରେ ହୋଇଥିବା ଆକ୍ରମଣରେ ବ୍ୟାପକ ଧ୍ବଂସଲୀଳା ଘଟିଛି | ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏହା ରୁଷର ସବୁଠାରୁ ବଡ ଆକାଶ ମାର୍ଗ ଆକ୍ରମଣ | ଏହି ଆକ୍ରମଣରେ ୟୁକ୍ରେନର ଏକ ଏଫ-୧୬ ଲଢୁଆ ବିମାନକୁ ରୁଷ ଖସାଇ ଦେଇଛି ଓ ଏହାର ପାଇଲଟଙ୍କ ମଧ୍ୟ ମୃତ୍ୟୁ ଘଟିଛି | ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ ଗତରାତିରେ ୪୭୭ଟି ଡ୍ରୋନ ଓ ୬୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଛି | ଏହା ସହିତ ୟୁକ୍ରେନ ଉପରେ ଲଗାତାର ବିମାନ ଆକ୍ରମଣ ଜାରି ରହିଥିବାରୁ ସ୍ଥିତି ଅତି ସାଙ୍ଘାତିକ ରୂପ ନେଇଛି ବୋଲି ସେ କହିଛନ୍ତି |ଆମେରିକା ଓ ଅନ୍ୟ ପଶ୍ଚିମ ସହଯୋଗୀ ରାଷ୍ଟ୍ରମାନେ ଜରୁରୀ ସହାୟତା କରିବାକୁ ଜେଲେନସ୍କି ନିବେଦନ କରିଛନ୍ତି | ଉନ୍ନତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନ ମିଳିଲେ ରୁଷର ଧ୍ବଂସଲୀଳାକୁ ରୋକିବା ସମ୍ଭବ ନୁହେଁ ବୋଲି ଜେଲେନସ୍କି ଆମେରିକାକୁ କହିଛନ୍ତି | ଗତରାତିରେ ରୁଷ ଆକ୍ରମଣ ଅତି ଭୟାନକ ଥିଲା ଏବଂ ବିଭିନ୍ନ ସହରରେ ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର କରାଯାଇଥିଲା | ଏହି ଆକ୍ରମଣରେ ଅନେକ ସରକାରୀ ପ୍ରତିଷ୍ଠାନ ମାଟିରେ ମିଶିଯାଇଥିବା ବେଳେ ବହୁ ସଂଖ୍ୟାରେ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି |