ରଥଯାତ୍ରାରେ ଅରାଜକତା ପାଇଁ ଆଇନମନ୍ତ୍ରୀ ଇସ୍ତଫା ଦାବି କଲା ସିପିଆଇ(ଏମ)।

261

କଟକ,(ଉତ୍କଳ ନ୍ୟୁଜ),୧.୭.୨୦୨୫ - ଚଳିତ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ବେଖାତିର କରି ଭିଆଇପି ଓ ନିଜ ଦଳୀୟ ନେତାଙ୍କୁ ବେଆଇନ ଭାବେ ଦଶ ହଜାର ପାସ୍ ବାଣ୍ଟିଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା, ରଥଯାତ୍ରାରେ ଅରାଜକତା ଓ କର୍ପୋରେଟ ମିଶ୍ରଣର ନ୍ୟାୟିକ ତଦନ୍ତ, ମୃତ ଭକ୍ତଙ୍କ ପରିବାରରୁ ଜଣଙ୍କୁ ଚାକିରି ଓ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ, ଆହତମାନଙ୍କୁ ମାଗଣାରେ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦେବା, ଚାନ୍ଦବାଲି ବ୍ଲକର ଚାଷୀ ମାନଙ୍କୁ ରିହାତି ମୂଲ୍ୟରେ ବିହନ, ସାର, ବିଷ ଓ କୀଟନାଶକ ଔଷଧ ଯୋଗାଇ ଦେବା, କୃଷି ଋଣ ଛାଡ କରିବା, ୬୦ ବର୍ଷରୁ ଉର୍ଦ୍ଧ ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କୁ ୩ ହଜାର ଟଙ୍କା ଭତ୍ତା ତୁରନ୍ତ ପ୍ରଦାନ କରିବା, ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଲୁଇସ୍ ଗେଟ୍ ମରାମତି କାର୍ଯ୍ୟ ଶୀଘ୍ର ସାରି ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ କରିବା ଆଦି ଦାବି ନେଇ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ବୈଠକ କରଣ ପୋଖରୀ ଠାରେ ବରିଷ୍ଠ ନେତା କମ୍ରେଡ ଜୟୀରାମ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ଯୋଗଦେଇ ଚଳିତ ରଥଯାତ୍ରାରେ ରାଜ୍ୟ ସରକାରଙ୍କ ଅରାଜକତା ଓ ଦାୟିତ୍ୱହୀନତା ପାଇଁ ୧୦ ଜଣ ଭକ୍ତଙ୍କ ଜୀବନ ଯିବା ସହ ୧୫୦୦ ଲୋକ ଆହତ ଓ ୧୦୦ ଜଣ ଗୁରୁତର ଆହତ ହୋଇଥିବା କଥା ପ୍ରକାଶ କରିଛନ୍ତି । ରଥଯାତ୍ରା ଦିନ ଜଗନ୍ନାଥଙ୍କ ରଥ ମାତ୍ର ୩ ମିଟର ଟଣାଯାଇ ଶିଳ୍ପପତି ଗୌତମ ଆଦାନୀଙ୍କ ପରିବାର ପାଇଁ ଅଟକ ରଖି କୋଟି କୋଟି ଓଡିଆଙ୍କ ଭାବାବେଗ ପ୍ରତି ଡବଲ୍ ଇଞ୍ଜିନ୍ ସରକାର ଆଘାତ ଆଣିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଥିସହ ମୋଦି ସରକାର ଶ୍ରମିକ ମାନଙ୍କ ବିରୁଦ୍ଧରେ ଆଣିଥିବା ଶ୍ରମକୋର୍ଡ ବିରୁଦ୍ଧରେ ଆସନ୍ତା ଜୁଲାଇ ୯ ରେ ଚାନ୍ଦବାଲିରେ ଭାରତ ବଂଦକୁ ସର୍ବାନ୍ତୀକରଣରେ ସଫଳ କରିବାକୁ ଆଞ୍ଚଳିକ କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନିବେଦନ କରିଛନ୍ତି । ଏହି ବୈଠକରେ ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଆଞ୍ଚଳିକ କମିଟି ସଭ୍ୟ ଦିବାକର ସେନାପତି, ପ୍ରତାପ ମହାଳିକ, ସୁଶାନ୍ତ ସେଠୀ, ଅଶୋକ ଭୋଇ, ଗଣେଶ ଚନ୍ଦ୍ର ଯେନା ପ୍ରମୁଖ ଉପସ୍ଥିତ ରହି ଡବଲ୍ ଇଞ୍ଜିନ୍ ସରକାରଙ୍କ ବିପର୍ଯ୍ୟସ୍ତ କୃଷି ନୀତି ବିରୁଦ୍ଧରେ ଆସନ୍ତା ଜୁଲାଇ ୬ରେ ଚାନ୍ଦବାଲିରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାକୁ ସଫଳ କରିବା ସହ ଜୁଲାଇ ୯ରେ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଚାନ୍ଦବାଲି ବ୍ଲକରେ ସଫଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।