ତାଳପଦାରେ ଦେଶୀ ରନ୍ଧା ମଦ କାରଖାନା ଠାବ ଏକ ପ୍ରହସନ !

202

ତିହିଡି.(ଉତ୍କଳ ନ୍ୟୁଜ),୧୨.୦୭.୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ବିଭିନ୍ନ ଗାଁରେ ଦେଶୀ ରନ୍ଧା ମଦ କାରଖାନା ଠାବ ଏକ ପ୍ରହସନ ପରି ଚର୍ଚ୍ଚା ହେଉଛି । ପୋଲିସ ପକ୍ଷରୁ ବାରମ୍ବାର ଚଢାଉ ପରେ ବି କମିବାରେ ନାଁ ଧରୁନି । ଦିନକୁ ଦିନ ଏହି ଲାଭଦାୟକ ବେପାର ବଢିବାରେ ଲାଗିଛି । ପୋଲିସର ଚଢାଉରେ ବ୍ୟାପକ ସାମଗ୍ରୀ ନଷ୍ଟ ହେଉଥିଲେ ମଧ୍ୟରେ ଚୋରା ବେପାରୀ ପୁନଶ୍ଚ କାରବାର କରୁଛି ଏବଂ ତାହା ପୁଣି ବିନା ଦ୍ୱିଧାରେ । ପୋଲିସ ପକ୍ଷରୁ କେଉଁଠି ନା କେଉଁଠି ତୃଟି ରହୁଥିବା ସାଧାରଣରେ ଆଲୋଚନା ହେଉଛି । ଆଇନ୍‌ଗତ ଭାବେ ପୋଲିସ ସାମାନ୍ୟତମ କଠୋର ହେଲେ ଏହି ବୃତ୍ତି ଆଉ କେହି କରିବାକୁ ସାହସ କରନ୍ତେ ନାହିଁ ବୋଲି ମତ ପ୍ରକାଶ ପାଇଛି । ଏକାଧିକ କାରଖାନା ଠାବ ହେଉଛି ମାମଲା ରୁଜୁ ବି ହେଉଛି ଏବଂ କେତେକ ସ୍ଥଳରେ ଅଭିଯୁକ୍ତ କୋର୍ଟ ଚାଲାଣ ମଧ୍ୟ ହେଉଛନ୍ତି ହେଲେ ଏହି ବୃତ୍ତି ବନ୍ଦ ନହେବା ପଛରେ ପ୍ରକୃତ କାରଣ କ’ଣ ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି । ଶୁକ୍ରବାର ତାଳପଦାରେ ଚୋରା କାରଖାନା ଚାଲୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସାଧା ପୋଷାକରେ ଚଢାଉ କରିଥିଲା । ସେଠାରେ ଥିବା ପୋଚ ଓ ତିଆରି ପାଇଁ ସରଞ୍ଜାମକୁ ନଷ୍ଟ କରାଯାଇଛି । ତେବେ ଗାଁକୁ ପୋଲିସ ପଶିବା ବେଳକୁ ଅଭିଯୁକ୍ତମାନେ ଖସି ପଳେଇ ଯାଇଥିବା ଜଣାଯାଇଛି । ଘଞ୍ଚବୁଦାରେ ଏବଂ କେନାଲ ପାଶ୍ୱର୍ରେ ଏହି କାରଖାନା ଚାଲୁଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି, ଏହି ପଞ୍ଚାୟତ ଅଧିନ ବିଭିନ୍ନ ଗାଁରେ ଦୀର୍ଘ ବର୍ଷ ଧରି ଏପରି ଚୋରା ଦେଶୀ ରନ୍ଧା ମଦ କାରବାର ଚାଲି ଆସୁଛି । ମଦ ପିଇ ମତୁଆଲା ସାଜି ଗାଁରେ ଯାବତୀୟ ଅସାମାଜିକ କାର୍ଯ୍ୟ ସୃଷ୍ଟି ହେଉଛି । କେତେକ ସ୍ଥଳରେ ମଦ ପିଇ ମୃତ୍ୟୁ ବରଣ କରିଥିବା ବେଳେ କେତେକ ଅର୍ଦ୍ଧ ପାଗଳ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ଚୋରା ମଦ ପ୍ରସ୍ତୁତ କରୁଥିବା ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବାକୁ ବି ପଛାଉନାହିଁ । ବାର୍ଷିକ ମାଳ ମାଳ ମାମଲା ରୁଜୁ ହେଉଛି ହେଲେ ବେଲରେ ଆସିବା ପରେ ଯେଉଁ କଥାକୁ ସେହି କଥା । ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମି ଦିନରେ ଆନ୍ଦୋଳନାତ୍ମକ ବାତାବରଣ ସୃଷ୍ଟି ହେବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ ।