କଟକ,(ଉତ୍କଳ ନ୍ୟୁଜ), ୧୧.୦୭.୨୦୨୫ : ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏଥି ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ସମସ୍ତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଦ୍ଵାରା ବଜ୍ରପାତ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।ଏହି ରଥ ଜିଲ୍ଲାର ସହରାଞ୍ଚଳ ଏବଂ ସମସ୍ତ ବ୍ଲକଗୁଡିକ ପରିକ୍ରମା କରି ଜନସାଧାରଣ ବଜ୍ରପାତ ସମୟରେ ପଦକ୍ଷେପ ସ୍ୱରୂପ କିପରି ସୁରକ୍ଷିତ ରହିପାରିବେ ଏଥି ସମ୍ବନ୍ଧୀୟ ସଚେତନତା ବାର୍ତ୍ତାମାନ ପ୍ରଦାନ କରିବ । ପ୍ରକାଶ ଥାଉକି ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ବାର୍ତ୍ତା, ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଦର୍ଶନୀ, ଅଡିଓ-ଭିଜୁଆଲ୍ ବାର୍ତ୍ତା ଏବଂ ସୂଚନା ପୁସ୍ତିକା ସହିତ ସଚେତନତା ରଥ ଜିଲ୍ଲାର ସମସ୍ତ ଆଞ୍ଚଲ ବୁଲି ପ୍ରଚାର ପ୍ରସାର କରିବ । ବିଭିନ୍ନ ଅନୁଷ୍ଠାନ ତଥା ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରି ଏ ସମ୍ବନ୍ଧୀୟ ଜନ ସଚେତନତା କରାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସଚେତନତା ରଥର ଶୁଭାରମ୍ଭ ଅବସରରେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଡଃ. ଦିବ୍ୟଲୋଚନ ମହାନ୍ତ, ଡେପୁଟୀ କଲେକ୍ଟର(ଜରୁରୀ), ଶ୍ରୀ ସୁଜୟ ପତି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ,(ଜରୁରୀ) ଶ୍ରୀ ବାପି ବିଶ୍ଵଜିତ ସାହୁ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, କଟକ