କଟକ,(ଉତ୍କଳ ନ୍ୟୁଜ) ୧୭.୦୭.୨୦୨୫ :ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ବୁଧବାର ଭାରତର ପ୍ରତିରକ୍ଷା ସାମର୍ଥ୍ୟର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆଜିର ଯୁଦ୍ଧ ପୁରୁଣା ପ୍ରଣାଳୀରେ ନୁହେଁ ବରଂ ଆସନ୍ତାକାଲିର ଟେକ୍ନୋଲୋଜିରେ ଲଢ଼ିବାକୁ ପଡ଼ିବ।ନୂଆଦିଲ୍ଲୀରେ ୟୁଏଭି ଓ କାଉଣ୍ଟର-ମାନବବିହୀନ ଏରିଅଲ୍ ସିଷ୍ଟମ୍ (ସି-ୟୁଏଏସ୍)ର ସ୍ୱଦେଶୀକରଣ ଉପରେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ସିଡିଏସ୍ ଆଧୁନିକ ଯୁଦ୍ଧରେ ଅତ୍ୟାଧୁନିକ ଜ୍ଞାନକୌଶଳର ବଢୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନିଲ ଚୌହାନ କହିଛନ୍ତି, ଗତକାଲିର ଅସ୍ତ୍ରଶସ୍ତ୍ର ବଳରେ ଆମେ ଆଜିର ଯୁଦ୍ଧ ଜିତିପାରିବୁ ନାହିଁ। ଭାରତ ତା’ର ରଣନୈତିକ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉଚିତ। କାରଣ ଆମଦାନୀ ଟେକ୍ନୋଲୋଜି ଉପରେ ନିର୍ଭରଶୀଳତା ଆମର ପ୍ରସ୍ତୁତିକୁ ଦୁର୍ବଳ କରିଥାଏ। ମେ ମାସରେ ଭାରତର ଅପରେସନ ସିନ୍ଦୂର ସମ୍ପର୍କରେ ଜେନେରାଲ ଚୌହାନ କହିଛନ୍ତି ଯେ ପାକିସ୍ତାନର ଅଧିକାଂଶ ଅସ୍ତ୍ରକୁ ଭାରତ ନିଷ୍କ୍ରିୟ କରିଥିଲା। ପାକିସ୍ତାନର ୟୁଏଭିଗୁଡ଼ିକ ମଧ୍ୟରୁ କୌଣସିଟି ଭାରତୀୟ ସାମରିକ କିମ୍ବା ବେସାମରିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇ ନାହିଁ। ଆଧୁନିକ ସଂଘର୍ଷରେ ଡ୍ରୋନ୍ର ବଢୁଥିବା ଭୂମିକା ଉପରେ ଆଲୋକପାତ କରି ସିଡିଏସ୍ କହିଛନ୍ତି, ଏହାର ବ୍ୟବହାର ଏକ ବାସ୍ତବତା ଯାହା ଆମେ ପୂର୍ବରୁ ସାମ୍ନା କରୁଛୁ। ସିଡିଏସ୍ ସାଂପ୍ରତିକ ଆକାଶମାର୍ଗ ବିପଦର ପ୍ରଭାବଶାଳୀ ମୁକାବିଲା ପାଇଁ ପ୍ରତିରୋଧ କୌଶଳ ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେବା ସହ ଗୁରୁତ୍ୱପୂର୍ଣ୍ଣ ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜିର ସ୍ୱଦେଶୀକରଣର ଗୁରୁତ୍ୱକୁ ଦୋହରାଇଥିଲେ।