କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ ଓଡିଆ ସିନେମା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ମହାମହିମ ଦେଖିଲେ ମହାପ୍ରଭୁଙ୍କ ନବକଳେବରର କାହାଣୀ । ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା "ଶ୍ରୀ ଜଗନ୍ନାଥଙ୍କ ନବକଳେବର" ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର କଲଚୁରାଲ ସେଣ୍ଟରରେ ସିନେମା ଦେଖିଲେ ମହାମହିମ ।ଏହି ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିନୀତି ଉପରେ ଆଧାରିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ସହ ସିନେମା ଦେଖିଥିଲେ ପୂରା ନବକଳେବର ଟିମ୍ । ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଚଳଚ୍ଚିତ୍ରର କଳାକାରମାନେ ଏବଂ ଅନ୍ୟ ସଦସ୍ୟ ସାମିଲ ଥିଲେ । ରଥଯାତ୍ରା ସମୟରେ ବହୁ ପ୍ରତୀକ୍ଷା ଅନ୍ତ ଘଟାଇ ରିଲିଜ ହୋଇଥିଲା ସିନେମା ଶ୍ରୀ ଜଗନ୍ନାଥଙ୍କ ନବକଳେବର । ଏହି ଅବସରରେ ମହାପ୍ରଭୁଙ୍କ ଲୀଳା ଦେଖିବାର ସୁଯୋଗ ପାଇଥିଲେ ଜଗନ୍ନାଥପ୍ରେମୀ । ତେବେ ଏହି ସିନେମା ଜରିଆରେ ଦାରୁ ବିଗ୍ରହଙ୍କ ବ୍ରହ୍ମ ପରିବର୍ତ୍ତନ ଓ କଳାପାହାଡ଼କୁ ନେଇ ଲିଖିତ ଇତିହାସକୁ ପାଖରୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଆଗାମୀ ପିଢ଼ି ନିକଟରେ ଏସବୁକୁ ସନ୍ତକ ଭାବେ ରଖିବାର ଲକ୍ଷ୍ୟ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା କହିଛନ୍ତି ପ୍ରଯୋଜିକା ତଥା ନିର୍ଦ୍ଦେଶକ ବିନି ସାମଲ । ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟି ଷ୍ଟାର କାଷ୍ଟ ରହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଅଶ୍ରୁମୋଚନ, ଶ୍ରୀତମ ଦାସ, ଜ୍ୟୋତିରଞ୍ଜନ ନାୟକ, ପିଙ୍କି ପ୍ରଧାନ ଶିବାନୀଙ୍କ ସମେତ ଆହୁରି ଅନେକ କଳାକାର କାମ କରିଥିବା ବେଳେ ସିନେମାଟି ଓଡିଶାରେ ବେଶ୍ ପ୍ରଶଂସା ସାଉଁଟୁଛି ।