ତିହିଡି,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : ଓଡିଶାରେ ଆଇନ୍ ଶୃଙ୍ଖଳା ଓ ଶାସନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଗୋପାଳପୁର ବନ୍ଦରଠାରେ ମହିଳା ଗଣଧର୍ଷଣ, କେଉଁଝର ଜିଲ୍ଲାରେ ମହିଳା ଧର୍ଷଣ, ଚାନ୍ଦିପୁର ବେଳାଭୂମିରେ ମହିଳା ଧର୍ଷଣ, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ବ୍ୟବସ୍ଥାଗତ ହତ୍ୟା, ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ଅଧିନସ୍ଥ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବା ଉଦ୍ୟମ, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନସ୍ଥ ଖାରିଗୁମ୍ମା ସିଙ୍ଗାପୁର ଗ୍ରାମର ଦଳିତ ଚାବୁଲା ନାୟକ ଓ ବୁଲୁ ନାୟକଙ୍କୁ ନିର୍ଯ୍ଯାତନା ମାମଲା, ବିଏମସି ଅତିରିକ୍ତ କମିଶନରଙ୍କୁ ବିଜେପି ଗୁଣ୍ଡା ବାହିନୀଙ୍କ ନିଷ୍ଠୁର ମାଡ, ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଓ ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ବିଜେପି ଗୁଣ୍ଡା ବାହିନୀ ଦ୍ଵାରା ଦଳିତ ଓ ସାଧାରଣ ଲୋକଙ୍କ ଉପରେ ନିଷ୍ଠୁର ଅତ୍ୟାଚାର ଓଡିଶାର ଆଇନର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି ବୋଲି ସିପିଆଇ(ଏମ) କହିଛି। ଓଡିଶାରେ ଆଇନର ଶାସନ ଚାଲିଲା ପରି ହୃଦବୋଧ ହେଉନାହିଁ । ରାଜ୍ୟରେ ଚାଲିଥିବା ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଅସାମାଜିକ ବ୍ୟକ୍ତି ଓ ଗୁଣ୍ଡାମାନେ ଓଡିଶାର ଶାସନକୁ ନିୟନ୍ତ୍ରଣ କରି ଜଙ୍ଗଲରାଜ ଆଡକୁ ନେଇ ଯାଉଛନ୍ତି । ଏହା ବିରୋଧରେ ଓଡିଶାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓ ଆଇନର ଶାସନକୁ ସୁରକ୍ଷିତ ରଖିବା ପାଇଁ ଭଦ୍ରକବାସୀଙ୍କୁ ଏକତ୍ରିତ ହୋଇ ଲଢେଇ କରିବାକୁ ଜିଲ୍ଲା କମିଟି ବୈଠକରେ ଆହ୍ୱାନ ଦିଆଯାଇଛି । ଯାଯପୁର ରୋଡ୍ - ଧାମରା ରେଳପଥ ନିର୍ମାଣ ଓ ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳ ଚଳାଚଳ ଦାବି କରି ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଧାମରା, ଜନ୍ତୁଆଳି, ବଳସାହି, ଇଛାପୁର ଓ ଭଦ୍ରକ ଠାରେ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି ନିଆ ଯାଇଛି। ଚାଷୀମାନଙ୍କୁ ମାଗଣାରେ ସାର, ବିଷ, କୀଟନାଶକ ଔଷଧ, ବିହନ ଯୋଗାଇ ଦେବା ସହ ବିନାସୁଧରେ ଚାଷୀମାନଙ୍କୁ ଚାଷ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସମବାୟ ସମିତିରୁ କୃଷି ଋଣ ଯୋଗାଇବା ଦାବିରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ସଂଗଠିତ କରାଯିବା ପାଇଁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ଏହି ଜିଲ୍ଲା କମିଟି ବୈଠକରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଅନ୍ୟତମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଶିଶିର ହୁଇ, ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗୌରାଙ୍ଗ ଯେନା, ମଳୟ ଭୋଇ, କାଳନ୍ଦୀ ପାତ୍ର, ଜୟନୁଲ ଆବେଦିନ, ସୁରଜିତା ନାୟକ ଏବଂ ଜିଲ୍ଲା କମିଟିର ଆମନ୍ତ୍ରିତ ସଭ୍ୟ ଚନ୍ଦ୍ରଶେଖର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।