ଭୁବନେଶ୍ୱର,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ପ୍ରାଇଭେଟ ନର୍ସିଙ୍ଗ ସ୍କୁଲ ଏବଂ କଲେଜ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆସୋସିଏସନର ସଭାପତି ଶ୍ରୀ ବିଜନ କୁମାର ଜେନା ଏବଂ ସମ୍ପାଦକ ଶ୍ରୀ ପ୍ରଦୀପ ବିଶ୍ୱାଳଙ୍କ ଦ୍ୱାରା ଆହୁତ ଏହି ବୈଠକରେ ରାଜ୍ୟର ପ୍ରାୟ ଦୁଇଶହ ଅଣଚାଳିଶ ପ୍ରାଇଭେଟ ନର୍ସିଂ କଲେଜର ଦୁଇଟି ଦାବୀ ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା | ଏହି ଦାବୀ ମଧ୍ୟରୁ,ମୁଖ୍ୟ ଦାବୀ ହେଉଛି ନର୍ସିଙ୍ଗ କଲେଜକୁ ସ୍ୱୀକୃତି ପ୍ରଦାନ ଲାଗି ତିରିଶ ଲକ୍ଷ ଟଙ୍କାର ଦେୟକୁ ପ୍ରତ୍ୟାହାର କରିବା | ତା" ସହିତ ସରକାର ଏବଂ କଲେଜ ମଧ୍ୟରେ ବୁଝାମଣା ଅର୍ଥାତ ପ୍ଲେଜିଙ୍ଗ ନିମନ୍ତେ ପୈଠ କରାଯାଉଥିବା ଦଶଲକ୍ଷ ଟଙ୍କା ଦେୟକୁ ପ୍ରତ୍ୟାହାର କରି ସରକାରୀ କଲେଜ ଗୁଡିକ ସରକାରଙ୍କୁ ପୈଠ କରୁଥିବା ଦେୟ ସହିତ ସମାନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା | ଏହି ଦାବୀକୁ ଆଗାମୀ ଦିନରେ ସରକାରଙ୍କ ଆଗରେ ଉପସ୍ଥାପନା କରାଯିବ | ତେଣୁ ସରକାର ଏଥିପ୍ରତି ଯତ୍ନବାନ ହେବେ ବୋଲି ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଆଶା ପୋଷଣ କରିଛନ୍ତି | ଯଦି ଏହି ନିୟମ କୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନ ରେ ଓଡିଶା ୟୁନିଭରସିଟି ଅଫ ହେଲଥ ସାଇନ୍ସ କୁ ଘେରାଉ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି |